ପଦୋନ୍ନତି ବିବାଦ: ସଚିବାଳୟରେ କର୍ମଚାରୀ ଅଶାନ୍ତି

44

ଭୁବନେଶ୍ୱର, ୧୧ା୬ (ବୁ୍ୟରୋ) : ବିଭାଗୀୟ ପଦୋନ୍ନତି କମିଟି (ଡିପିସି) ବୈଠକକୁ କେନ୍ଦ୍ର କରି ଆଜି ସଚିବାଳୟରେ କର୍ମଚାରୀ ଅଶାନ୍ତି ଦେଖାଯାଇଛି । ଯେଉଁ ଗ୍ରେଡେସନ୍ ତାଲିକା ପ୍ରସ୍ତୁତ କରାଯାଇଛି ତାହା ତ୍ରୁଟିପୂର୍ଣ୍ଣ ବୋଲି ସଚିବାଳୟର ଅନୁସୂଚୀତ ଜାତି (ଏସ୍ସି) ଓ ଅନୁସୂଚୀତ ଜାତି ବର୍ଗ(ଏସ୍ଟି) ଦର୍ଶାଇ ଡିପିସି ବୈଠକ ନକରିବା ପାଇଁ ଦାବି କରିଥିଲେ । ମାତ୍ର ଅତିରିକ୍ତ ମୁଖ୍ୟ ସଚିବ ଅର୍ଥ ଆର୍. ବାଲ୍କ୍ରିଷ୍ଣନ୍ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବାରୁ ସେମାନେ ସେଠାରେ ଧାରଣା ଦେବା ସହ ଏହାକୁ ବାତିଲ କରିବା ପାଇଁ ଦାବି କରିଥିଲେ । ଏସ୍ସି ଓ ଏସ୍ଟି ବର୍ଗର କର୍ମଚାରୀମାନଙ୍କ କହିବା ଅନୁଯାୟୀ ସାଧାରଣ ବର୍ଗର କର୍ମଚାରୀମାନେ ଡ଼େସ୍କ ଅଫିସର ଓ ଅନୁସଚିବ ପାହ୍ୟାକୁ ପଦୋନ୍ନତି ପାଉଛନ୍ତି । ମାତ୍ର ଏମାନଙ୍କ କ୍ଷେତ୍ରରେ ତାହା ହେଉ ନାହିଁ । ଯେଉଁ ଗ୍ରେଡ଼େସନ୍ ତାଲିକା ପ୍ରସ୍ତୁତ କରାଯାଇଛି ତାହା ସେହି ବର୍ଗର କର୍ମଚାରୀଙ୍କୁ ସୁହାଇଲା ଭଳି । ଡିପିସିକୁ ବାତିଲ କରିବା ପାଇଁ ଏହି ବର୍ଗର କର୍ମଚାରୀମାନେ ଗତକାଲି ଗୃହ ସଚିବଙ୍କୁ ଭେଟି ଜଣାଇଥିଲେ । ମୁଖ୍ୟ ସଚିବଙ୍କୁ ମଧ୍ୟ ଏ ସଂପର୍କରେ ଜଣାଇଥିଲେ । ମୁଖ୍ୟ ସଚିବ ମଧ୍ୟ ଡ଼ିପିସି ଏବେ କରାଯିବ ନାହିଁ ବୋଲି କହିଥିଲେ । ଗତକାଲି ଅପରାହ୍ନରେ ସାଧାରଣ ବର୍ଗର କର୍ମଚାରୀମାନେ ଡ଼ିପିସି କାହିଁକି ବସୁନାହିଁ ବୋଲି ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଉଭୟ ବର୍ଗର କର୍ମଚାରୀ ପଦୋନ୍ନତି ପ୍ରସଙ୍ଗରେ ମୁହାଁମୁଡିଁ ଅବସ୍ଥାକୁ ଆସିଛନ୍ତି । ହେଲେ ଆଜି ପୂର୍ବାହ୍ନରେ ଡ଼ିପିସି ବୈଠକ ବସିବାରୁ ଏସ୍ସି ଓ ଏସ୍ଟି ବର୍ଗର କର୍ମଚାରୀମାନେ ଏହାକୁ ବିରୋଧ କରିଥିଲେ । ସେମାନେ ଅର୍ଥ ସଚିବଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହିଁଥିଲେ ମଧ୍ୟ ତାଙ୍କୁ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍ ସୁଯୋଗ ଦେଇ ନଥିଲେ । ହୋ ହାଲ୍ଲା ମଧ୍ୟରେ ଡ଼ିପିସି ବୈଠକ ଶେଷ ହୋଇଥିଲା । ଏସ୍ସି ଓ ଏସ୍ଟି ବର୍ଗର କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଆଦିତ୍ୟ ପାଢୀଙ୍କୁ ସାକ୍ଷାତ କରି ମଧ୍ୟ ଏସଂପର୍କରେ ଅବଗତ କରାଇଥିଲେ । ଶ୍ରୀ ପାଢୀ ଏସଂପର୍କରେ ଆଲୋଚନା କରି ସମାଧାନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁଙ୍କୁ ଦାୟିତ୍ୱ ଦେଇଥିଲେ । ଓଡ଼ିଶା ସଚିବାଳୟ କର୍ମଚାରୀ ସଂଘର ସଂପାଦକ ବିବେକାନନ୍ଦ ସାମଲ କହିଛନ୍ତି, ଏସ୍ଟି ଓ ଏସ୍ସି କର୍ମଚାରୀଙ୍କୁ ଚାକିରରୁ ବାହାର କରିବା ପାଇଁ ଏ ଷଡ଼ଯନ୍ତ୍ର ଚାଲିଛି । ସାଧାରଣ ବର୍ଗର କର୍ମଚାରୀମାନେ ସଂଘର ଘରକୁ କଲ୍ୟାଣ ମଣ୍ଡପ ଭାବେ ବ୍ୟବହାର କରୁଛନ୍ତି । ଏବାବଦରେ ଯେଉଁ ଅର୍ଥ ଆସୁଛି ତାହାକୁ ଏସ୍ସି ଓ ଏସ୍ଟି ବର୍ଗର କର୍ମଚାରୀଙ୍କ ବିରୋଧରେ ଅଦାଲତରେ ଖର୍ଚ୍ଚ କରୁଛନ୍ତି । ଏସ୍ସି ଓ ଏସ୍ଟି ପରିଷଦର ସାଧାରଣ ସଂପାଦକ ଅନନ୍ତ କୁମାର ମାଝୀ କହିଛନ୍ତି, ସରକାର କାହା ସ୍ୱାର୍ଥ ରକ୍ଷା କରୁଛନ୍ତି ତାହା ଆମେ ଜାଣିବାକୁ ଚାହୁଁଛୁ । ଏସ୍ସି ଓ ଏସ୍ଟି କର୍ମଚାରୀଙ୍କ ପ୍ରତି ବୈମାତୃକ ମନୋଭଭାବ ପୋଷଣ କରାଯାଉଛି ବୋଲି ସେ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com