ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ୍ ନିଷିଦ୍ଧ | ସର୍ବସାଧାରଣ ଖବରକାଗଜ
raju-swainn

ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ୍ ନିଷିଦ୍ଧ

42

‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ରେ ଘୋଷଣା
ଭୁବନେଶ୍ୱର,୧୦ ।୭(ବୁ୍ୟରୋ): ଓଡ଼ିଶାରେ ପ୍ଲାଷ୍ଟିକ୍କୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ପରେ ଏବେ ଓଡ଼ିଶାରେ ପଲିଥିନ୍ ବ୍ୟାନ୍ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆଜି ସଚିବାଳୟରେ ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ସମସ୍ତ ମହାନଗର ନିଗମ (ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା) ଏବଂ ପୁରୀ ପୌରପାଳିକାରେ ପ୍ଲାଷ୍ଟିକ ନିଷିଦ୍ଧ କରିବା ପାଇଁ ନିଷ୍ପତ୍ତି ହୋଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଆଗାମୀ ୨ ବର୍ଷ ମଧ୍ୟରେ ସାରା ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ୍ ନିଷିଦ୍ଧ ହେବ ବୋଲି ନିଷ୍ପତ୍ତି ହୋଇଛି । ଏହା ଦ୍ୱାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାଗ୍, ପଲିଥିନ ଓ ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍ ସାମଗ୍ରୀକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରାଯିବ । ପ୍ଲାଷ୍ଟିକ୍ ପରିବେଶ ପାଇଁ ବିପଦ । ଭବିଷ୍ୟତ ତଥା ଆଗାମୀ ପିଢ଼ି ପାଇଁ ମଧ୍ୟ ପ୍ଲାଷ୍ଟିକ୍ ବିପଦ ହୋଇଥିବାରୁ ରାଜ୍ୟକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଏଭଳି ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି । ତେବେ ସହରାଞ୍ଚଳରେ ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ଏହି ନିଦେ୍ର୍ଦଶକୁ କାର୍ଯ୍ୟକାରୀ କରିବ । ସେହିଭଳି ଗ୍ରାମାଞ୍ଚଳରେ ପଞ୍ଚାୟତିରାଜ ବିଭାଗକୁ ଏହି ଦାୟିତ୍ୱ ଦିଆଯାଇଛି । ସାରା ରାଜ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗ ପ୍ଲାଷ୍ଟିକ୍ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟ ତଦାରଖ କରିବ ବୋଲି ଜଣାଯାଇଛି ।
ଏ ଅବସରରେ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବୃକ୍ଷ ଆମ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡ଼ିତ । ତେଣୁ ଜୀବଜଗତ ସୁରକ୍ଷା ପାଇଁ ଚଳିତ ବର୍ଷା ଋତୁରେ ସମସ୍ତେ ଗୋଟିଏ ଲେଖାଏଁ ଗଛ ଲଗାଇ ନିଜ ପରିବାର ପରି ଯତ୍ନ ନେବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଗଛ ରହିଲେ ପରିବେଶ ଭଲ ରହିବ, ପରିବେଶ ଭଲ ରହିଲେ ଆମେ ସୁସ୍ଥ ରହିବା ଏବଂ ସମାଜର ଉନ୍ନତି କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଗତ କିଛି ବର୍ଷ ହେଲା ରାଜ୍ୟରେ ଜଙ୍ଗଲ ପରିମାଣ ବୃଦ୍ଧି ପାଇ ଜାତୀୟ ହାର ଠାରୁ ଆଗରେ ରହିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାନ ଦେବା ସହ ପ୍ଲାଷ୍ଟିକ୍ କଟକଣାକୁ ରାଜ୍ୟରେ ସଫଳ କରିବା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ସୂଚନାଯୋଗ୍ୟ ଯେ, ପ୍ରତି ସପ୍ତାହରେ ଚାଲିଥିବା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ ଜରିଆରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସାମାଜିକ ସମସ୍ୟା ଉପରେ ପଞ୍ଚାୟତ ଓ ଲୋକଙ୍କ ସହ ଆଲୋଚନା କରିଥାନ୍ତି ।




Powered by odothemes.com