JALESWAR-SALIKOTHA-THARE-ABASTHITA-BAGISWARI-BIDYALAYA-O-MAHABIDYALAYA

ଜଣେ ପିଅନଙ୍କ ହାତରେ ୬୫ ଛାତ୍ରଛାତ୍ରୀଙ୍କ ଭାଗ୍ୟ

39

ବାଃ ବାଃରେ ସର୍ବଶିକ୍ଷା ଅଭିଯାନ!
ଜଳେଶ୍ୱର (ଅଜୟ ଚକ୍ରବର୍ତ୍ତୀ): ସରକାର ଶିକ୍ଷାର ବହୁଳ ପ୍ରଚାର କରି ପ୍ରତ୍ୟେକ ଶିଶୁ ଠାରୁ ପରିଣତ ବୟଷର ବ୍ୟକ୍ତିଙ୍କୁ ଶିକ୍ଷିତ କରିବା ପାଇଁ ଯୋଜନା ପ୍ରଣୟନ କରି ହଜାର ହଜାର କୋଟି ଖର୍ଚ୍ଚକରି ଚାଲିଛନ୍ତି । ମାତ୍ର ଠିକ୍ ରୂପେ କାର୍ଯ୍ୟକାରି ହୋଇପାରୁନି ଏସମସ୍ତ ଯୋଜନା । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍ ଆରୁହା ପଞ୍ଚାୟତ ଶାଳିକୋଠା ଗ୍ରାମର ବାଗୀଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟରେ । ସବୁ ଭାଷାର ମୂଳ ଭାଷା ହେଉଛି ସଂସ୍କୃତ । ମାତ୍ର ଉକ୍ତ ଭାଷାର ପ୍ରଚାର ପ୍ରସାର ପାଇଁ ଶିକ୍ଷା ବିଭାଗର ଆନ୍ତରିକତା କମ୍ ଦେଖିବାକୁ ମିଳିଛି । ୧୯୧୦ରେ ଓଡ଼ିଶାର ୨ୟ ସଂସ୍କୃତ ବିଦ୍ୟାଳୟ ଭାବେ ଜନ୍ମ ନେଇଥିଲା ଉକ୍ତ ବିଦ୍ୟାଳୟ । ୬ଷ୍ଠ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୫ ଟି ଶ୍ରେଣୀରେ ମୋଟ୍ ୮ ଶିକ୍ଷକ ଶିକ୍ଷାଦାନ କରିଆସୁଥିଲେ । ସେମାନଙ୍କ ମଧ୍ୟରୁ ସ୍ୱର୍ଗତ୍ ମାନଗୋବିନ୍ଦ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କାର୍ତ୍ତିକଚନ୍ଦ୍ର ଭୂୟାଁ, ଚିତ୍ତରଂଜନ ମହାପାତ୍ର, ପଣ୍ଡିତ ରବିନାରାୟଣ ରଥ, ତାରାକାନ୍ତ ଦାଶ, ଲଛମନ ପାଣିଗ୍ରାହୀ ଅବସର ନେଇଥିଲେ । ପରିଶେଷରେ ଡ.ଗୁରୁପ୍ରସାଦ ରାଉଳ ଚଳିତ ୨୦୧୮ ଫେବୃଆରୀରେ ମାସରେ ଅବସର ନେବା ପରେ କେହି ହେଲେ ଶିକ୍ଷକ ନାହାନ୍ତି । ଉକ୍ତ ବିଦ୍ୟାଳୟରେ କେବଳ ମାତ୍ର ୪ର୍ଥ ଶ୍ରେଣୀ କର୍ମଚାରୀ ରାମକୃଷ୍ଣ ଜେନା ଅଛନ୍ତି । ତାଙ୍କ ହାତରେ ୬୫ ଛାତ୍ରୀ ଛାତ୍ରଙ୍କ ଭାଗ୍ୟ ନିର୍ଭର କରୁଛି । ଉଲ୍ଲେଖ ଯୋଗ୍ୟ ଯେ, ୧୦୮ ବର୍ଷର ଉକ୍ତ ବିଦ୍ୟାଳୟରୁ କେତେ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ତଥା ରାଜ୍ୟବାହାରେ ସୁନାମ ଅର୍ଜନ କରିଛନ୍ତି । ଓଡ଼ିଶା ତଥା ଭାରତର ବହୁ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟାପନା କରି ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପୁରୀ ଜଗନ୍ନାଥ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ନୀଳକଣ୍ଠ ପତି, ପୁରୀ ସଦାଶିବ ସଂସ୍କୃତ ମହାବିଦ୍ୟାଳୟର ମୁଖ୍ୟ ଅତୁଲ ନନ୍ଦ, ରେଭେନ୍ସା ମହାବିଦ୍ୟାଳୟର ଯୁଧଷ୍ଠିିର ସାହୁଙ୍କ ସହିତ ରାଜ୍ୟପାଳ ପଦକପ୍ରାପ୍ତ ଶିକ୍ଷକ ରବିନାରାୟଣ ରଥ, ଲଛମନ ପାଣିଗ୍ରାହୀ ଓ ରାଷ୍ଟ୍ରପତି ପଦକପ୍ରାପ୍ତ ଶିକ୍ଷକ ଡ. ଗୁରୁପ୍ରସାଦ ରାଉଳ ଅନ୍ତର୍ଭୁକ୍ତ । ଉଚ୍ଚମାନର ଶିକ୍ଷାଦାନ ଯୋଗୁଁ ଏଠାକୁ ଓଡ଼ିଶାର କୋଣ ଅନୁକୋଣରୁ ବହୁ ଛାତ୍ରୀଛାତ୍ର ଶିକ୍ଷା ଗ୍ରହଣ କରିବା ପାଇଁ ଆସିଥାନ୍ତି । ଏଠାରେ ଗୋଟିଏ ପରିସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଅବସ୍ଥିତ । କିନ୍ତୁ ଏହି ଅନୁଷ୍ଠାନ ପ୍ରତି ସରକାରୀ ସ୍ତରରେ ବୈମାତୃକ ମନୋଭାବ ପାଇଁ ଦିନକୁ ଦିନ କମିବାକୁ ଲାଗିଛି ଛାତ୍ର ଛାତ୍ରୀ ସଂଖ୍ୟା । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ଏହି ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କଠାରୁ ଆରମ୍ଭ କରି ଶିକ୍ଷାମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରାଯାଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି । ଯେଉଁଥିର ଦେବ ଭାଷା ସଂସ୍କୃତ ପ୍ରତି ସରକାରଙ୍କ କେତେ ଦରଦ ତାହା ପ୍ରମାଣିତ ହେଉଛି । ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଶିକ୍ଷକ ନିଯୁକ୍ତି ଦେବା ଲାଗି ସାଧାରଣରେ ଦାବି ହୋଇଛି । ଅନ୍ୟଥା ଆନେ୍ଦାଳନ କରାଯିବ ବୋଲି ପଞ୍ଚାୟତର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ସଚେତନ ନାଗରିକ ଚେତାବନୀ ଦେଇଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ, ଗୋଟିଏ କ୍ୟାମ୍ପସରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଅବସ୍ଥିତ ।




Powered by odothemes.com