copy-696x522

କବାଡ଼ିରୁ ମିଳିଲା ବିହାର ଦଶମ ବୋର୍ଡର ୪୨ ହଜାର ପରୀକ୍ଷା ଖାତା

37

ପାଟନା (ଏଜେନ୍ସି): ବିହାର ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ବୋର୍ଡ ପରୀକ୍ଷାର ଗାଏବ ହୋଇଯାଇଥିବା ୪୨,୪୦୦ ପରୀକ୍ଷା ଖାତା ଜଣେ କବାଡ଼ିବାଲା ପାଖରୁ ମିଳିଛି । ସ୍କୁଲ ପିଅନ ପରୀକ୍ଷା ଖାତାଗୁଡ଼ିକୁ ମାତ୍ର ୮,୫୦୦ ଟଙ୍କାରେ କବାଡିବାଲାଙ୍କୁ ବିକି ଦେଇଥିଲା । ପୁଲିସ୍ କବାଡ଼ିବାଲା ପପୁ କୁମାର ଗୁପ୍ତାଙ୍କ ଦୋକାନ ଉପରେ ଚଢ଼ଉ କରି ସମସ୍ତ ପରୀକ୍ଷା ଖାତା ଜବତ କରିଛି । ଏହି ଘଟଣାରେ ପୁଲିସ୍ ପପୁ କୁମାର ଏବଂ ତାର କର୍ମଚାରୀ ସନ୍ତୋଷକୁ ଗିରଫ କରିଛି ।ଉଲ୍ଲେଖ ଯେ ବିହାର ଦଶମ ବୋର୍ଡ ପରୀକ୍ଷା ଫଳ ଜୁନ୍ ୨ଠରେ ପ୍ରକାଶ ପାଇବାର ଥିଲା । କିନ୍ତୁ ପରୀକ୍ଷା ଖାତା ଗାଏବ ଥିବାରୁ ଫଳ ପ୍ରକାଶରେ ବିଳମ୍ବ ହେଉଥିଲା । ଜୁନ୍ ୧୯ରେ ଏହି କଥା ପଦାକୁ ଆସିଥିଲା । ଗୋପାଳଗଞ୍ଜ ଏସ୍ଏସ୍ ଦ୍ୱାଦଶ ହାଇସ୍କୁଲରୁ ପରୀକ୍ଷା ଖାତା ଗାଏବ ହୋଇଥିବା ଜାଣିବାକୁ ମିଳିଥିଲା । ଏନେଇ ହାଇସ୍କୁଲ ପ୍ରିନ୍ସପାଲ ପ୍ରମୋଦ କୁମାର ଶ୍ରୀବାସ୍ତବ, ପିଅନ ଛଟୁ ସିଂହ ଏବଂ ସୁରକ୍ଷା କର୍ମୀ ନାମରେ ମାମଲା ରୁଜୁ ହୋଇଥିଲା । ଏହାପରେ ବିହାର ମାଧ୍ୟମିକ ଶିକ୍ଷା ବୋର୍ଡ ପ୍ରିନ୍ସପାଲଙ୍କୁ ପାଟନା ବଦଳି କରିଦେଇଥିଲା ଓ ଏହି ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରାଯାଇଥିଲା । ଜେରାବେଳେ କବାଡ଼ିବାଲା କହିଛି ଯେ ୧୭ରୁ ୧୮ ଦିନ ପୂର୍ବରୁ ପିଅନ ଫୋନ୍ କରି କିଛି କାଗଜ ବିକିବାକୁ କହିଥିଲା ଓ ଫୋନରେ ଡିଲ୍ ହୋଇଥିଲା । ପରେ ସେ ୮,୫୦୦ ଟଙ୍କା ଦେଇ ଏକ ଅଟୋ ସାହାଯ୍ୟରେ ୧୨୧ କିଲୋର ପରୀକ୍ଷା ଖାତା ନିଜ ଦୋକାନକୁ ନେଇଥିଲା । ପରୀକ୍ଷା ଖାତା ଜବତ ହେବା ପରେ ଖାତା ମୂଲ୍ୟାୟନ କରାଯିବ ଓ ଜୁନ୍ ୨୬ରେ ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ସେଆର କରନ୍ତୁ:



Powered by odothemes.com