naveen

ସ୍ୱତନ୍ତ୍ର ପାହ୍ୟା ଦିଅ

34

ନିତି ଆୟୋଗ ବୈଠକ ପୂର୍ବରୁ ରାଜ୍ୟର ଦାବି ଜଣାଇଥିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୮ା୬(ବୁ୍ୟରୋ): ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନଦେବା ନେଇ ବିରୋଧୀ ତମ୍ବିତୋଫାନ କରୁଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ବୈଠକକୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଯାଇପାରିନଥିଲେ ବୋଲି ସୂଚନା ଦିଆଯାଇଥିଲା । ଅପରପକ୍ଷରେ ବୈଠକରେ ଓଡ଼ିଶାର ଦାବିକୁ ସେ ପତ୍ର ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ରାଜ୍ୟ ପ୍ରଦାନ କରିବା ସହ କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବା ଲାଗି ପଦକ୍ଷେପ ନେବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହାଛଡ଼ା ଆୟୁଷ୍ମାନ ଭାରତ ଯୋଜନା ପରିବର୍ତ୍ତେ ରାଜ୍ୟ ସରକାର ଆରମ୍ଭ କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂପର୍କରେ ମଧ୍ୟ ମତ ରଖିଛନ୍ତି । ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ଏହି ଚିଠି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଲେଖିଛନ୍ତି ।
ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ସର୍ବଦା ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖୀନ ହେଉଛି । ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସଂଖ୍ୟା ଅଧିକ ରହିଛି । ତେଣୁ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନ କରାଯାଉ । ସେହିଭଳି କୃଷି କ୍ଷେତ୍ରରେ ଅଧିକ ଅଭିବୃଦ୍ଧି ପାଇଁ ଚାଷୀଙ୍କର ସର୍ବନିମ୍ନ ସହାୟକ (ଏମ୍ଏସପିି) ମୂଲ୍ୟକୁ ବୃଦ୍ଧି କରାଯିବା ଆବଶ୍ୟକ । କେନ୍ଦ୍ର ବଜେଟ୍ରେ ଏମ୍ଏସ୍ପି ଦେଢ଼ଗୁଣା କରାଯିବ ବୋଲି ଘୋଷଣା କରାଯାଇଥିଲେ ହେଁ ଏପର୍ଯ୍ୟନ୍ତ ତାହା କରାଯାଇନାହିଁ । ଚାଷୀଙ୍କ ଉତ୍ପାଦିତ ମୂଲ୍ୟଠାରୁ ଏମ୍ଏସ୍ପି ଦେଢ଼ଗୁଣା କରାଯାଉ । ସେହିଭଳି ଚାଷୀଙ୍କ ଋଣଛାଡ଼ ଲାଗି ଏକ ଜାତୀୟ ନୀତି ପ୍ରଣୟନ କରାଯାଉ । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ସମର୍ଥନ କରିବେ । ସେହିଭଳି କେନ୍ଦ୍ର ସରକାର କ୍ରେଡିଟ୍ ଗ୍ୟାରେଣ୍ଟି ଟ୍ରଷ୍ଟ୍ ଫର୍ ଏଗ୍ରିକଲ୍ଚର୍ (ସିଜିଟିଏ) ଗଠନ ପାଇଁ ବିଚାର କରିବା ଆବଶ୍ୟକ । ଏହାଦ୍ୱାରା ଅଣୁ ଓ କ୍ଷୁଦ୍ରଶିଳ୍ପଗୁଡ଼ିକୁ ଋଣର ଗ୍ୟାରେଣ୍ଟି ଦିଆଯିବ । ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଓ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶସ୍ୟ ଋଣ ବିନା ବନ୍ଧକରେ ମିଳିପାରିବ । ଏଥିଲାଗି ସିଜିଟିଏ ଗ୍ୟାରେଣ୍ଟି ଦେବ । ସ୍ୱାମୀନାଥନ କମିଟି ସୁପାରିସକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।
ଆୟୁଷ୍ମାନ ଭାରତ ଯୋଜନା ଉପରେ ସେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର ବଜେଟ୍ରେ ଏହି ଘୋଷଣା ବେଶ୍ ସ୍ୱାଗତଯୋଗ୍ୟ । ଯଦି ଗରିବ ଲୋକମାନଙ୍କର ସ୍ୱାସ୍ଥ୍ୟ ଲାଗି ଅଧିକ ଖର୍ଚ୍ଚ ନକରିବା ତାହେଲେ ଦାରିଦ୍ର୍ୟ ସହିତ ଆମେ ଲଢ଼େଇ କରିପାରିବା ନାହିଁ । କିନ୍ତୁ ଏହି ଯୋଜନାରେ ସମସ୍ତେ ସାମିଲ ହେବା ଆବଶ୍ୟକ । ଏସ୍ଇସିସି ତଥ୍ୟକୁ ଆଧାର କରି ଏନ୍ଏଚ୍ପିଏସ୍ ହିତାଧିକାରୀ ଚୟନ କରୁଛି । ଏସ୍ଇସିସି ସର୍ଭେର ମାନଦଣ୍ଡ ୟୁପିଏ ସରକାର ଧାର୍ଯ୍ୟ କରିଥିଲେ । ଏଥିରେ ଅଧିକାଂଶ ଗରିବ ବାଦ୍ ପଡ଼ିଛନ୍ତି । ଏଥିଲାଗି ରାଜ୍ୟ ସରକାର ମମତା ଯୋଜନା, ଗ୍ରାମୀଣ ଗୃହ ନିର୍ମାଣ ଯୋଜନା, ରାଜ୍ୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା ଓ ଏନ୍ଏସ୍ଏଫ୍ଏ ଲାଗୁ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୮ ଲକ୍ଷ ପରିବାରର ପ୍ରାୟ ୪୦ ଲକ୍ଷ ଲୋକ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ସହାୟତା ସ୍କିମ୍ରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଯେଉଁମାନେ ଏସ୍ଇସିସି ସର୍ଭେରୁ ବାଦ୍ ପଡ଼ିଥିଲେ । ରାଜ୍ୟ ସରକାର ସମସ୍ତଙ୍କ ଲାଗି ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ଲାଗି ୭୦ ଲକ୍ଷ ପରିବାର ପାଇଁ ସ୍ୱାସ୍ଥ୍ୟ ସହାୟତା ଯୋଜନା ଆରମ୍ଭ କରିଛନ୍ତି । ଯଦି ରାଜ୍ୟର ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରନ୍ତି, ତାହେଲେଏନ୍ଏଚ୍ପିଏସ୍ରେ ରାଜ୍ୟ ସାମିଲ ହେବାରେ କିଛି ବାଧାନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ସୂଚନାଯୋଗ୍ୟ, ଗତକାଲିଠାରୁ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିତି ଆୟୋଗ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଓଡ଼ିଶା ସମେତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେଇନଥିଲେ । ବୈଠକକୁ ଯିବେ ନାହିଁ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ନିତି ଆୟୋଗକୁ ଜଣାଇଥିଲେ । ତେବେ ଓଡ଼ିଶାର ଦାବି ସମ୍ପର୍କରେ ସେ ପତ୍ର ମାଧ୍ୟମରେ ଉଲ୍ଲେଖ କରିଛନ୍ତି ।




Powered by odothemes.com