delanga

ମୌସୁମୀ ଉଭାନ୍: କାଳବୈଶାଖୀ ତାଣ୍ଡବ

66

୭ ଜିଲ୍ଲାକୁ ସତର୍କ ସୂଚନା, ରାଜ୍ୟବ୍ୟାପୀ ଗ୍ରୀଷ୍ମପ୍ରବାହ ଜାରି
ଭୁବନେଶ୍ୱର/ଡେଲାଙ୍ଗ, ୧୭ା୬(ବୁ୍ୟରୋ): ରାଜ୍ୟକୁ ମୌସୁମୀ ପ୍ରବେଶ କରିଥିଲେ ବି ବର୍ଷାର ନାଁ ଗନ୍ଧ ନାହିଁ । ଖରାଦିନଠାରୁ ଅଧିକ ଉତ୍ତାପ ଏବେ ସମଗ୍ର ରାଜ୍ୟରେ ପରିଲକ୍ଷିତ ହେଉଛି । ପାଣିପାଗ ବିଭାଗ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୭ଟି ଜିଲ୍ଲାରେ କାଳବୈଶାଖୀ ହେବ ବୋଲି ସୂଚନା ଦେଇଛି । ବିଶେଷକରି ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଖୋର୍ଦ୍ଧା, ନୟାଗଡ଼, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ବିଜୁଳି ମାରୁଥିବା ସମୟରେ ଘରୁ ନବାହାରିବା ପାଇଁ କିମ୍ବା ଗଛମୂଳରେ ନଛିଡ଼ାହେବା ଲାଗି ବାରଣ କରାଯାଇଛି । ୭ ସହରର ତାପମାତ୍ରା ୪୦ଂ ଉପରେ ରହିଛି । ଆଜି ଅପରାହ୍ନରେ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ କାଳବୈଶାଖୀର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା । କାଳବୈଶାଖୀ ଆରମ୍ଭ ହେବା ସାଙ୍ଗକୁ କୁଆପଥର ବର୍ଷା ପ୍ରାୟ ୩୦ ମିନିଟ୍ ଧରି ଚାଲିଥିଲା । କଚାଘର ସବୁ ଉଡ଼ିଯିବା ସହ ରାସ୍ତାପାଶ୍ୱର୍ରେ ଥିବା ବଡ଼ବଡ଼ ବରଗଛ ଓ ଚାକୁଣ୍ଡା ଗଛ ଉପୁଡ଼ି ପଡ଼ିବା ଯୋଗୁ ଗମନାଗମନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି । ବିଦୁ୍ୟତ ତାର ଓ ଖୁଣ୍ଟ ସବୁ ଛିଡ଼ି ଯାଇଥିବାବେଳେ ଡେଲାଙ୍ଗ ଷ୍ଟେସନ ବଜାର ନିକଟରେ ଗଛଗୁଡ଼ିକ ଉପୁଡ଼ି ପଡ଼ିଛି । ବିଦୁ୍ୟତ ଟ୍ରାନ୍ସଫର୍ମର ଖୁଣ୍ଟ ଥେଣ୍ଟେଣାରେ ଭାଙ୍ଗିପଡ଼ିଛି । ଗୋବିନ୍ଦ ବିଶ୍ୱାଳ, ପ୍ରଫୁଲ୍ଲ ବିଶ୍ୱାଳ ଓ କୃଷ୍ଣ ବିଶ୍ୱାଳଙ୍କ ଘର ଉପରେ ଗଛ ପଡ଼ିଯିବାରୁ ଘର ଭାଙ୍ଗିବା ସହ ଆସବାବପତ୍ର ନଷ୍ଟ ହୋଇଛି । ସେହିଭଳି ପାଞ୍ଚବାଟିଆ ଗ୍ରାମର ରବି ଭୋଇ, ମୂରଲି ଭୋଇ, ସାରୁଭୋଇ, ଛୋଟା ଭୋଇ, ରେଞ୍ଚ ଗ୍ରାମର ଜମ୍ବେଶ୍ୱର ମହାରଣା, ଶଙ୍କର କାଣ୍ଡି, ଧଡ଼ିଆ କାଣ୍ଡି, ବେରବୋଇ ଗ୍ରାମର ଅରୁଣ ଉଦୟ ସ୍ୱାଇଁ, ନଚିକେତା ବିଶ୍ୱାଳ, ଜେନାପୁରର ଗ୍ରାମ ଶିବ ବସନ୍ତରା, ଅର୍ଜୁନ ଜେନା ଓ ଦୁର୍ଯେ୍ୟାଧନ ଜେନାଙ୍କ ଘର ଉପରେ ବଡ଼ ବଡ଼ ଗଛ ଭାଙ୍ଗିପଡ଼ିଛି । ସେହିଭଳି ସୂତାନଗର ଗ୍ରାମର ପ୍ରଫୁଲ୍ଲ ସେନଙ୍କ ଘର ଶହ ଶହ କୁକୁଡ଼ା ମରିଯାଇଥିବା ଜଣାପଡ଼ିଛି । ଉପରଗ୍ରାମର ଗତେଶ୍ୱର ଓ ବାଙ୍କେଶ୍ୱର ମନ୍ଦିରର ଦଧିନଉତି କାଳବୈଶାଖୀରେ ଉଡ଼ିଯାଇଛି । ବିଶେଷକରି ବେରବୋଇ, ଜେନାପୁର, ଚାଇଁପୁର, ଶ୍ରୀପୁରୁଷୋତ୍ତମପୁର, ଗୁଆଳିପଡ଼ା, ଡେଲାଙ୍ଗ କୋଠବାଡ଼, ଅରିସଲ ଆଦି ପଞ୍ଚାୟତରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଥିଲା । ପଟ୍ଟନାଇକିଆ-ଖୋର୍ଦ୍ଧା ଓ ଡେଲାଙ୍ଗ-ବ୍ରହ୍ମଗିରି ରାସ୍ତା ଉପରେ ଗଛ ପଡ଼ିବା ଯୋଗୁ ଗମନାଗମନ ବନ୍ଦ ହୋଇଯାଇଛି । କ୍ଷୟକ୍ଷତିର ଆକଳନ କରାଯାଇନାହିଁ । ବ୍ଲକ୍ ବିଜେଡି ସଭାପତି ବୈରାଗୀ ଜେନା, ପଞ୍ଚାୟତି ସମିତି ସଭ୍ୟ ଓ ସରପଞ୍ଚମାନେ କ୍ଷତିଗ୍ରସ୍ତ ଗ୍ରାମକୁ ଗସ୍ତ କରି କ୍ଷତିଗ୍ରସ୍ତଙ୍କୁ ସମବେଦନା ଜଣାଇଛନ୍ତି । ସୂଚନା ଅନୁଯାୟୀ, ଚାନ୍ଦବାଲିରେ ତାପମାତ୍ରା ୪୦ଂ ରେକର୍ଡ କରାଯାଇଥିଲାବେଳେ କଟକରେ ୪.୨ଂ, ଭୁବନେଶ୍ୱରରେ ୪୨.୩ଂ, ଅନୁଗୁଳରେ ୪୧.୩ଂ, ବାରିପଦାରେ ୪୦.୪ଂ, ଭବାନୀପାଟଣାରେ ୪୦.୨ଂ, ବଲାଙ୍ଗୀରରେ ୪୦.୬ଂ ରେକର୍ଡ କରାଯାଇଛି ।

ସେଆର କରନ୍ତୁ:



Powered by odothemes.com