SCHOOL-CHATRA-CHATRI---2018-PHOTO-TIHIDI

କାନ୍ଥ ପଡ଼ି ଛାତ୍ରୀ ମୃତ, ୩ ଗୁରୁତର

161

ଭଦ୍ରକ, ୧୦ା୭(ସ୍ୱପ୍ର): ବାସୁଦେବପୁର ଥାନା ଅନ୍ତର୍ଗତ ବିନାୟକପୁର ପ୍ରାଥମିକ ବିଦ୍ୟାଳୟରେ ଏକ ଅଘଟଣ ଘଟିଛି । ମଧ୍ୟାହ୍ନ ଭୋଜନ ବିରତି ସମୟରେ ଜାମ୍ମୁକୋଳି ଗଛରୁ କୋଳି ଖାଉଥିବାବେଳେ ନିକଟରେ ଥିବା ଏକ ପରିତ୍ୟକ୍ତ ଘରର କାନ୍ଥ ପଡିଯିବାରୁ ଜଣେ ଛାତ୍ରୀ ମୃତୁ୍ୟବରଣ କରିଥିବାବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଆହତ ଛାତ୍ରଛାତ୍ରୀଙ୍କୁ କଟକ ଏସ୍ସିବି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଗ୍ରାମବାସୀମାନେ ଏହି ଘଟଣାକୁ ନେଇ ଉତ୍ତ୍ୟେକ୍ତ ହୋଇ ସ୍କୁଲରେ ତାଲା ପକାଇବା ସହ ଗଣଧାରଣା ଦେଇଥିଲେ । ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ ସାହୁ ଓ ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ପହଞ୍ଚô ତୁରନ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ।
ଘଟଣାରୁ ପ୍ରକାଶ ଯେ ମଧ୍ୟାହ୍ନ ଭୋଜନ ବିରତି ସମୟରେ ୪ ଜଣ ଛାତ୍ରଛାତ୍ରୀ ନିକଟରେ ଥିବା ଏକ ଜାମୁକୋଳି ଗଛକୁ କୋଳି ଖାଇବାକୁ ଯାଇଥିବା ବେଳେ ପାଖରେ ଥିବା ଏକ ପରିତ୍ୟକ୍ତ ଘରର କାନ୍ଥ ସେହି ପିଲାମାନଙ୍କ ଉପରେ ପଡିଯାଇଥିଲା । ଫଳରେ ୪ ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀର ମୃତୁ୍ୟ ଘଟଣା ସ୍ଥଳରେ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିଲେ । ତୁରନ୍ତ ପାଖ ପଡୋଶୀ ବାସୁଦେବପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ସେମାନଙ୍କୁ ଆଣିଥିଲେ । ପରିସ୍ଥିତି ଗୁରୁତର ହେବାରୁ ଅଧିକ ଚିକିତ୍ସ ପାଇଁ ସେମାନଙ୍କୁ ଭଦ୍ରକ ପରେ କଟକ ଡାକ୍ତରଖାନାକୁ ନିଆଯାଇଥିବା ଖବର ମିଳିଛି । ମୃତ ଛାତ୍ରୀ ହେଲେ ବିନାୟକପୁର ଗ୍ରାମର ବର୍ଜୁ ମଳିକଙ୍କ ଝିଅ ମାନସୀ ଓ ଗୁରୁତରମାନେ ହେଲେ ସେହି ଗ୍ରାମରେ ବାଇଧର ଦାସଙ୍କ ପୁଅ ଜଗନ୍ନାଥ(୪ର୍ଥ), ନିର ମଳିକଙ୍କ ପୁଅ ଶିବ(୫ମ), ମେଘନାଦ ମଳିକଙ୍କ ପୁଅ ବିଭୁତି ସୁନ୍ଦର (୨ୟ) । ଏହି ଗୁରୁତରମାନଙ୍କ ମଧ୍ୟରୁ ଶିବ ଓ ବିଭୁତିର ଗୋଡ ଭାଙ୍ଗିଯାଇଥିବା ବେଳେ ଜଗନ୍ନାଥର ଛାତିରେ ଆଘାତ ଲାଗିଥିଲା । ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ବିଦ୍ୟାଳୟର ମଧ୍ୟାନ୍ତରରେ ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ଖାଇସାରିବା ପରେ ଏହି ଚାରିଜଣ ଛାତ୍ରଛାତ୍ରୀ ବିଦ୍ୟାଳୟଠାରୁ ମାତ୍ର ୧୦ ମିଟର ଦୂରରେ ସୁବାସ ଚନ୍ଦ୍ର ଦାସଙ୍କ ଏକ ପରିତ୍ୟକ୍ତ ଘର ନିକଟରେ ଥିବା ଏକ ଜାମୁକୋଳି ଗଛକୁ କୋଳି ଖାଇବାକୁ ଆସିଥିଲେ । ଉକ୍ତ ଘର ଉପର ଛପର ନଥିବାରୁ ଘର ବର୍ଷା ପାଣିରେ ମାଟି କାନ୍ଥଟି ଉଦା ହୋଇଯାଇଥିଲା । ଫଳରେ ଏହି ୪ ଜଣ ଛାତ୍ରଛାତ୍ରୀ କାନ୍ଥ ନିକଟରେ ଛିଡା ହୋଇ କୋଳି ଖାଉଥିବା ସମୟରେ ହଠାତ୍ କାନ୍ଥଟି ଏହି ଛାତ୍ରଛାତ୍ରୀଙ୍କ ଉପରେ ପଡିଯାଇଥିଲା । ଫଳରେ ମାନସୀ ସହିତ ଏହି ୩ ଜଣ ଛାତ୍ର ସମ୍ପୂର୍ଣ୍ଣ ମାଟି ତଳେ ଚାପି ହୋଇଯାଇଥିଲା । ସ୍ଥାନୀୟ ଲୋକ ଛାତ୍ରଛାତ୍ରୀ ମାନେ ମାଟିତଳେ ଚାପି ହୋଇଯାଇଥିବା ଦେଖି ତୁରନ୍ତ ଆସି ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ । ମାଟି ତଳେ ଚାପିହୋଇଯିବା ଫଳରେ ମାନସୀର ପ୍ରାଣବାୟୁ ଉଡିଯାଇଥିବାବେଳେ ଅନ୍ୟ ୩ ଜଣ ଛାତ୍ର ଗୁରୁତର ଆଘାତ ହୋଇଥିଲେ । ଗ୍ରାମବାସୀମାନେ ତୁରନ୍ତ ବାସୁଦେବପୁର ଡାକ୍ତରଖାନା ନେଇ ଆସିଥିଲେ । ଏଠାରେ ମାନସୀକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୩ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଭଦ୍ରକ ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ ବାସୁଦେବପୁର ବ୍ଲକ ଶିକ୍ଷାଧିକାରୀ ରବିନ୍ଦ୍ର ନାରାୟଣ ମଲ୍ଲିକ ଡାକ୍ତରଖାନାରେ ପହଞ୍ଚି ମୃତ ମାନସୀଙ୍କ ପରିବାରକୁ ସାନ୍ତ୍ୱନା ଦେବା ସହିତ ଆହତମାନଙ୍କୁ ତୁରନ୍ତ ଭଦ୍ରକ ଡାକ୍ତରଖାନା ପଠାଇବାରେ ସାହାଯ୍ୟକରିଥିଲେ । ଅନ୍ୟପକ୍ଷରେ ଉକ୍ତ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମାନେ ଆସି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କର ମୃତୁ୍ୟ ଓ ଆହତର କାରଣ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କର ବୋଲି ଦାୟୀ କରି ବିଦ୍ୟାଳୟକୁ ତାଲା ପକାଇରଖିଥିଲେ । ପରେ ବାସୁଦେବପୁର ଥାନାଧିକାରୀ ଉମାଶଙ୍କର ନାୟକ ଘଟଣାସ୍ଥଳରେ ପହଞ୍ଚିି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ବିଦ୍ୟାଳୟରେ ଥିବା ଛାତ୍ରଛାତ୍ରୀମାନଙ୍କୁ ଛାଡିଦେଇଥିଲେ । ହେଲେ ଦାବି ପୂରଣ ନହେବାଯାଏ ବିଦ୍ୟାଳୟରେ ଥିବା ଶିକ୍ଷକଶିକ୍ଷୟତ୍ରୀମାନଙ୍କୁ ଗ୍ରାମବାସୀମାନେ ଅଟକ କରିରଖିଥିଲେ । ପରେ ଖବରପାଇ ବାସୁଦେବପୁର ତହସିଲଦାର ପ୍ରକାଶ କୁମାର ରାଉଳ, ବ୍ଲକ ଶିକ୍ଷାଧିକାରୀ ଶ୍ରୀ ମଲ୍ଲିକ ଉକ୍ତ ବିଦ୍ୟାଳୟ ନିକଟରେ ପହଂଚି ବିନାୟକପୁର ପ୍ରାଥମିକ ବିଦ୍ୟାଳୟର ଦାୟୀତ୍ୱରେ ଥିବା ପ୍ରଧାନ ଶିକ୍ଷକ ଶରତ କୁମାର ବାରିକଙ୍କୁ ନିଲମ୍ବିତ କରିଥିଲେ । ପରେ ଲୋକମାନଙ୍କର ଦାବି ତୁରନ୍ତ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀମାନେ ବିଦ୍ୟାଳୟର ଚାବି ଖୋଲିଥିଲେ ।




Powered by odothemes.com