paniya-jala-prakalpa-(1)

କୋଟିଏରୁ ଊଦ୍ଧ୍ୱର୍ ଟଙ୍କାରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ

28

ନିଶ୍ଚିନ୍ତକୋଇଲି (ଆପ୍ର): ଆମ ଗାଁ ଆମ ବିକାଶ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଏନେଇ ଲକ୍ଷଲକ୍ଷ ଟଙ୍କା ମଞ୍ଜୁର କରାଯାଉଛି । ଏପରି ସ୍ଥଳେ ଦୀପ ତଳ ଅନ୍ଧାର ଭଳି ଖୋଦ୍ ନିଶ୍ଚିନ୍ତକୋଇଲି ବ୍ଲକ୍ ସଦର ମହକୁମାରେ ଥିବା ନିଶ୍ଚିନ୍ତକୋଇଲି ପଞ୍ଚାୟତ ପାନୀୟଜଳ ପ୍ରକଳ୍ପ ଦୀର୍ଘଦିନ ହେବ ଅଚଳାବସ୍ଥାରେ ଥିବା ଅଭିଯୋଗ ହୋଇଛି । ଫଳରେ ଯୋଜନାରେ ବିନିଯୋଗ ହୋଇଥିବା କୋଟିଏରୁ ଊଦ୍ଧ୍ୱର୍ ଟଙ୍କା ପାଣିରେ ପଡିବାର ଆଶଙ୍କା ସୃଷ୍ଟି ହୋଇଛି । ପ୍ରତିକାର ନିମନ୍ତେ ବିଭାଗୀୟ ସ୍ତରରେ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଟୋପାଏ ପାଣି ପାଇଁ ଲୋକେ ଡହଳବିକଳ ହେଉଥିବା ଦେଖିବାକୁ ମିଳିଛି । ପ୍ରକଳ୍ପଟିକୁ ଗତ ୧୯୯୯ ଫେବ୍ରୁଆରୀ ୧୩ରେ ତତ୍କାଳୀନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସେକ୍ ମତଲୁବ୍ ଅଲ୍ଲୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସ୍ଥାନୀୟ ଓଥକା ଗ୍ରାମବାସୀଙ୍କ ସହିତ ବ୍ଲକ୍ ହେଡ୍କ୍ୱାର୍ଟରର କର୍ମଚାରୀ ପ୍ରମୁଖ ଏହା ଉପରେ ନିର୍ଭର କରିଥା’ନ୍ତି । ବ୍ଲକ୍ କାର୍ଯ୍ୟାଳୟକୁ ଶହଶହ ଲୋକ ବିଭିନ୍ନ କାର୍ଯ୍ୟ ନିମନ୍ତେ ଦୈନିକ ଆସୁଥିଲେ ହେଁ ପ୍ରକଳ୍ପ ଅଚଳ ହେତୁ ଟୋପାଏ ପାଣି ପାଇଁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି । ସେହିପରି ସ୍ଥାନୀୟ ହାଟକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶହଶହ ବ୍ୟବସାୟୀ ଓ କୃଷକ ଆସୁଥିବାବେଳେ ଅଞ୍ଚଳରେ ପାଣି ସଂକଟ ପ୍ରମୁଖ କାରଣ ଭାବେ ଉଭା ହେଉଛି । ଅପରପକ୍ଷେ ପ୍ରତିବର୍ଷ ପ୍ରକଳ୍ପ ପାଇଁ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ ଯୋଗୁ ଠିକାଦାର ଓ ରାଜନେତାଙ୍କ ଭାଗ୍ୟର ପରିବର୍ତ୍ତନ ହେଉଥିବାବେଳେ ପ୍ରକଳ୍ପର ଭାଗ୍ୟ ବଦଳୁନାହିଁ । ଏପରିକି ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହେତୁ ପାଇପ୍ ଓ ଯନ୍ତ୍ରାଂଶଗୁଡିକ ବହୁ ସ୍ଥାନରେ ଫାଟିଯାଇଥିବା ଜଣାପଡିଛି । ଏହାଛଡା ପାଇପ୍ ଷ୍ଟାଣ୍ଡ୍ଗୁଡିକ ବି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ପ୍ରକାଶଯୋଗ୍ୟ, କେନ୍ଦ୍ରାପଡା ପ୍ରାକ୍ତନ ସାଂସଦ ବୈଜୟନ୍ତ ପଣ୍ଡା ଉକ୍ତ ସ୍ଥାନରେ ଓଭରହେଡ୍ ପାଣିଟାଙ୍କି ନିର୍ମାଣ ନେଇ ୨୪ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ମଞ୍ଜୁର କରିଥିବାବେଳେ ମାହାଙ୍ଗା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ନିକଟରେ ଏହାକୁ ଉଦ୍ଘାଟନ କରିଥିଲେ । ପ୍ରତିବର୍ଷ ପ୍ରକଳ୍ପ ମରାମତି ନିମିତ୍ତ ପଞ୍ଚାୟତର ନିର୍ବାଚିତ ଲୋକପ୍ରତିନିଧି ସରକାରୀ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରିଥା’ନ୍ତି । ହେଲେ ମରାମତି ଦିଗରେ କୌଣସି ପଦକ୍ଷେପ ନିଆଯାଏନାହିଁ । ପ୍ରତିକାର ପାଇଁ ଲୋକେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଏଥିପ୍ରତି କର୍ଣ୍ଣପାତ କରାଯାଉନଥିବା ଅଭିଯୋଗ ହୋଇଛି । ତୁରନ୍ତ ଅଚଳ ପ୍ରକଳ୍ପକୁ ସଚଳ କରିବା ନିମନ୍ତେ ପରିବାର ସ୍ୱେଚ୍ଛାସେବୀ ସଂଗଠନ ସଭାପତି ବଲ୍ଲଭ ଚରଣ ପଲେଇ, ସମ୍ପାଦକ ପ୍ରମୋଦ ନାୟକ, ଅଭୟ ବେହେରା, କମଳାକାନ୍ତ ସାହୁ ପ୍ରମୁଖ ଦାବି କରିଛନ୍ତି ।




Powered by odothemes.com