Keonjar-Swachha-Vara-Avijan--kete-sata--kete-michha,-kjr-(3)-(1)

ସ୍ୱଚ୍ଛ କେନ୍ଦୁଝର, କେତେ ମିଛ-କେତେ ସତ?

48

ଆମ ପୌରପାଳିକା
କେନ୍ଦୁଝର,୧୨ା୭(ଆପ୍ର): ଜନସାଧାରଣଙ୍କ ହିତ ଦୃଷ୍ଟିରୁ ମୌଳିକ ସୁବିଧା ସୁଯୋଗ ସବୁର ସୁପରିଚାଳନା ନିମନ୍ତେ କେନ୍ଦୁଝର ପୌରପାଳିକାର ଅନେକ ଦାୟିତ୍ୱ ମଧ୍ୟରୁ ସହରକୁ ସରସ ସୁନ୍ଦର କରି ଗଢିତୋଳିବା ମୂଳଲକ୍ଷ୍ୟ । ତେବେ ପୌରବାସୀଙ୍କ ଠାରୁ ଟିକସ୍ ଆଦାୟ କରିବାରେ ଆଦୌ ଅବହେଳା କରୁନଥିବା ପୌରପାଳିକା ସହରବାସୀଙ୍କ ପାଇଁ ଥିବା ପରିମଳ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ଗୁରୁତ୍ୱ ନଦେଇ କେବଳ ହୋଡିଂ ଲଗାଇ ସ୍ୱଚ୍ଛ କେନ୍ଦୁଝର ସହରର ଗଳିକନ୍ଦିରେ ଆବର୍ଜନାର ପାହାଡକୁ ନିୟମିତ ବ୍ୟବଧାନରେ ସଫା କରାଯାଉ ନାହିଁ । ସହରର ବ୍ୟସ୍ତବହୁଳ ସ୍ଥାନ ଗୁଡିକ ମଧ୍ୟରେ କେନ୍ଦୁଝର ଡେଲିମାର୍କେଟ ଏମିତି ଏକ ସ୍ଥାନ ଯେଉଁଠି ପରିବାପତ୍ର ଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟପଦାର୍ଥ ସହ ଘରକରଣା ଜିନିଷପତ୍ର ବିକ୍ରୀ ହୋଇଥାଏ । ତେବେ ସ୍ଥାନୀୟ ପିଡବ୍ଲୁଡି କାର୍ଯ୍ୟାଳୟ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ମଝି ରାସ୍ତାରେ କୁଢ କୁଢ ଆବର୍ଜନାର ଗଦା ହେବା ସହିତ ପାଣି କାଦୁଅ ଓ ହୋଟେଲ ଗୁଡିକର ବର୍ଜ୍ୟବସ୍ତୁ ମିଶି ଏଭଳି ଅବସ୍ଥା ସୃଷ୍ଟିହେଉଛି ଯେ ଲୋକେ ଦଣ୍ଡେ ଛିଡା ହେବା ପାଇଁ ମଧ୍ୟ ସକ୍ଷମ ହେଉନାହାଁନ୍ତି । ଏତଦ୍ବ୍ୟତୀତ ସେଠାରେ ଉପଯୁକ୍ତ ପରିସ୍ରାଗାର ନଥିବାରୁ ହଜାର ହଜାର ଲୋକ ଗଳିରେ ମଳମୁତ୍ର ତ୍ୟାଗ କରୁଛନ୍ତି । ଫଳରେ ସେସବୁ ସଂକ୍ରମିତ ବର୍ଜ୍ୟବସ୍ତୁ ସହ ମିଶି ଡେଲି ମାର୍କେଟରେ ବିକ୍ରୀ ହେଉଥିବା ପନିପରିବା ତଥା ଅନ୍ୟାନ୍ୟ ଖାଦ୍ୟ ପର୍ଦାଥ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ସଂକ୍ରମିତ କରୁଛି ।
ସୂଚନାଯୋଗ୍ୟ ଯେ, ମାର୍କେଟ ସାରା ଦୁର୍ଗନ୍ଧରେ ନାକ ଫାଟି ପଡୁଥିବା ବେଳେ ସେଥିପ୍ରତି ପୌରପାଳିକାର ଆଦୌ ଦୃଷ୍ଟି ପଡୁନାହିଁ । ବଡ ଆଶ୍ଚର୍ଯ୍ୟର ବିଷୟ ଜିଲ୍ଲାର ପ୍ରାୟ ସମସ୍ତ ବିଭାଗୀୟ ଅଧିକାରୀ ଏପରି ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ବିଷୟରେ ଅବଗତ ଥିଲେ ମଧ୍ୟ ଏହାର ନିରାକରଣ ହୋଇ ନପାରିବା ବିଡମ୍ବନାର ବିଷୟ । ପୌରପାଳିକା ଅଧିନରେ ଥିବା ସ୍ୱାସ୍ଥ୍ୟ ଓ ପରିମଳ ବିଭାଗ କେଉଁ ଯୋଜନା ମାଧ୍ୟମରେ କିପରି ଭାବେ ସ୍ୱଚ୍ଛ କେନ୍ଦୁଝର ପରିକଳ୍ପନା କରିଛନ୍ତି ତାହା କେବଳ ନାରାୟଣଙ୍କୁ ଜଣା । ସହର ଉପକଣ୍ଠରେ ଜାତୀୟ ରାଜପଥ ପାଶ୍ୱର୍ରେ ଡମ୍ପିଂୟାର୍ଡ ସୃଷ୍ଟି କରି ସେସବୁ ସ୍ଥାନରେ ପାଇଖାନା ଟାଙ୍କିର ବର୍ଜ୍ୟବସ୍ତୁ ସବୁକୁ ପୌରପାଳିକା ଏବଂ ବିଭିନ୍ନ ବ୍ୟବସାୟୀ ନିଜ ନିଜର ସେସ୍ପୁଲ ଗାଡିରେ ନେଇ ଢାଳି ଦେଉଛନ୍ତି । ଦୁର୍ଘଟଣାରେ ମରି ଯାଉଥିବା ଅନେକ ଜୀବଜନ୍ତୁଙ୍କ୍ୁ ମଧ୍ୟ ସେହିସ୍ଥାନରେ ଖୋଲାରେ ଫିଙ୍ଗି ଦିଆଯାଉଛି । ହେଲେ ବାହାର ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ସୁଦୃଶ୍ୟ ତୋରଣ ଏବଂ ହୋଡିଂ ଲଗାଇବାରେ ପୌରପାଳିକା ଆଦୌ ହେଳା କରିନାହାଁନ୍ତି । ବର୍ତ୍ତମାନର ପୌରାଧ୍ୟକ୍ଷ ପୌରପାଳିକାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟପ୍ରତି ଯଥେଷ୍ଟ ଗୁରୁତ୍ୱ ଦେଇ ଆସୁଥିବା ବେଳେ ଏଥିରେ କେତେକ ଅଧିକାରୀ ଓ କର୍ମଚାରୀ ସହଯୋଗ କରୁନଥିବା ସାଧାରଣରେ ଜାଣିବାକୁ ମିଳିଛି । ଫଳରେ ତାଙ୍କର କେନ୍ଦୁଝର ସହରକୁ ସରସ ସୁନ୍ଦର କରିବା ଉଦ୍ୟମ ବ୍ୟାହାତ ହେଉଥିବା ମନେ ହେଉଛି । ତେଣୁ ସମୟ ଆସିଛି ଜିଲ୍ଲା ପ୍ରଶାସନ ଓ ପୌରାଧ୍ୟକ୍ଷ ମିଳିତ ଭାବେ ଏଦିଗରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ସହ ସ୍ଥାନୀୟ ବଜାର ଗୁଡିକରେ ଉତ୍ତମ ଓ ଆଧୁନିକ ପରିସ୍ରାଗାର ନିର୍ମାଣ କରି କେନ୍ଦୁଝର ସହରକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ସହରବାସୀ ଦାବି କରିଛନ୍ତି ।




Powered by odothemes.com