Dilpreet-Singh-in-action

ଭାରତର ଦମ୍ଦାର ଶୁଭାରମ୍ଭ

27

ଚାମ୍ପିଅନ୍ସ୍ ଟ୍ରଫି ହକି
ବ୍ରେଡା, ୨୩ା୬(ଏଜେନ୍ସି) : : ଅନ୍ତିମ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍ରେ ଭାରତୀୟ ହକି ଟିମ୍ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଦମ୍ଦାର ବିଜୟ ହାସଲ କରିଛି । ଶନିବାର ନେଦରଲ୍ୟାଣ୍ଡର ବ୍ରେଡା ସହରରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଭାରତ ୪-୦ରେ ପାକିସ୍ତାନକୁ ପରାସ୍ତ କରିଛି ।ଭାରତ ପକ୍ଷରୁ ରମନଦୀପ ସିଂହ, ଦିଲପ୍ରୀତି ସିଂହ, ମନଦୀପ ସିଂହ ଓ ଲଲିତ ଉପାଧ୍ୟାୟ ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ପାକିସ୍ତାନ ବିଜୟର କର୍ଣ୍ଣଧାର ସାଜିଥିଲେ । ତେବେ ଏସବୁ ବାଦ୍ ଦଳର ଡିଫେନ୍ସ ପାଇଁ ଏହି ମ୍ୟାଚ୍ ସ୍ମରଣୀୟ ହୋଇରହିବ । ଭାରତୀୟ ଡିଫେନ୍ସରେ ସୁରେନ୍ଦର କୁମାର, ବରୁଣ କୁମାର, ହରମନପ୍ରୀତ ସିଂହ ଆଦି ସମସ୍ତ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ । ବିଦାୟୀ କୋଚ୍ଙ୍କ ଗୁଡ୍ବୁକ୍ରେ ନଥିବାରୁ ଦଳରୁ ବିଦା ହୋଇଯାଇଥିବା ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଭେଟେରାନ୍ ଗୋଲକିପର ଶ୍ରୀଜେଶ ମଧ୍ୟ ୨-୩ଟି ଗୋଲକୁ ଚମକ୍ରାର ଭାବେ ଅଟକାଇଥିଲେ । ତେବେ ପାହାଡ଼ ଭଳି ଥିବା ଭାରତୀୟ ଡିଫେନ୍ସ ତାଙ୍କ ପାଖକୁ ବଲ୍ ଏତେଟା ଆସିବାକୁ ଦେଇ ନଥିଲେ, ବିଶେଷକରି ତୃତୀୟ କ୍ୱାର୍ଟରରେ ।ଖେଳର ପ୍ରଥମ କ୍ୱାର୍ଟରରେ କୌଣସି ଗୋଲ ହୋଇପାରି ନଥିଲେ ହେଁ ପରସ୍ପରକୁ ପରଖିବାରେ ସଫଳ ହୋଇଥିଲେ । ମାତ୍ର ଭାରତ ଫ୍ରଣ୍ଟଫୁଟ୍ରେ ରହିଥିଲା । ମାତ୍ର ଦ୍ୱିତୀୟ କ୍ୱାର୍ଟରରେ ଗୋଲ ସ୍କୋର ହୋଇଥିଲା । ଲଲିତ ଉପାଧ୍ୟାୟ ଓ ସିମରନଜିତ ସିଂହ ପାକ୍ ଗୋଲପୋଷ୍ଟ ଉପରେ ଆକ୍ରମଣ କରିଥିଲେ । ମ୍ୟାଚ୍ର ୨୬ତମ ମିନିଟ୍ରେ ମିଳିଥିବା ଏକ ସୁଯୋଗକୁ ରମନ୍ଦୀପ ଗୋଲରେ ପରିଣତ କରି ଦଳକୁ ୧-୦ରେ ଅଗ୍ରଣୀ କରିବା ସହ ପାକିସ୍ତାନକୁ ଚାପ ମଧ୍ୟକୁ ଠେଲି ଦେଇଥିଲେ । ପ୍ରଥମାର୍ଦ୍ଧ ସୁଦ୍ଧା ପାକିସ୍ତାନ କୌଣସି ଗୋଲ କରିବାରେ ସକ୍ଷମ ହୋଇ ନଥିଲା ।ମାତ୍ର ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେବା ମାତ୍ରେ ପାକିସ୍ତାନ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା । ଏପରି ମନେହେଉଥିଲା, ଯେମିତି ଭାରତୀୟ ଦଳର ସମସ୍ତ ରଣନୀତିକୁ ପାକିସ୍ତାନ ବିଗାଡ଼ିଦେବ । ବିଶେଷକରି ୦-୧ରେ ପଛୁଆ ଥିବା ପାକିସ୍ତାନ ତୃତୀୟ କ୍ୱାର୍ଟରରେ ମ୍ୟାଚ୍କୁ ବରାବର କରିବା ପାଇଁ ଘାଇଲା ହୋଇଉଠିଥିଲା । ଏହି ସମୟରେ ପାକ୍ ଘନଘନ ଆକ୍ରମଣ ପାଇଁ ଉଦ୍ୟମ କରୁଥିଲା । ମାତ୍ର ସେତେବେଳେ ଡିଫେନ୍ସ ଲାଇନ୍ ଗୋଲପୋଷ୍ଟ ସାମ୍ନାରେ ପାହାଡ଼ ଭଳି ଠିଆହୋଇ ବଲ୍କୁ ଜଗି ରହିଥିଲା । ତେବେ ଚତୁର୍ଥ କ୍ୱାର୍ଟରରେ ଉଭୟ ଦଳ ବରାବର ଆକ୍ରମଣ ପ୍ରତ୍ୟାକ୍ରମଣରେ ଲାଗିପଡ଼ିଥିଲେ । ଏହା ମଧ୍ୟରେ ଦିଲପ୍ରୀତ ସିଂହ ଏକ ଚମକ୍ରାର କରିଥିଲେ । ସୁରେନ୍ଦର କୁମାର ପାକିସ୍ତାନୀ ଆକ୍ରମଣକୁ ଅକାମୀ କରି ସିମରନଜିତଙ୍କୁ ପାସ୍ ଦେଇଥିଲେ । ସେ ଡି ଲାଇନ୍ ନିକଟରେ ଥିବା ଦିଲପ୍ରୀତଙ୍କୁ ପାସ୍ ଦେଇଥିଲେ । ତାଙ୍କ ପାଖରେ କେବଳ ଗୋଲକିପର ଥିଲେ । ମାତ୍ର ଦିଲପ୍ରୀତ ତାଙ୍କୁ ଚକ୍ମା ଦେଇ ବଲ ସିଧା ଗୋଲପୋଷ୍ଟ ଭିତରକୁ ମାରିଥିଲେ ଏବଂ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ ।ଏହାପରେ ପାକିସ୍ତାନୀ କୋଚ୍ ରୋଲଣ୍ଟ ଅଲ୍ଟେମନ୍ସ ଏକ ବିଚିତ୍ର ରଣନୀତି ଆପଣାଇଥିଲେ । ସେ ଗୋଲକିପର ଇମ୍ରାନ୍ ବଟ୍ଟଙ୍କୁ ହଟାଇଦେଇଥିଲେ । ଫଳରେ ପାକିସ୍ତାନ ଟିମ୍ ଗୋଲକିପର ବିନା ଖେଳିଥିଲା, ଯାହାର ଭରପୁର ଫାଇଦା ନେଇଥିଲା ଭାରତ । ମନଦୀପ ଲଗାତର ଡି ଲାଇନ୍ ପାଖାପାଖି ରହିଥିଲେ । ତାଙ୍କୁ ଯେତେବେଳେ ପାସ୍ ମିଳିଥିଲା, ସେ ପାକିସ୍ତାନୀ ଡିଫେଣ୍ଡରଙ୍କୁ ଚକ୍ମା ଦେଇ ଗୋଲ ସ୍କୋର କରି ୩-୦ରେ ଅଗ୍ରଣୀ କରାଇଥିଲେ । ମ୍ୟାଚ୍ ଶେଷ ହେବାର ଗୋଟିଏ ସେକେଣ୍ଡ ପୂର୍ବରୁ ରମନଦୀପଙ୍କ ଠାରୁ ପାସ୍ ପାଇଁ ଲଲିତ ଉପାଧ୍ୟାୟ ଶେଷ ଗୋଲ ସ୍କୋର କରି ୪-୦ରେ ବିଜୟୀ କରାଇଥିଲେ ।
ତେବେ ମ୍ୟାଚ୍ରେ ଭାରତକୁ ମିଳିଥିବା ଦୁଇଟି ପେନାଲ୍ଟି କର୍ଣ୍ଣରରୁ ଭାରତ କୌଣସି ଫାଇଦା ଉଠାଇପାରି ନଥିଲା । ରବିବାର ଦଳ ଆର୍ଜେଣ୍ଟିନା ଭଳି ଶକ୍ତିଶାଳୀ ଦଳ ସହିତ ଖେଳିବାକୁ ଯାଉଛି । ତେଣୁ ସେତେବେଳେ ଏହି ଭୁଲ ଦଳ ପାଇଁ ମହଙ୍ଗା ପଡ଼ିପାରେ । ଆର୍ଜେଣ୍ଟିନା ଡିଫେଣ୍ଡର ଶକ୍ତିଶାଳୀ ଥିବାରୁ ପେନାଲ୍ଟି କର୍ଣ୍ଣର ହିଁ ଭାରତ ପାଇଁ ଏକମାତ୍ର ପନ୍ଥା କହିଲେ ଚଳେ ।ପ୍ରକାଶ ଯେ ଗତ କିଛିଦିନ ଧରି ଭାରତ-ପାକିସ୍ତାନ ମ୍ୟାଚ୍ଗୁଡ଼ିକରେ ପାକିସ୍ତାନ ବ୍ୟାକ୍ଫୁଟରେ ରହିଆସିଛି । ମାତ୍ର କମନୱେଲ୍ଥ ଗେମ୍ସ ପରେ କୋଚ୍ ଅଦଳବଦଳ କରାଯାଇଥିବାରୁ ଏହା ଏକ ଏକ୍ସପେରିମେଣ୍ଟାଲ ମ୍ୟାଚ୍ ଥିଲା । ଯେଉଁଥିପାଇଁ ଏହି ମ୍ୟାଚ୍ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଥିଲା । ମୁଖ୍ୟକୋଚ୍ ଶୋର୍ଡ ମାରିନ୍ଙ୍କୁ ହଟାଇ ତାଙ୍କ ସ୍ଥାନରେ ହରେନ୍ଦ୍ର ସିଂହଙ୍କୁ ନିଯୁକ୍ତ କରାଯାଇ ପରୀକ୍ଷା ନିରୀକ୍ଷା ଆରମ୍ଭ କରାଯାଇଥିଲା, ଯାହା ସଫଳ ହୋଇଛି ବୋଲି ପାକିସ୍ତାନ ବିପକ୍ଷ ମ୍ୟାଚ୍ ପ୍ରମାଣ କରିଛି । ମାରିନ୍ଙ୍କ ସମୟରେ ଦଳର ଯେଉଁ ଦୁର୍ବଳତାଗୁଡ଼ିକ ଥିଲା, ହରେନ୍ଦ୍ର ସେସବୁକୁ ଦଳର ଶକ୍ତି ରୂପେ ପରିଚିତ କରାଇବାରେ ସଫଳ ହୋଇଛନ୍ତି ।




Powered by odothemes.com