korai-police-ra-press-meet-photo---9

ଅଶ୍ଲୀଳ ଫଟୋ ଭାଇରାଲ୍ ଧମକ ଦେଇ ମହିଳାଙ୍କୁ ବ୍ଲାକ୍ମେଲ୍

33

ଯାଜପୁର,୨୬ା୬(ଆପ୍ର): ଜଣେ ବିବାହିତା ମହିଳାଙ୍କ କିଛି ଅଶ୍ଲୀଳ ଭିଡିଓ ଓ ଫଟୋକୁ ଭାଇରାଲ୍ କରିବାର ଭୟ ଦେଖାଇ ୫ ଲକ୍ଷ ଟଙ୍କା ମାଗି ବ୍ଲାକ୍ମେଲ କରୁଥିବା ଯୁବକକୁ କୋରାଇ ପୁଲିସ କଟକରୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି । କୋରାଇ ଥାନା ଅଞ୍ଚଳର ଜଣେ ମହିଳା ତାଙ୍କର କିଛି ଅଶ୍ଲୀଳ ଫଟୋ ଓ ଭିଡିଓକୁ ଜଣେ ଯୁବକ ଭାଇରାଲ୍ କରିବାର ଭୟ ଦେଖାଇ ବ୍ଲାକ୍ମେଲ୍ କରୁଥିବାର ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ । ଚଳିତ ମାସ ୧୮ ତାରିଖରେ ହୋଇଥିବା ଏହି ଅଭିଯୋଗକ୍ରମେ ପୁଲିସ୍ ଗତକାଲି ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି । ଏନେଇ ବ୍ୟାସନଗର ଏସ୍ଡିପିଓ କେଦାରନାଥ ସାହୁ ଏବଂ କୋରାଇ ଥାନାଧିକାରୀ ଚିନ୍ମୟୀ ସାହୁ ଆଜି ଯାଜପୁରରୋଡ଼ ଥାନା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ଏସ୍ଡିପିଓ ଶ୍ରୀ ସାହୁଙ୍କ ସୂଚନା ମୁତାବକ ଗତ ମଇ ମାସରେ କୋରାଇ ଥାନା ଅନ୍ତର୍ଗତ ତାରାକୋଟ ଅଞ୍ଚଳର ଜଣେ ମହିଳାଙ୍କୁ କିଛିଦିନ ତଳେ ଏକ ଫୋନ୍କଲ୍ ଆସିଥିଲା । ଯେଉଁଥିରେ ଜଣେ ଯୁବକ ନିଜକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଡ. ସୁଦର୍ଶନ ପଣ୍ଡା ବୋଲି କହିବା ସହିତ ମହିଳା ଜଣକୁ ଅଙ୍ଗନୱାଡି କେନ୍ଦ୍ରର ସୁପର ଭାଇଜର ଭାବରେ ନିଯୁକ୍ତି ଦେବାପାଇଁ କହିଥିଲେ । ଚାକିରି ପାଇବା ପାଇଁ ସମ୍ପୃକ୍ତ ମହିଳା ଜଣଙ୍କୁ ନିଜର ବାୟୋଡାଟା ସମେତ ନିଜ ଶରୀରର କୌଣସି ସ୍ଥାନରେ କ୍ଷତ ବା ଚିହ୍ନ ଅଛି କି ନାହିଁ ତାହାର ପ୍ରମାଣ ସ୍ୱରୁପ କିଛି ନଗ୍ନ ଫଟୋ ଦେବାକୁ କହିଥିଲେ । ପରେ ମହିଳା ଜଣକ ଯୁବକଙ୍କ କଥାରେ ପ୍ରଭାବିତ ହୋଇ ଚାକିରି କରିବା ଆଶାରେ ବାୟୋଡାଟା ସହିତ କିଛି ଅଶ୍ଲୀଳ ଫଟୋ ମଧ୍ୟ ମୋବାଇଲ୍ରେ ଦେଇଥିଲେ । ପରେ ଯୁବକ ଜଣକ ସେହି ଫଟୋକୁ ନେଇ ମହିଳା ଜଣଙ୍କୁ ବ୍ଲାକ୍ମେଲ୍ କରିବା ଆରମ୍ଭ କରିଥିଲେ । ଏପରିକି ନଗଦ ୫ଲକ୍ଷ ଟଙ୍କା ନଦେଲେ ଉକ୍ତ ଫଟୋକୁ ମହିଳାଙ୍କ ପରିବାର ସମେତ ସୋସିଆଲ୍ ମିଡିଆରେ ଭାଇରାଲ୍ କରିବା ପାଇଁ ଧମକ ଦେଇଥିଲେ । ପରେ ମହିଳା ଜଣକ ଏନେଇ ନିଜ ସ୍ୱାମୀଙ୍କୁ ଜଣାଇବା ପରେ ଚଳିତ ମାସ୧୮ ତାରିଖରେ କୋରାଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୁଲିସ୍ ୧୧୧/୧୮ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ପରେ ଫୋନ୍ ଆସିଥିବା ନମ୍ବରକୁ ଯାଞ୍ଚ କରିବା ସହିତ ମୋବାଇଲ୍ ଟ୍ରାକିଙ୍ଗ୍ କରି ନମ୍ବରଟି କଟକ ଜିଲ୍ଲା ବୈଦେଶ୍ୱରପୁର ଥାନା ଅଞ୍ଚଳର ବୋଲି ଜାଣିବାକୁ ପାଇଥିଲା । ପରେ ୨୪ ତାରିଖ କୋରାଇ ପୁଲିସ୍ର ଏକ ଟିମ୍ ବୈଦେଶ୍ୱରପୁର ଥାନାରେ ପହଞ୍ଚି ନମ୍ବରଟି ନିକଟସ୍ଥ ଖଜୁରିଆପଦା(ନୁଆସାହି) ଗ୍ରାମର ପରିଆ ନାୟକଙ୍କ ପୁଅ କବିର(୩୦)ର ବୋଲି ଜାଣିବାକୁ ପାଇଥିଲା । ଅଭିଯୁକ୍ତ କବିରକୁ ଗିରଫ କରି ତା ନିକଟରୁ ବ୍ୟବହାର ହୋଇଥିବା ମୋବାଇଲ୍ ଏବଂ ସିମ୍କାର୍ଡକୁ ଜବତ କରିବା ସହ ଦଫା ୪୧୭/ ୪୧୯/ ୪୨୦/୫୦୬/୩୪-ଆଇପିସି ଏବଂ ଆଟି ଆକ୍ଟ ୬୬ସି, ୬୬ଡି ଓ ୬୬ଇ ରେ ଆଜି କୋର୍ଟଚାଲାଣ କରିଛି ।

ସେଆର କରନ୍ତୁ:



Powered by odothemes.com