Bikashara-Bahu-Durare-Binodbiharipur-RIMULI--NEWS-Dt18

ବିକାଶଠୁ ଦୂରରେ ବିନୋଦବିହାରୀପୁର ଝରଣାସାହି

66

ରିମୁଳି (ଆପ୍ର): ସ୍ୱାଧୀନତାର ୭୧ ବର୍ଷ ପରେବି ବିଭିନ୍ନ ମୌଳିକ ସୁବିଧା ସୁଯୋଗରୁ ଝୁମ୍ପୁରା ବ୍ଲକ୍ ନିଶ୍ଚିନ୍ତପୁର ପଞ୍ଚାୟତ ବିନୋଦବିହାରୀପୁରର ମୁଣ୍ଡାସାହି (ଝରଣାସାହି) ବଞ୍ଚିିତ ଥିବା ଅଭିଯୋଗ ହେଉଛି । ଗାଁ ଜଙ୍ଗଲକୁ ଲାଗିରହିଥିବା ମୁଣ୍ଡାସାହିରେ ସମୁଦାୟ ୨୦ଟି ପରିବାର ବସବାସ କରୁଛନ୍ତି । ସମସ୍ତେ ଆଦିବାସୀ ଶ୍ରେଣୀର ହୋଇଥିବାବେଳେ ଲୋକସଂଖ୍ୟା ୧୦୦ରୁ ଊଦ୍ଧ୍ୱର୍ । ମାତ୍ର ସାହି ମଧ୍ୟକୁ ଆଜି ପର୍ଯ୍ୟନ୍ତ ରାସ୍ତାଟିଏ ଯାଇନି । ଫଳରେ ବର୍ଷାଦିନେ କାଦୁଅରେ ଯାତାୟାତ କରି ହନ୍ତସନ୍ତ ହେଉଥିବା ସାହିର ଗୁରୁଚରଣ ମୁଣ୍ଡା, ଜାମାଦାର ମୁଣ୍ଡା, ପ୍ରଶାନ୍ତ ମୁଣ୍ଡା, ମୋଟାଇ ମୁଣ୍ଡା, ରଇଦାସ ମୁଣ୍ଡା, ଲେମ୍ବୁଧର ମୁଣ୍ଡା, ବାଇଧର ମୁଣ୍ଡା, ଲାଦୁରା ମୁଣ୍ଡା, ସୁନେଇ ମୁଣ୍ଡା, ସମୋବାରୀ ମୁଣ୍ଡା, ବାଲାମା ମୁଣ୍ଡା, ଜୟନ୍ତି ମୁଣ୍ଡା ପ୍ରମୁଖ କହିଛନ୍ତି । ସେହିପରି ସାହିରେ ନଳକୂପଟିଏ ନଥିବାରୁ ବର୍ଷ ବର୍ଷ ଧରି ଲୋକେ ନିକଟ ଚୁଆପାଣି ବ୍ୟବହାର କରୁଛନ୍ତି । ଫଳରେ ବିଭିନ୍ନ ସମୟରେ ଜଳଜନିତ ରୋଗ ବ୍ୟାପୁଥିବା ଜଣାପଡିଛି । ଖରାଦିନେ ଚୁଆ ପାଣି ବ୍ୟବହାର କରୁଥିବା ବେଳେ ବର୍ଷାଦିନେ କାଦୁଅ ପାଣିକୁ ବ୍ୟବହାର କରୁଥିବା ଶ୍ରୀଚନ୍ଦ୍ର ମୁଣ୍ଡା କହିଛନ୍ତି । ଗାଧୋଇବା ପାଇଁ ପୋଖରୀଟିଏ ବି ନାହିଁ । ତେଣୁ ଖରାଦିନେ ସେମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ । ସାହିଟି ଜଙ୍ଗଲକୁ ଲାଗିରହିଥିବାରୁ ହାତୀ ଭୟରେ ସନ୍ଧ୍ୟାରୁ କେହି ପଦାକୁ ବାହାରନ୍ତିନାହିଁ । ବିଦୁ୍ୟତ୍ ଅଭାବରୁ ଅନ୍ଧାରରେ ପଢ଼ିବା ପାଇଁ ହଇରାଣ ହେଉଥିବାବେଳେ ଡିବିରି ଆଲୁଅ ସାହାଭରସା ବୋଲି ୧୦ମରେ ପଢ଼ୁଥିବା ବିଣାପାଣି ମୁଣ୍ଡା ଓ ସାପାନୀ ମୁଣ୍ଡା କହିଛନ୍ତି । ପଞ୍ଚାୟତରେ ମୁଣ୍ଡପିଛା ମାସକୁ ଅଧ ଲିଟର କିରୋସିନୀ ମିଳୁଥିବାବେଳେ ତାହା ମାସ ସାରା ଅଣ୍ଟେନାହିଁ ବୋଲି ସାହିର ଅନ୍ୟ ଜଣେ ବାସିନ୍ଦା ପ୍ରଶାନ୍ତ କହିଛନ୍ତି । ଭୋଟ ସମୟରେ ଏହି ସାହିର ସମସ୍ୟା ଦୂର କରିବା ପାଇଁ ନେତାମାନେ ପ୍ରତିଶ୍ରୁତି ଦେଇଥା’ନ୍ତି ସତ, କିନ୍ତୁ ନିର୍ବାଚନ ସରିଲା ପରେ ପ୍ରତିଶ୍ରୁତି ପାଣିର ଗାର ହୋଇ ମିଳାଇଯାଏ । ଏନେଇ ବହୁବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିପାରିନାହିଁ ବୋଲି ସେମାନେ ଦୁଃଖର ସହ କହିଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନଙ୍କୁ ତୁରନ୍ତ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com