ଦେଶରେ ଜଳ ସଂକଟ ଗୁରୁତର | ସର୍ବସାଧାରଣ ଖବରକାଗଜ

ଦେଶରେ ଜଳ ସଂକଟ ଗୁରୁତର

170

ବର୍ଷକୁ ୨ ଲକ୍ଷଙ୍କ ପ୍ରାଣହାନି
ନୂଆଦିଲ୍ଲୀ, ୧୪ା୬: ଦେଶ ଏବେ ଜଳ ସଙ୍କଟରେ ଗତି କରୁଛି । ପ୍ରାୟ ୬୦ କୋଟି ଭାରତୀୟ ବିଶୁଦ୍ଧ ଜଳ ପାଇ ପାରୁନାହାନ୍ତି ଏବଂ ପ୍ରାୟ ପ୍ରତିବର୍ଷ ୨ ଲକ୍ଷ ଲୋକ ପର୍ଯ୍ୟାପ୍ତ ପରିମାଣରେ ବିଶୁଦ୍ଧ ଜଳ ମିଳୁନଥିବାରୁ ମୃତୁ୍ୟବରଣ କରୁଥିବା ନିତି ଆୟୋଗ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।ରିପୋର୍ଟରେ ଦର୍ଶାଯାଇଛି ଯେ କୋଟି କୋଟି ଭାରତୀୟଙ୍କର ଜୀବନଜୀବିକା ଏବେ ସଂକଟାପନ୍ନ ହୋଇଛି । ୨୦୩୦ ବେଳକୁ ଏହି ସମସ୍ୟା ଆହୁରି ଉକ୍ରଟ ହେବ । ସେତେବେଳକୁ ଜଳର ଆବଶ୍ୟକତା ପ୍ରାୟ ୨ ଗୁଣ ବୃଦ୍ଧି ପାଇବ । କମ୍ପୋଜିଟ୍ ୱାଟର ମ୍ୟାନେଜମେଣ୍ଟ ଇଣ୍ଡେକ୍ସ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ଭାରତର ବିଭିନ୍ନ ରାଜ୍ୟଗୁଡିକରେ ପ୍ରଭାବଶାଳୀ ଜଳ ପରିଚାଳନା ବ୍ୟବସ୍ଥା ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ୨୦୧୬-୧୭କୁ ସୂଚାଙ୍କ ବର୍ଷଭାବେ ଗ୍ରହଣ କରାଯାଇ ପ୍ରସ୍ତୁତ ହୋଇଥିବା ରିପୋର୍ଟ ଅନୁଯାୟୀ ଗୁଜରାଟ ଜଳ ପରିଚାଳନାରେ ସର୍ବାଗ୍ରେ ରହିଛି । ତା ପଛକୁ ମଧ୍ୟପ୍ରଦେଶ, ଆନ୍ଧ୍ର, କର୍ଣ୍ଣାଟକ ଓ ମହାରାଷ୍ଟ୍ର ରହିଛି । ଜଳ ପରିଚାଳନା କ୍ଷେତ୍ରରେ ସବୁଠୁ ନୈରାଶଜନକ ପ୍ରଦର୍ଶନ ଥିବା ରାଜ୍ୟ ମଧ୍ୟରେ ଝାଡଖଣ୍ଡ, ହରିଆଣା, ଉତ୍ତର ପ୍ରଦେଶ ଓ ବିହାର ରହିଛି । ସେହିଭଳି ଉତ୍ତର-ପୂର୍ବ ଓ ହିମାଳୟ ପାର୍ବତ୍ୟ ରାଜ୍ୟଗୁଡିକରେ ତ୍ରିପୁରା ଭଲ ପ୍ରଦର୍ଶନ କରୁଥିବାବେଳେ ଏହା ପଛକୁ ହିମାଚଳ, ସିକିମ୍ ଓ ଆସାମ ଅଛନ୍ତି । କେନ୍ଦ୍ର-ରାଜ୍ୟ ଓ ଆନ୍ତରାଜ୍ୟ ସହଯୋଗରେ ଅଭାବ ଥିବାରୁ ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟାଟି ସମାଧାନ ହୋଇପାରୁନାହିଁ । ତେଣୁ ଏବେ କେନ୍ଦ୍ର-ରାଜ୍ୟ ଓ ଆନ୍ତଃରାଜ୍ୟର ସହଯୋଗ ବୃଦ୍ଧିର ଆବଶ୍ୟକତା ରହିଛି ଏବଂ ଏମାନେ ମିଳିମିଶି ହେଉଥିବା ସମସ୍ୟାଗୁଡିକର ସମାଧାନ କରିବା ଆବଶ୍ୟକ । ୧୧ ରାଜ୍ୟରେ ୭ ବୃହତ ନଦୀକୁ ନେଇ ବିବାଦ ରହିଛି । ଏହି ବିବାଦଗୁଡିକ ଦୀର୍ଘଦିନ ହେବ ସମାଧାନ ହୋଇପାରୁନାହିଁ । ସମନ୍ୱୟ ରକ୍ଷା ଲାଗି ଏକ ନୀତିର ଆବଶ୍ୟକ ରହିଛି । ରିପୋର୍ଟକୁ ଉନ୍ମୋଚନ କରି କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଜଳ ସଙ୍କଟ ଏବେ ଦେଶର ସବୁଠୁ ବଡ ସମସ୍ୟା । ଏବେ ଦେଶ ଏହାର ସମ୍ମୁଖୀନ ହେଉଛି । ଜଳ ସମ୍ପଦର ପରିଚାଳନା ଏବେ ଏକ ବଡ ପ୍ରସଙ୍ଗ ହୋଇଛି । ଯେଉଁ ରାଜ୍ୟଗୁଡିକ ଭଲ ଭାବରେ ଜଳ ସମ୍ପଦର ପରିଚାଳନା କରିଛନ୍ତି, ସେହି ରାଜ୍ୟକୁ ପୁରସ୍କୃତ କରାଯିବାର ଆବଶ୍ୟକତା ରହିଛି । ପୁରସ୍କୃତ ହେଉଥିବା ରାଜ୍ୟଗୁଡି ସମ୍ପର୍କରେ ୱେବ୍ସାଇଟ୍ରେ ତଥ୍ୟ ରହିବା ଆବଶ୍ୟକ । ଯେଉଁ ରାଜ୍ୟ ଜଳସମ୍ପଦର ଭଲ ପରିଚାଳନା କରିପାରିବ ସେହି ରାଜ୍ୟଗୁଡିକରେ କୃଷି ଅଭିବୃଦ୍ଧି ଭଲ ହେବ । ଜଳ ସହିତ କୃଷି ଅର୍ଥନୀତିର ସିଧାସଳଖ ସମ୍ପର୍କ ରହିଛି ବୋଲି ସେ କହିଛନ୍ତି । ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ଯେ ଭାରତ ଜଳ ସଂକଟର ସମ୍ମୁଖୀନ ହେବ ଏକଥା କେହି କେବେ କଳ୍ପନା କରିପାରିନଥିଲେ । ସରକାର ଏହାକୁ ଗୁରୁତ୍ୱ ଦେଇ କିଭଳି ଏହାର ସମାଧାନ ହେବ ସେଥିଲାଗି ପଦକ୍ଷେପ ନେବା ଉଚିତ୍ । ନିତି ଆୟୋଗ ସିଇଓ ଅମିତାଭ କାନ୍ତ କହିଛନ୍ତି ଯେ ସରକାର ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଏକ ନୂତନ ନୀତି ପ୍ରଚଳନ କରିବା ସହ ରାଜ୍ୟଗୁଡିକର ର୍ୟାଙ୍କିଙ୍ଗ୍ କରନ୍ତୁ । ଯାହା ଭବିଷ୍ୟତରେ ସହାୟକ ହେବ ବୋଲି ସେ କହିଛନ୍ତି ।




Powered by odothemes.com