ମରାମତି ନହେବାରୁ ରାସ୍ତାରେ ତଳି ରୋଇଲେ ଲୋକେ | ସର୍ବସାଧାରଣ ଖବରକାଗଜ
UNSAFE-ROAD-FROM-SINGHIBILA-TO-BAULDIHI-CHHAKA--(2)

ମରାମତି ନହେବାରୁ ରାସ୍ତାରେ ତଳି ରୋଇଲେ ଲୋକେ

138

ହରିଚନ୍ଦନପୁର(ଆପ୍ର): ଜରାଜୀର୍ଣ୍ଣ ପାଲଟିଛି ସିଂହବିଲ୍ଲା ଠାରୁ ଭାୟା ଚଷାଟାଙ୍ଗିରୀ, ଭଅଁରପୁର, ବଡପଳାଶପାଳ ଦେଇ ବଉଳଡିହି ଛକ ପର୍ଯ୍ୟନ୍ତ ଯାଇଥିବା ରାସ୍ତା । ଜିଲ୍ଲା ପ୍ରଶାସନ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ନିକଟରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ସ୍ଥାନୀୟ ଲୋକେ ବାରମ୍ବାର ମରାମତି ଲାଗି ଦାବି କରିବା ପରେ ବି ପ୍ରଶାସନର ଚେତା ପଶିଲାନାହିଁ ତେଣୁ ପ୍ରତିବାଦ ସ୍ୱରୂପ ଭଅଁରପୁର ଛକରେ ଗ୍ରାମବାସୀ ଧାନ ତଳି ଲଗାଇଛନ୍ତି । ଆଗାମୀ ଦିନରେ ରାସ୍ତା ମରାମତି ନକରାଗଲେ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ଏହି ରାସ୍ତା ଉପରେ ଛଅ/ସାତଟି ପଞ୍ଚାୟତର ହଜାର ହଜାର ଜନସାଧାରଣ ନିର୍ଭର କରୁଛନ୍ତି । ଏହାର ମରାମତି ଲାଗି ପ୍ରଶାସନ କାହିଁକି ପଦକ୍ଷେପ ନେଉନି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ରାସ୍ତା ଖରାପ ଯୋଗୁ ଦୈନିକ ଛୋଟ ବଡ ଦୁର୍ଘଟଣା ବି ଘଟୁଥିବା ନଜିର ରହିଛି । ଗମନାଗମନର ସୁବିଧା ନିମନ୍ତେ ରାସ୍ତାଘାଟର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରୁଥିଲେ ବି ତାହାର ସଫଳ ରୂପାୟନ ହୋଇପାରୁନି । ରାଜନୈତିକ ଅକ୍ରୋଶର ଶିକାର ହେଉ ବା ପ୍ରଶାସନର ଇଚ୍ଛାଶକ୍ତି ଅଭାବରୁ ହେଉ ଏବେ ବି ଏହି ବ୍ଲକର ଅଧିକାଂଶ ରାସ୍ତା ଅବସ୍ଥା ଶୋଚନୀୟ ।
ସିଂହବିଲ୍ଲା ଠାରୁ ବଉଳଡିହି ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ଜନସାଧାରଣ ଯିବାକୁ ନାକ ଟେକୁଛନ୍ତି । ପିଚୁ ରାସ୍ତାରେ ନ ଯାଇ ପିଚୁର ଉଭୟ ପାଶ୍ୱର୍ରେ ଥିବା ମୋରମ୍ ଉପରେ ଜନସାଧାରଣ ଯାତାୟାତ କରୁଥିବା ଦେଖାଯାଇଛି । ୧୫ କିଲୋମିଟର ରାସ୍ତାକୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗୁଛି । ତେବେ ସମସ୍ୟା ସମ୍ବନ୍ଧରେ ହରିଚନ୍ଦନପୁର ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠଯନ୍ତ୍ରୀ ଦେବବ୍ରତ ସେନାପତିଙ୍କୁ ପଚାରବାରୁ ସେ କହିଥିଲେ, ସିଂହବିଲ୍ଲା ଠାରୁ ଚଷାଟାଙ୍ଗିରୀ ପର୍ଯ୍ୟନ୍ତ ୫. ୭୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ପ୍ରଧାମନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଟେଣ୍ଡର ସରିଛି । ଖୁବଶୀଘ୍ର କାମ ଆରମ୍ଭ ହେବ । ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ତାପସ ରଞ୍ଜନ ଲେଙ୍କାକୁ ପଚାରିବାରୁ ସେ କହିଲେ ଯେ ଏହି ରାସ୍ତାର ୫.୭ କିଲୋମିଟର ରାସ୍ତାକୁ ପ୍ରଥମ ପର୍ଯ୍ୟାୟରେ ପିଏମଜିଏସୱାଇ ସ୍କିମରେ ସାମିଲ କରାଯାଇଛି । ବର୍ଷାଯୋଗୁଁ ମରାମତି ବନ୍ଦ ରହିଛି ।




Powered by odothemes.com