ଏକକ ନିର୍ବାଚନ

62

ନୂଆଦିଲ୍ଲୀ, ୧୬ ।୬: ‘ଗୋଟିଏ ବର୍ଷ ଗୋଟିଏ ନିର୍ବାଚନ’ କରିବା ଲାଗି ପୁଣି ପ୍ରକ୍ରିୟା ଆରମ୍ଭ ହୋଇଛି । ବିଧି କମିଶନ ଏ ସଂପର୍କରେ ସବୁ ରାଜନୈତିକ ଦଳର ମୁଖ୍ୟଙ୍କୁ ଚିଠି ଲେଖି ମତାମତ ଲୋଡ଼ିଛନ୍ତି । ବର୍ତ୍ତମାନ ଦେଶରେ ୭ଟି ସ୍ୱୀକୃତିପ୍ରାପ୍ତ ଜାତୀୟ ଦଳ ଥିଲାବେଳେ ୩୯ଟି ଆଞ୍ଚଳିକ ଦଳ ରହିଛି । ବିଧି କମିଶନଙ୍କ ସୁପାରିସ ଅନୁଯାୟୀ ୨୦୧୯ରେ ସାଧାରଣ ନିର୍ବାଚନ ସହ ଅର୍ଦ୍ଧାଧିକ ରାଜ୍ୟର ବିଧାନସଭା ନିର୍ବାଚନ ଏବଂ ୨୦୨୪ରେ ସାଧାରଣ ନିର୍ବାଚନ ସହ ସବୁ ରାଜ୍ୟର ନିର୍ବାଚନ କରିବା ପାଇଁ ସୁପାରିସ କରାଯାଇଛି । ଏଥିଲାଗି ସମ୍ବିଧାନରେ ୫ଟି ସଂଶୋଧନ ହେବାର ଆବଶ୍ୟକତା ରହିଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଉପରେ ଗୁରୁତ୍ୱ ଦେଇଛନ୍ତି । ଏ ସଂପର୍କରେ ବିଧି କମିଶନଙ୍କୁ ସୁପାରିସ କରିବା ଲାଗି ପ୍ରସ୍ତାବ ଦିଆଯାଇଥିଲା । ବିଧି କମିଶନ ଏହି ମର୍ମରେ ଚିଠି ଲେଖି ସବୁ ରାଜନୈତିକ ଦଳକୁ ମତାମତ ଲୋଡ଼ିଛନ୍ତି । କମିଶନ ମଧ୍ୟ ଆସନ୍ତା ଜୁଲାଇ ୭ ଓ ୮ ତାରିଖରେ ଏ ସଂପର୍କରେ ଆଲୋଚନା ଲାଗି ବୈଠକ ଡାକିଛନ୍ତି । ଯଦି ରାଜନୈତିକ ଦଳ ଚାହିଁବେ, ଜୁନ୍ ୩୦ ତାରିଖ ସୁଦ୍ଧା ସେମାନଙ୍କ ଇଚ୍ଛା, ପ୍ରସ୍ତାବ ଓ ଆଭିମୁଖ୍ୟକୁ କମିଶନଙ୍କୁ ଜଣାଇପାରିବେ । ତେବେ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଅଧିକାଂଶ ରାଜ୍ୟ ଏବେ ବିଜେପି ଶାସିତ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପୁଡ଼ୁଚେରି ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ୱାମୀ କମିଶନଙ୍କୁ ତାଙ୍କ ଜବାବ ରଖିଛନ୍ତି । ଯୋଗୀ ଆଦିତ୍ୟନାଥ ଏହାକୁ ସମର୍ଥନ କରିଥିଲାବେଳେ ନାରାୟଣସ୍ୱାମୀ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । କମିଶନ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏସଂପର୍କରେ ଏକ ଗଠନମୂଳକ କଥାବାର୍ତ୍ତା ନେଇ ଉଦ୍ୟମ ଆରମ୍ଭ କରନ୍ତୁ । ଏକ ସମୟରେ ନିର୍ବାଚନ ହେଲେ ସରକାରକୁ କାର୍ଯ୍ୟକରିବା ପାଇଁ ଅନେକ ସମୟ ମିଳିବ । ବାରମ୍ବାର ନିର୍ବାଚନ ହେବା ଯୋଗୁ ଦେଶ ଉପରେ ଆର୍ଥିକ ବୋଝ ବହୁ ପରିମାଣରେ ପଡ଼ୁଛି । ଯଦି ଏକ ସମୟରେ ନିର୍ବାଚନ ହୁଏ, ତାହେଲେ ୨୦୦୯ ଓ ୨୦୧୪ରେ ନିର୍ବାଚନ ଲାଗି ଖର୍ଚ୍ଚ ହେଉଥିବା ଅର୍ଥରୁ ଯଥାକ୍ରମେ ପ୍ରାୟ ୧୧୦୦ କୋଟି ଓ ୪ ହଜାର କୋଟି କମାଯାଇପାରିବ । ଏପ୍ରିଲ୍ ୧୭ରେ ଏସଂପର୍କରେ ସାଧାରଣ ଲୋକଙ୍କ ମତାମତ ମଧ୍ୟ କମିଶନ ଲୋଡ଼ିଛନ୍ତି । ଏପ୍ରିଲ୍ ୧୬ରେ ଆଇନ୍ ବ୍ୟାପାର ବିଭାଗ ପକ୍ଷରୁ ମଧ୍ୟ ବିଧି କମିଶନଙ୍କୁ ଏକାଠି ନିର୍ବାଚନ କରିବା ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଓ ସୁପାରିସ କରିବା ଲାଗି ମଧ୍ୟ ଅନୁରୋଧ କରାଯାଇଥିଲା । କମିଶନଙ୍କ ସୁପାରିସ ଅନୁଯାୟୀ ଦଳ ବଦଳ ଆଇନର କିଛି କୋହଳ କରିବାର ଆବଶ୍ୟକତା ରହିଛି । ଫଳରେ ସରକାର ସ୍ଥିର ଭାବେ କାର୍ଯ୍ୟ କରିପାରିବ । ଯଦି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହୁଏ, ତାହେଲେ ନିର୍ବାଚିତ ସରକାର ଅବଶିଷ୍ଟ ସମୟ ପାଇଁ କାର୍ଯ୍ୟ କରିବ, ୫ ବର୍ଷଲାଗି ନୁହେଁ ବୋଲି ସୁପାରିସ କରାଯାଇଛି । ଏଥିଲାଗି ସମ୍ବିଧାନରେ ଅତିକମ୍ରେ ୫ଟି ସଂଶୋଧନ କରିବାକୁ ପଡ଼ିବ । ଦକ୍ଷିଣ ଆଫ୍ରିକା, ସ୍ୱିଡେନ୍ ଓ ବେଲ୍ଜିୟମ୍ ଦେଶରେ ଏହି ବ୍ୟବସ୍ଥା ରହିଛି । ୧୯୬୭ ପର୍ଯ୍ୟନ୍ତ ଦେଶରେ ଏକକ ନିର୍ବାଚନ ହେଉଥିଲା । ମାତ୍ର ଏହାପରେ ଏଥିରେ ବାଧା ଉପୁଜିଥିବା କମିଶନ ସୁପାରିସ କରିଛନ୍ତି ।




Powered by odothemes.com