chatisha-nijog-baitak

ସୁପ୍ରିମ କୋର୍ଟ ନିର୍ଦେଶ ପାଳନ ହେବ

27

ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି
ପୁରୀ, ୧୭ ।୬ (ବୁ୍ୟରୋ): ରଥଯାତ୍ରା ସମୟରେ ସେବାୟତମାନେ ୩ ରଥରେ ହୁଣ୍ଡି ସ୍ଥାପନ କରୁଥିଲେ । ଏହି ହୁଣ୍ଡିରେ ଭକ୍ତମାନେ ଦାନ ଅର୍ଥ ପକାଉଥିଲେ । ଏହାକୁ ସେବାୟତମାନେ ନିଜ ମଧ୍ୟରେ ଭାଗ ବାଣ୍ଟି ନେଇ ଯାଉଥିଲେ । ଫଳରେ ସେମାନେ ମାଲାମାଲ ହେଉଥିଲେ । ହେଲେ ଆସନ୍ତା ରଥ ଯାତ୍ରା ସମୟରେ ସେବାୟତମାନେ ଏପରି କରିପାରିବେ ନାହିଁ । ସେମାନେ ନିଜ ଆଡୁ କୌଣସି ହୁଣ୍ଡି ସ୍ଥାପନା କରି ପାରିବେ ନାହିଁ । ଯାହା ହୁଣ୍ଡି ବସିବ ସେଥିରେ ଶ୍ରୀମନ୍ଦିର ପ୍ରଶାସନ ବୋଲି ଉଲ୍ଲେଖ ରହିବ । ଫଳରେ ସମସ୍ତ ଦାନ ଅର୍ଥ ଶ୍ରୀମନ୍ଦିର ପ୍ରଶାସନକୁ ଯିବ । ଏହିପରି ନିଷ୍ପତ୍ତି ହୋଇଛି ରବିବାର ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଛତିଶା ନିଯୋଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପ୍ରଶାସକ କହିଲେ ଦାନ ସମ୍ପର୍କରେ ସୁପ୍ରିମକୋର୍ଟ ଯେଉଁ ନିଦେ୍ର୍ଦଶ ଜାରି କରିଥିଲେ ତାହାକୁ ଆମେ ଛତିଶା ନିଯୋଗର ପ୍ରତିନିଧିମାନଙ୍କୁ ଅବଗତ କରିଛୁ । ସେମାନେ ମଧ୍ୟ ଏହାକୁ ପାଳନ କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଅଛନ୍ତି । ସ୍ନାନ ପୂଣ୍ଣିମା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପାଉଣା ବାବଦରେ ସେବାୟତମାନଙ୍କ ଯେଉଁ ଅଂଶଧନ ରହିଛି ତାହା ସେମାନଙ୍କୁ ପ୍ରଦାନ କରାଯିବ । ଏଥିରେ କୌଣସି ପ୍ରକାର ପାତରଅନ୍ତର କରାଯିବ ନାହିଁ ବୋଲି ସେ କହିଛନ୍ତି ।




Powered by odothemes.com