qq

ଭିଜିଲାନ୍ସ ତଦନ୍ତ ଦାବି

72

ପଥର ପ୍ୟାକିଂରେ ଅନିୟମିତତା
ନିଶ୍ଚିନ୍ତକୋଇଲି (ଆପ୍ର): ନଦୀ ବନ୍ଧର ସୁରକ୍ଷା ଓ ତଟ ଅବକ୍ଷୟ ପ୍ରତିରୋଧ ପାଇଁ ସରକାର କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି । ଏନେଇ ନଦୀ ବନ୍ଧରେ ପଥର ପ୍ୟାକିଂର ବ୍ୟବସ୍ଥା କରାଯାଇଛି । ଏପରିସ୍ଥଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ପଥର ପ୍ୟାକିଂ କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଇ ଲକ୍ଷଲକ୍ଷ ଟଙ୍କା ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ନିଶ୍ଚିନ୍ତକୋଇଲି ବ୍ଲକ୍ କେନ୍ଦୁପାଟଣା ଜଳସମ୍ପଦ ବିଭାଗ ଅଧୀନ ଚିତ୍ରୋତ୍ପଳା ନଦୀ ବାମ ପାଶ୍ୱର୍ ବନ୍ଧର ସୁରକ୍ଷା ଓ ତଟ ଅବକ୍ଷୟର ପ୍ରତିରୋଧ ପାଇଁ ଗତ ଚାରିବର୍ଷ ମଧ୍ୟରେ ଦୁଇ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଅନୁଦାନରେ ପଥର ପ୍ୟାକିଂ କାର୍ଯ୍ୟ ଚାଲିଛି । ମାତ୍ର ଏହି କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା କୁହାଯାଉଛି । ଏଥିସହ ବହୁ ଠିକାଦାର ଲକ୍ଷ ଲକ୍ଷ ଟଙ୍କାର ପ୍ୟାକିଂ କାର୍ଯ୍ୟ କରି ବିଲ୍ ଉଠାଇ ନେଇଥିବାବେଳେ ବର୍ତ୍ତମାନ ମଧ୍ୟ କେତେଜଣ ଠିକାଦର ସେମାନଙ୍କ କାର୍ଯ୍ୟ ଚଳାଇଛନ୍ତି । ମାତ୍ର ଏହି କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ବର୍ଷା ଆରମ୍ଭ ହେବା ଓ ନଦୀରେ ଅଳ୍ପ ପାଣି ଆସିବାରୁ କେତେକ ସ୍ଥାନରେ ପ୍ୟାକିଂଗୁଡିକ ଭୁଷୁଡି ପଡିଥିବା ଦେଖିବାକୁ ମିଳିଛି । ସେହିପରି କେନ୍ଦୁପାଟଣା ଭୁବନ ନିକଟରେ ବି ପ୍ୟାକିଂ ଭୁଷୁଡି ପଡିଛି । ଫଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ପ୍ୟାକିଂ କାର୍ଯ୍ୟ ଚାଲୁଥିବାବେଳେ ବିଭାଗ ସଠିକ୍ ତଦାରଖ କରିନଥିବାରୁ ଏଥିରେ ଅନିୟମିତତା ହୋଇଥିବା ଜଣାପଡିଛି । ଯଦ୍ଦ୍ୱାରା ଠିକାଦାର ଓ ବିଭାଗୀୟ ଅଧିକାରୀ ଲାଭବାନ ହେଉଥିବାବେଳେ ପଠା ଅବକ୍ଷୟ ହେତୁ ନିକଟ ଚାଷଜମି ମାଲିକଙ୍କ ବ୍ୟାପକ କ୍ଷତି ହୋଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ମାଲିକମାନେ ସେମାନଙ୍କ ଜମିକୁ ନଛାଡିବାରୁ ପଥର ପ୍ୟାକିଂ କାର୍ଯ୍ୟରେ ସଠିକ୍ ଭାବେ ସ୍ଲୋପିଂ ହୋଇପାରିନଥିବାରୁ ଏହା ଭୁଷୁଡିଥିବା କହିଛନ୍ତି । ହେଲେ ଏହାର ଭିଜିଲାନ୍ସ ତଦନ୍ତ କରାଗଲେ ବହୁ ଲୁକ୍କାୟିତ ଦୁର୍ନୀତି ଓ ଅଧିକାରୀ ତଥା ଠିକାଦାରଙ୍କ ମଧ୍ୟରେ ଥିବା ଅସାଧୁ ମେଣ୍ଟର ମୁଖା ଖୋଲନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏଥିପ୍ରତି ଜଳସେଚନ ବିଭାଗ ସର୍ବୋଚ୍ଚ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ସେଆର କରନ୍ତୁ:



Powered by odothemes.com