ବସ୍‍ଭଡ଼ା ପୁଣି କମିଲା

ଭୁବନେଶ୍ୱର,୫ା୧୧(ବୁ୍ୟରୋ): ଦ୍ୱିତୀୟ ଦଫାରେ ଡିଜେଲ୍‍ ଲିଟର ପିଚ୍ଛା ୨ଟଙ୍କା ୪୧ ପଇସା ହ୍ରାସ ପାଇବାର ୬ ଦିନ ପରେ ରାଜ୍ୟ ସରକାର ପ୍ରଥମ ଦଫା ଭଳି ବସ୍‍ ଭଡା ହ୍ରାସ କରିଛନ୍ତି । ପରିବହନ ରାଷ୍ଟ୍ର ମନ୍ତ୍ରୀ ରମେଶ ମାଝୀଙ୍କ ସୂଚନା ଅନୁଯାୟୀ ସାଧାରଣ/ଏକ୍ସପ୍ରେସ୍‍ ଭଡା କିଲୋ ମିଟର ପିଛା ମାତ୍ର ୧ ପଇସା କମିବ । ତେବେ ଏସବୁ ବସ୍‍ରେ ସର୍ବନିମ୍ନ ଭଡା ୫ଟଙ୍କାରୁ କମ୍‍ ହେବନାହିଁ । ସେହିପରି ଡିଲକ୍ସ ଏବଂ ଏସି ଡିଲକ୍ସ ବସ୍‍ ଭଡା କିଲୋ ମିଟର ପିଚ୍ଛା ମାତ୍ର ୨ ପଇସା ଲେଖାଏଁ କମିବ । ଦୂରତ୍ୱ ନିର୍ବିଶେଷରେ ଏସବୁ ବସ୍‍ରେ ସର୍ବନିମ୍ନ ଭଡା ୧୩ ଟଙ୍କା ଧାର୍ଯ୍ୟ କରାଯାଇଛି । ରାଜ୍ୟରେ ଚଳାଚଳ କରୁଥିବା ଟାଉନ୍‍ବସ୍‍ ବ୍ୟତୀତ ଅନ୍ୟ ସମସ୍ତ ସରକାରୀ ଓ ବେସରକାରୀ ବସ୍‍ ପାଇଁ ନୂଆ ଭଡା ଆଜିଠାରୁ ଲାଗୁ ହୋଇଛି । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସାଧାରଣ ବସ୍‍ରେ ଯାତ୍ରୀଭଡା କିଲୋମିଟର ପିଛା ୬୨ ପଇସା କରାଯାଇଛି । ସାଧାରଣ ବସ୍‍ରେ ସର୍ବନିମ୍ନ ଯାତ୍ରୀଭଡ଼ା ୫ ଟଙ୍କା ରଖାଯାଇଛି । ଏକ୍ସପ୍ରେସ ବସ୍‍ ପାଇଁ ଯାତ୍ରୀଭଡ଼ା କିଲୋମିଟର ପିଛା ୬୫ ପଇସା, ଡିଲକ୍ସ ବସ ପାଇଁ କିଲୋମିଟର ପିଛା ୮୫ ପଇସା ଓ ଏସି ଡିଲକ୍ସ ବସ୍‍ ପାଇଁ କିଲୋମିଟର ପିଛା ୧ ଟଙ୍କା ୦୪ ପଇସା ଧାର୍ଯ୍ୟ କରାଯାଇଛି ।