Iran-vs

ଆକାଶରୁ ମେଘ ଚୋରି କରୁଛି ଇସ୍ରାଏଲ!

74

ଇରାନ୍ର ଅଭିଯୋଗ
ତେହେରାନ୍(ଏଜେନ୍ସି): ପ୍ରତିପକ୍ଷ ଇସ୍ରାଏଲକୁ ନିଜ ପରମ ଶତ୍ରୁ ରାଷ୍ଟ୍ର ଭାବୁଥିବା ଇରାନ୍ ଏବେ ତା’ ବିରୋଧରେ ଏକ ବିଚିତ୍ର ଅଭିଯୋଗ କରିଛି । ଇରାନ୍ ସରକାର, ଇସ୍ରାଏଲ ବିରୋଧରେ ଅଭିଯୋଗ କରି କହିଛନ୍ତି ଯେ, ଏହା ଇରାନ୍ର ଆକାଶରୁ ମେଘ ଚୋରି କରି ନେଉଛି । ଇରାନ୍ରେ ଯେପରି ବର୍ଷା ନହୁଏ, ସେଥିପାଇଁ ଇସ୍ରାଏଲ ଏବେ ଉନ୍ନତ ଜ୍ଞାନକୌଶଳ ବଳରେ ଆକାଶ ମାର୍ଗରୁ ହିଁ ବାଦଲଖଣ୍ଡଗୁଡିକୁ ନିଜ ଆଡକୁ ଭସାଇନେବାରେ ଲାଗିଛି । ଇରାନ୍ର ଏପ୍ରକାର ଅଭିଯୋଗ ଆସିବା ପରେ କେବଳ ଇସ୍ରାଏଲ ନୁହେଁ ବରଂ ବିଶ୍ୱର ଅଧିକାଂଶ ରାଷ୍ଟ୍ର ଆଶ୍ଚର୍ଯ୍ୟଚକିତ ହୋଇପଡିଛନ୍ତି । ଇରାନର ସିଭିଲ୍ ଡିଫେନ୍ସ ମୁଖ୍ୟ ବ୍ରିଗେଡୟର ଜେନରାଲ ଗୁଲାମ୍ ରେଜା ଜଲାଲ ସୂଚନା ଦେଇ କହିଛନ୍ତି ଯେ, ଇସ୍ରାଏଲ, ଇରାନ୍ର ପାଣିପାଗକୁ ପ୍ରଭାବିତ କରି ଇରାନ୍ରେ ଯେପରି ବର୍ଷା ନ ହୁଏ ସେଥିପାଇଁ ଷଡଯନ୍ତ୍ର କରିଛି । ଇରାନ୍ ଆକାଶରୁ ବର୍ଷା ଥିିବା ମେଘକୁ ଦୈନିକ ଭାବେ ଚୋରି କରି ନିଆଯାଉଛି । ଇରାନ୍ର ଜଳବାୟୁ ପରିବର୍ତ୍ତନ ପଛରେ ଇସ୍ରାଏଲର ହିଁ ହାତ ରହିଛି ବୋଲି ବ୍ରିଗେଡିୟର ଜଲାଲ ଦୃଢ଼ାତାର ସହ କହିଛନ୍ତି । ତେବେ କେବଳ ଇସ୍ରାଏଲ ନୁହେଁ ଏହା ପଛରେ ଅନ୍ୟ କେତେକ ବିଦେଶୀ ଶକ୍ତିଙ୍କର ହାତ ଥିବା ମଧ୍ୟ ସେ କହିଛନ୍ତି । ବି୍ରଗେଡିୟରଙ୍କ କହିବାନୁସାରେ ଆଫଗାନିସ୍ତାନ୍ ଠାରୁ ମେଡିଟେରିଆନ ଯାଏ ବରଫ ପଡୁଛି, କେବଳ ଇରାନରେ ନାହିଁ, ଏହାର ଅର୍ଥ କ’ଣ ବୋଲି ଇରାନ୍ବାସୀ ନିଜେ ଚିନ୍ତା କରନ୍ତୁ । ଜଲାଲଙ୍କ କହିବାନୁସାରେ ଇରାନ୍ ଆକାଶରେ ଥିବା ମେଘ ଯେପରି ବର୍ଷା ନକରେ ସେଥିପାଇଁ ଇସ୍ରାଏଲ ଓ ଅନ୍ୟ ପଡୋଶୀ ଦେଶ ମିଳିତଭାବେ ଉଦ୍ୟମ କରୁଛନ୍ତି । ତେବେ ଜଲାଲଙ୍କ ଏପରି ଅଭିଯୋଗକୁ ନିଜ ଦେଶ ପାଣିପାଗ ବିଶେଷଜ୍ଞମାନେ ସମର୍ଥନ କରିନାହାନ୍ତି । ଇରାନ୍ ପାଣିପାଗ ବିଭାଗର ମୁଖ୍ୟ ଆହଦ ଭାଜିଫେ କହିଛନ୍ତି ଯେ, ହୁଏତ ବ୍ରିଗେଡିୟର ଜଲାଲଙ୍କ ପାଖରେ ସେ ସମ୍ପର୍କିିତ କିଛି ତଥ୍ୟ ଥାଇପାରେ, ଯାହାକି ସମସ୍ତଙ୍କୁ ଅଜଣା । ତେବେ ତାଙ୍କ ଜାଣିବାରେ, ଆକାଶମାର୍ଗରୁ ମେଘ କିମ୍ବା ବରଫ ଚୋରି କରିବା ସମ୍ଭବ ନୁହେଁ । ଇରାନରେ ସମ୍ପ୍ରତି ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନାକୁ ଭାଜିଫେ ସ୍ୱୀକାର କରିବା ସହ ଏହାକୁ ଏକ ବିଶ୍ୱସ୍ତରୀୟ ସମସ୍ୟା ଓ ଏଥିରେ ଯେ କେବଳ ଇରାନ ପ୍ରଭାବିତ ହେଉଛି ତାହା ନୁହେଁ ବୋଲି କହିଛନ୍ତି । ତେବେ ଇରାନ୍ ସରକାରଙ୍କୁ ଅନ୍ୟ ପ୍ରତି ଦୋଷାରୋପ କରିବା ବ୍ୟତିତ ଏବେର ପରିସ୍ଥିତିରୁ ବାହାରିବାର ରାସ୍ତା ବାହାର କରିବାକୁ ସେ ଏହି ଅବସରରେ ପରାମର୍ଶ ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com