lal-singh

କାଶ୍ମୀର ସାମ୍ବାଦିକଙ୍କୁ ବିଜେପି ନେତାଙ୍କ ଧମକ

21

ସୀମା ଭିତରେ ରୁହ
ଶ୍ରୀନଗର, ୨୩ା୬: କାଶ୍ମୀରର ସାମ୍ବାଦିକମାନଙ୍କୁ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଲାଲ୍ ସିଂହ ଖୋଲା ଧମକ ଦେଇଛନ୍ତି । ସେ କହିଛନ୍ତି ଯେ ସାମ୍ବାଦିକମାନେ ଏଠି ଭ୍ରମାତ୍ମକ ବାତାବରଣ ସୃଷ୍ଟି କରିଛନ୍ତି । ଯଦି ଏଥିରୁ ସେମାନେ ନିବୃତ ନରୁହନ୍ତି, ତାହେଲେ ରାଇଜିଂ କାଶ୍ମୀରର ସମ୍ପାଦକ ସୁଜାତ ବୁଖାରୀଙ୍କ ଦଶା ଭୋଗିବେ । ସୂଚନାଯୋଗ୍ୟ, କିଛିଦିନ ତଳେ ସୁଜାତ ବୁଖାରୀଙ୍କୁ ଅଜଣା ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଥିଲେ । ଏହାପରେ ଶ୍ରୀ ସିଂହଙ୍କ ବୟାନ ଘଟଣାକୁ ସମ୍ପୂର୍ଣ୍ଣ ବିବାଦୀୟ କରିଛି । ଯାହାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି ।ଶ୍ରୀ ସିଂହ କହିଛନ୍ତି ଯେ କାଶ୍ମୀର ସାମ୍ବାଦିକମାନେ ଜୀବିତ ରହିବାକୁ ଚାହୁଁଥିଲେ, ସୀମା ଭିତରେ ରୁହନ୍ତୁ । ନିଜ ଯନô ନିଜେ ନିଅନ୍ତୁ । ଭାଇଚାରା ଭାଙ୍ଗନ୍ତୁ ନାହିଁ । ବିକାଶ ଗତିଶୀଳ ହେବ ବୋଲି ସେ କହିଛନ୍ତି । ଶ୍ରୀ ସିଂହ ଗତ ଏପ୍ରିଲରେ ପିଡିପି ନେତୃତ୍ୱାଧୀନ ସରକାରରୁ ଇସ୍ତଫା ଦେଇ କାଠୁଆ ନାବାଳିକା ଧର୍ଷଣ ଓ ହତ୍ୟା ମାମଲାର ସିବିଆଇ ତଦନ୍ତ ଲାଗି ଦାବି କରିଥିଲେ । ସେତେବେଳେ ମଧ୍ୟ ସେ ଗଣମାଧ୍ୟମକୁ ଦୋଷ ଦେଇଥିଲେ । ବିଶେଷକରି କାଶ୍ମୀରର ସାମ୍ବାଦିକମାନେ ଭୁଲ୍ ତଥ୍ୟ କାଠୁଆ ସମ୍ପର୍କରେ ପରିବେଷଣ କରିଛନ୍ତି ବୋଲି ଖୋଲାଖୋଲିଭାବେ କହିଥିଲେ । ଶ୍ରୀ ସିଂହଙ୍କ ସହିତ ତାଙ୍କ ସହଯୋଗୀ ଚନ୍ଦ୍ର ପ୍ରକାଶ ଗଙ୍ଗା ଇସ୍ତଫା ଦେଇ ଏପ୍ରିଲ ୧୩ରେ କାଠୁଆ ଗଣଧର୍ଷଣକାରୀ ଅଭିଯୁକ୍ତଙ୍କ ସପକ୍ଷରେ ହୋଇଥିବା ସମାବେଶରେ ଯୋଗଦେଇଥିଲେ । ସେତେବେଳେ ସେମାନେ କହିଥିଲେ ଯେ ଜାତୀୟ ଗଣମାଧ୍ୟମରେ ଯାହା ପ୍ରକାଶ ପାଉଛି ଓ ଯେଉଁ ଆଶଙ୍କା ସୃଷ୍ଟି କରାଯାଉଛି, ତାହା ଠିକ୍ ନୁହେଁ । ଘଟଣାକୁ ଭୁଲ୍ ଢଙ୍ଗରେ ଉପସ୍ଥାପିତ କରାଯାଉଛି । ଯାହା ସମଗ୍ର ଜମ୍ମୁ ଅଞ୍ଚଳରେ ଏକ ଖରାପ ବାତାବରଣ ସୃଷ୍ଟି କରୁଛି ବୋଲି ସେ କହିଥିଲେ ।




Powered by odothemes.com