1350-km

ମୁକ୍ତିକାନ୍ତଙ୍କ ଲାଗି ନେତାଙ୍କ ବୟାନବାଜି

133

ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ମନେପକାଇବାକୁ ୧୩୫ଠ କିମି ଚାଲିଛନ୍ତି
ଭୁବନେଶ୍ୱର, ୧୭ ।୬ (ବୁ୍ୟରୋ): ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରତିଶ୍ରୁତି ମନେପକାଇବା ପାଇଁ ରାଉରକେଲାରୁ ଦିଲ୍ଲୀ ଯାଏ ୧୩୫୦ କିମି ଚାଲିଚାଲି ଯାଇଛନ୍ତି ଯୁବକ ମୁକ୍ତିକାନ୍ତ ବିଶ୍ୱାଳ । ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ଆଗ୍ରାର ଏକ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି । ମୁକ୍ତିକାନ୍ତଙ୍କୁ ନେଇ ଏବେ ରାଜନୀତି ଜୋର୍ ଧରିଛି । କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଟ୍ୱିଟ୍ କରି କହିଛନ୍ତି ଯେ ୩ ବର୍ଷ ତଳେ ପ୍ରଧାନମନ୍ତ୍ରୀ ରାଉରକେଲାରେ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ସେ ତାହା ପାଳନ କରିନାହାନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ପାଳନ ନକରି ଲୋକଙ୍କୁ ମରିବା ପାଇଁ ଛାଡ଼ିଦେଇଛନ୍ତି । ଶ୍ରୀ ବିଶ୍ୱାଳଙ୍କୁ କଂଗ୍ରେସ ଓ ଭାରତବାସୀଙ୍କ ପକ୍ଷରୁ ମୁଁ ପ୍ରତିଶ୍ରୁତି ଦେଉଛି, ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଭବିଷ୍ୟତରେ ପୂରଣ କରାଯିବ । ସେହିଭଳି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ମୁକ୍ତିକାନ୍ତ ବିଶ୍ୱାଳଙ୍କର ଏହି ଉତ୍ସାହକୁ ଆମେ ସାଲୁଟ୍ କରୁଛୁ । ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ମନେପକାଇବା ପାଇଁ ସେ ୧୩୫୦ କିମି ଚାଲିବା ଓଡ଼ିଆଙ୍କ ପାଇଁ ଏକ ଆଦର୍ଶ ସୃଷ୍ଟି କରିଛନ୍ତି । ତାଙ୍କର ଏହି ସାହସ ବିଜେପି ସରକାରକୁ ଚେତାଇ ଦେବବୋଲି ସେ କହିଥିଲେ । ଜଣେ ବସ୍ତିବାସିନ୍ଦା ହୋଇ ଓଡ଼ିଆମାନଙ୍କ ସମସ୍ୟା ପ୍ରତି ସେ ଗୁରୁତ୍ୱ ଦେଇଥିବାରୁ ସେ ଧନ୍ୟବାଦର ପାତ୍ର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏ ସଂପର୍କରେ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି ଯେ ମୁକ୍ତିକାନ୍ତଙ୍କ ଲମ୍ବା ପଦଯାତ୍ରା କଂଗ୍ରେସ ଦୀର୍ଘ ଶାସନର ବିଫଳତାର ପ୍ରତୀକ । ବୋଧହୁଏ ରାହୁଲ ଗାନ୍ଧି ଅବଗତ ନାହାନ୍ତି ଯେ ଗତ କିଛିଦିନ ତଳୁ ଏହି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ କାମ ଆରମ୍ଭ ହୋଇସାରିଛି । ଏଥିଲାଗି ଡିପିଆର୍ ପ୍ରସ୍ତୁତ ହୋଇଛି । ୨୦୦ କୋଟି ଟଙ୍କାର ବ୍ୟୟ ଅଟକଳ ଚୂଡ଼ାନ୍ତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ବର୍ଣ୍ଣ ଓ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର କାର୍ଯ୍ୟ ୧୦ କୋଟି ଟଙ୍କା ବ୍ୟୟରେଅ ।ରମ୍ଭ ହୋଇଛି । ଜୁନ୍ ୨୦୧୯ ସୁଦ୍ଧା ଏହାର କାର୍ଯ୍ୟ ସଂପୂର୍ଣ୍ଣ ହେବ । କଂଗ୍ରେସ ୫୦ ବର୍ଷରୁ ଊଦ୍ଧ୍ୱର୍ କାଳ ଶାସନ କରି ଦେଶକୁ ପ୍ରତିଶ୍ରୁତି ଆଧାରରେ ପ୍ରଗତି ଦେଇଥିଲେ, ଏକଥା ଦେଶବାସୀଙ୍କୁ ଅଛପା ନାହିଁ । ମୋଦିଙ୍କ ୪ ବର୍ଷର ଶାସନରେ ବିକାଶ ଘରେ ଘରେ ପହଞ୍ଚôଛି । ରାହୁଲ ଗାନ୍ଧି ବୋଧହୁଏ ବିକାଶ ଦୌଡ଼ରେ ପଛରେ ପଡ଼ିଥିôବା ଓଡ଼ିଶା ମୋଦି ଶାସନରେ ନୀତିଗତ ପରିବର୍ତ୍ତନ ପାଇଁ ମିଳୁଥିବା ଆର୍ଥିକ ଲାଭ, ଭିତ୍ତିଭୂମି ବିକାଶ ଲାଗି ବହୁ ଆର୍ଥିକ ବ୍ୟୟ ବରାଦ ଅଥବା ସାଧାରଣ ଗରିବ ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ସୁବିଧା ଓ ସାମାଜିକ ସୁରକ୍ଷା ବ୍ୟବସ୍ଥା ବିଷୟରେ ଅବଗତ ହେଲେ ମଧ୍ୟ ଜାଣି ଅଜଣା ପରି ବ୍ୟବହାର କରୁଛନ୍ତି ।
ସୂଚନାଯୋଗ୍ୟ, ରାଉରକେଲା ବସ୍ତିରେ ରହୁଥିବା ମୁକ୍ତିକାନ୍ତ ବସ୍ତିବାସିନ୍ଦାଙ୍କର ଉନ୍ନତି ପାଇଁ କାର୍ଯ୍ୟ କରିଥାନ୍ତି । ରାଉରକେଲା ହସ୍ପିଟାଲକୁ ପ୍ରଧାନମନ୍ତ୍ରୀ ୩ ବର୍ଷ ତଳେ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ନିର୍ମାଣ କରିବେ ବୋଲି କହିଥିଲେ । ହେଲେ ତାହା ଏପର୍ଯ୍ୟନ୍ତ ହେଲାନାହିଁ । ଏହାକୁ ମନେପକାଇବା ପାଇଁ ସେ ରାଉରକେଲାରୁ ଏପ୍ରିଲ୍ ୧୬ରେ ପଦଯାତ୍ରା ଆରମ୍ଭ କରିଥିଲେ । ଦିଲ୍ଲୀରେ ପହଞ୍ଚôବାକୁ ଆଉ ୨୦୦ କିମି ତାଙ୍କୁ ଯାତ୍ରା କରିବାକୁ ପଡ଼ିବ । ପ୍ରଧାନମନ୍ତ୍ରୀଙ୍କୁ ଭେଟି ସେ ନିଶ୍ଚିତ ତାଙ୍କ ପ୍ରତିଶ୍ରୁତି ମନେପକାଇବେ ବୋଲି କହିଛନ୍ତି । ମୁକ୍ତିକାନ୍ତଙ୍କ କହିବା ଅନୁଯାୟୀ ପ୍ରଧାନମନ୍ତ୍ରୀ ରାଉରକେଲା ଇସ୍ପାତ ହସ୍ପିଟାଲ ଭଲ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେବା ସହ ଏହାକୁ ଆଦର୍ଶ ହସ୍ପିଟାଲ କରିବେ ବୋଲି କହିଥିଲେ । ମାତ୍ର ଏପର୍ଯ୍ୟନ୍ତ ତାହା ପୂରଣ ହୋଇପାରିନାହିଁ । ତାଙ୍କ ଗ୍ରାମବାସୀମାନେ ପ୍ରାୟ ଦୈନନ୍ଦିନ ଉପଯୁକ୍ତ ଚିକିତ୍ସା ଅଭାବରୁ ପ୍ରାଣ ହରାଉଛନ୍ତି । ତେଣୁ ସେ ଜାତୀୟ ରାଜପଥରେ ଚାଲିଚାଲି ମନେ ପକାଇବା ପାଇଁ ଏହି ଯାତ୍ରା ଆରମ୍ଭ କରିଥିଲେ । ସୁସ୍ଥ ହେବା ପରେ ବି ସେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଚାଲିବେ ବୋଲି କହିଛନ୍ତି ।




Powered by odothemes.com