ଦରିଦ୍ର ମହିଳାଙ୍କ ଯାଆଁଳା ପୁଅ ଉଦ୍ଧାର

Cuttack Purighat Thana thare Udhara Sishu ku Child Line ku Astantaraa

ଭୁବନେଶ୍ୱର/କଟକ, ୧୧ା୬(ବୁ୍ୟରୋ): ଦାରିଦ୍ର୍ୟ-ପୁତ୍ରମୋହ-ମାତୃତ୍ୱର ବିଳାପ ଏବଂ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନର ଚକ୍ରବୁ୍ୟହ ମଧ୍ୟରେ ଘାଣ୍ଟି ହେଉଛି ଦୁଇଟି ନିଷ୍ପାପ ଜୀବନ । ଜନ୍ମ ହେବାର ମାତ୍ର ଦୁଇମାସ ୬ଦିନ ମଧ୍ୟରେ ଅନେକ କିଛି ଅଘଟଣର ମୁକସାକ୍ଷୀ ହୋଇଛନ୍ତି ଏହି ଯାଅାଁଳା ଭାଇ । ଜନ୍ମ କଲା ପିତାମାତାଙ୍କ ବ୍ୟତୀତ ଏମାନଙ୍କର ଯତ୍ନ ନେବାକୁ ଅଛନ୍ତି ଆହୁରି ଦୁଇଯୋଡ଼ା ପିତାମାତା । ମାତ୍ର ସମୟର ସୁଅରେ ଭାସି ଏମାନେ ପହଞ୍ଚିଛନ୍ତି ରାଜ୍ୟ ସରକାରଙ୍କ ଶିଶୁ କଲ୍ୟାଣ ବିଭାଗ ନିକଟରେ । ଜନ୍ମଠାରୁ ଏ ଯାବତ ଏହି ଯାଅାଁଳା ଭାଇଙ୍କ କାହାଣୀ ଯେତିକି ବେଦନାଦାୟକ ସେତିକି ଲଜ୍ଜାକର ମଧ୍ୟ । ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ବାଉଁଶଗହ ବ୍ଲକ ଗୌଉଡିଆ ଗାଁରେ ରଙ୍କ ନାଥ ମହାରଣା(୪୫)ଙ୍କ ଘର । ପତ୍ନୀ ନମିତା (୩୮), ଗୋଟିଏ ଝିଅ ଓ ୩ ପୁଅଙ୍କୁ ନେଇ ତାଙ୍କ ପରିବାର । ଦିନ ମଜୁରିଆ କାର୍ଯ୍ୟ କରି ରଙ୍କ ତାଙ୍କ ପରିବାର ପୋଷଣ କରିଥାନ୍ତି । ଗତ ଅପ୍ରେଲ୍ ୫ ତାରିଖରେ ନମିତାଙ୍କ ପ୍ରସବ ବେଦନା ହୋଇଥିଲା । ସ୍ୱାମୀ ରଙ୍କ ତାଙ୍କୁ ସ୍ଥାନୀୟ ଦର୍ପନାରାୟଣପୁର ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା, ହେଲେ ନମିତାଙ୍କ ଗର୍ଭରେ ଆଉ ଗୋଟିଏ ସନ୍ତାନ ରହିଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେଠାରୁ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା । କ୍ୟାପିଟାଲ୍ ହସ୍ପିଟାଲ୍ରେ ଅସ୍ତ୍ରୋପ୍ରଚାର କରାଯିବା ପରେ ପୁଣି ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା । ଦି୍ୱତୀୟ ସନ୍ତାନ ଜନ୍ମ ପରେ ନମିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିଲା । ପୁଣି ତାଙ୍କୁ କଟକ ଏସ୍ସିବିକୁ ସ୍ଥାନାନ୍ତରିତ କରାଯାଇଥିଲା । ପତ୍ନୀ ଅସୁସ୍ଥ ଦେଖି ରଙ୍କ ମାନସିକ ଭାରସ୍ୟାମ ହରାଇବସିଥିଲେ । କିଭଳି ଦୁଇଟି ସନ୍ତାନଙ୍କୁ ପାଳିବେ ବୋଲି ତାଙ୍କ ମୁଣ୍ଡ ବିନ୍ଧା ହୋଇଥିଲା । ଏହି ସମୟରେ ସେଠାରେ ଚିକିତ୍ସାଧୀନ ରୋଗୀ ତଥା କ୍ୟାପିଟାଲ୍ ହସ୍ପିଟାଲର ଅସ୍ଥାୟୀ କର୍ମଚାରୀ କୁନା ବେହେରା ତାଙ୍କୁ ସାହାଯ୍ୟ କରିବେ ବୋଲି କହି ଦ୍ୱିତୀୟ ସନ୍ତାନକୁ ନିଜ ଦାୟିତ୍ୱରେ ରଖିବାକୁ କହିଥିଲେ । ସେ କୁନାଙ୍କୁ ଦ୍ୱିତୀୟପୁତ୍ର ଦେଇଥିଲେ । ସେହି ସମୟରେ ନମିତା ଚେତାଶୂନ୍ୟ ଥିଲେ । ନମିତା ଭଲ ହୋଇ ଫେରିବା ପରେ ପୁତ୍ର ସନ୍ତାନକୁ ଫେରାଇଦେବେ ବୋଲି କୁନା କହିଥିଲେ । ପତ୍ନୀକୁ ନେଇ ରଙ୍କ କଟକ ଏସ୍ସିବିକୁ ପଳାଇଥିଲେ ।
ସେଠାରେ ପତ୍ନୀଙ୍କ ଚିକିତ୍ସା ପାଇଁ ନଗଦ ୧୫ ଶହ ଟଙ୍କା ଓ ୨ ବୋତଲ ରକ୍ତ ଆବଶ୍ୟକ ପଡିଥିଲା । ପତ୍ନୀକୁ ବଞ୍ଚାଇବା ପାଇ ରଙ୍କ ହସ୍ପିଟାଲ୍ର ସୁରକ୍ଷାକର୍ମୀ ଅଶ୍ୱିନୀ ଦଳେଇ ଓରଫ ଟୁକୁନାକୁ ମାତ୍ର ୫ ହଜାର ଟଙ୍କା ଓ ୨ଟି ରକ୍ତ ବଦଳରେ ପ୍ରଥମପୁତ୍ର ସନ୍ତାନକୁ ଦେଇଦେଇଥିଲେ । ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହେବା ପରେ ଗତ ୨୭ ତାରିଖରେ ନମିତା ନିଜ ଘରକୁ ଫେରିଥିଲେ । ମୋତେ ମୋ ସନ୍ତାନ ଆବଶ୍ୟକ ବୋଲି ନମିତା ଜିଦ୍ ଧରିଥିଲେ । ନିରୂପାୟ ହୋଇ ରଙ୍କ କୁନା ଓ ଟୁକୁନାଙ୍କ ନିକଟରେ ପହଞ୍ଚି ସନ୍ତାନଙ୍କୁ ଫେରାଇ ଦେବାକୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଶୁଣିନଥିଲେ । ଏସଂକ୍ରାନ୍ତରେ ରଙ୍କ କାଲି କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ଓ ଶିଶୁ କଲ୍ୟାଣ ବିଭାଗ ଘଟଣାର ତଦନ୍ତ କରି ଆଜି ସକାଳୁ ବଡଗଡ ସ୍ଥିତ କୁନା ବେହେରାଙ୍କ ପତ୍ନୀ ମାନସୀଙ୍କ କୋଳରୁ ଦ୍ୱିତୀୟ ସନ୍ତାନକୁ ଉଦ୍ଧାର କରିଥିଲେ । ଏହି ଘଟଣା ପ୍ରଚାରିତ ହେବା ପରେ ସନ୍ତାନକୁ ଫେରାଇଦେବା ପାଇ ଟୁକୁନା ଗଣମାଧ୍ୟମ ମାଧ୍ୟମରେ ସୂଚନା ଦେଇଥିଲେ । ରୁଚିକା ଚାଇଲ୍ଡ ଲାଇନ୍ ସଦସ୍ୟମାନେ କଟକ ଶିଶୁ ଭବନ ନିକଟରେ ପହଞ୍ଚି ଟୁକୁନାଙ୍କ ଠାରୁ ଆଉ ଏକ ପୁତ୍ର ସନ୍ତାନକୁ ଉଦ୍ଧାର କରିଥିଲେ । ଉଭୟ ସନ୍ତାନଙ୍କୁ ଉକ୍ତ ଚାଇଲ୍ଡ ଲାଇନ୍ରେ ରଖାଯାଇଛି । ଶିଶୁ କଲ୍ୟାଣ ବିଭାଗ ଘଟଣାର ତଦନ୍ତ କରୁଛି । ତଦନ୍ତ ପରେ ଦୁଇ ସନ୍ତାନ କାହା କୋଳକୁ ଫେରିବେ ତାହା ଜଣାପଡିବ । ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ଗୌଉଡିଆ ଗାଁରେ ପହଞ୍ଚି ତଦନ୍ତ କରିବା ସହ ନମିତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି ।