Mou-signing-betweenOSDMA-and-EARTH-Networks-in-presence-of-Honble-Minister-Revenue-and-Disaster-Management

ଆଉ ଡରାଇବନି ବଜ୍ରପାତ

22

୪୫ ମିନିଟ୍ ଆଗରୁ ମିଳିବ ସୂଚନା
ଭୁବନେଶ୍ୱର, ୧୩ା୬(ବୁ୍ୟରୋ): ବଜ୍ରପାତ ଏଣିକି ଆଉ ଡରାଇପାରିବନାହିଁ । ବଜ୍ରପାତ ସମ୍ପର୍କରେ ୪୫ ମିନିଟ୍ ପୂର୍ବରୁ ଆଗୁଆ ସୂଚନା ମିଳିବ । ଏଥିଲାଗି ଆଜି ରାଜ୍ୟ ସରକାରଙ୍କ ଓସ୍ଡମା ଓ ଆମେରିକାର ଆର୍ଥ ନେଟୱର୍କ ସହ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର ହୋଇଛି । ଉକ୍ତ ସଂସ୍ଥା ସେନ୍ସର ମାଧ୍ୟମରେ ବଜ୍ରପାତଜନିତ ସୂଚନା ୪୫ ମିନିଟ୍ ପୂର୍ବରୁ ପ୍ରଦାନ କରିବ । ଏହାକୁ ଆଧାର କରି ରାଜ୍ୟ ସରକାର ସମ୍ଭାବ୍ୟ ବଜ୍ରପାତ ଅଞ୍ଚଳଗୁଡିକରେ ମୋବାଇଲ୍ ମାଧ୍ୟମରେ ସ୍ୱତନ୍ତ୍ର ସୂଚନା ପ୍ରଦାନ କରିବେ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି । ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ଉପସ୍ଥିତ ଥିଲେ ।
ଏମ୍ଓୟୁ ସ୍ୱାକ୍ଷର ପରେ ଶ୍ରୀ ସେଠୀ କହିଛନ୍ତି ଯେ ବଜ୍ରପାତ ସମ୍ପର୍କିତ ପୂର୍ବାନୁମାନ, ତଥ୍ୟ ପ୍ରଦାନ ଓ ସେନ୍ସର ଯୋଗାଇବା ଦିଗରେ ଆମେରିକାର ଆର୍ଥ ନେଟୱର୍କ ସଂସ୍ଥା ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ବିଶ୍ୱର ୫୦ ଦେଶରେ ଆର୍ଥô ନେଟୱର୍କ ସଂସ୍ଥା ସଫଳତାର ସହ ପୂର୍ବାନୁମାନ କରିପାରିଛି । ସେହିଭଳି ପଶ୍ଚିମବଙ୍ଗ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ଉକ୍ତ ସଂସ୍ଥା ସେନ୍ସର ଯୋଗାଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ଏମ୍ଓୟୁ ସ୍ୱାକ୍ଷର କରିଛନ୍ତି । ଏହି ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଲାଗି ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ । ଗ୍ରାମାଞ୍ଚଳଗୁଡିକରେ ବଜ୍ରପାତ ସମ୍ପର୍କିତ ବିଭିନ୍ନ ସଚେତନତା ବାର୍ତ୍ତା ଲିଫ୍ଲେଟ୍ ମାଧ୍ୟମରେ ବଣ୍ଟନ କରାଯିବ । ଗଣମାଧ୍ୟମରେ ବ୍ୟାପକ ପ୍ରଚାରପ୍ରସାର କରାଯିବ । ଏହି ଆଗୁଆ ସୂଚନା ବଳରେ ବଜ୍ରପାତଜନିତ ମୃତୁ୍ୟ ସଂଖ୍ୟା ହ୍ରାସ ପାଇବ । ତେବେ ଯେଉଁ ସ୍ଥାନରେ ଲୋକେ ମୋବାଇଲ୍ ବ୍ୟବହାର କରୁନଥିବେ, ଚାଷ ଜମିରେ କାର୍ଯ୍ୟ କରୁଥିବେ, ଖେଳ ପଡିଆରେ ପିଲା ଖେଳୁଥିବେ ସେହି କ୍ଷେତ୍ରରେ ଘଡଘଡି ଶୁଣିବା କ୍ଷଣି ତୁରନ୍ତ ନିରାପଦ ସ୍ଥାନକୁ ଯିବା ଲାଗି ପରାମର୍ଶ ଦିଆଯାଇଛି । ବିଭିନ୍ନ ଟେଲିଫୋନ୍ ଅପରେଟରଙ୍କ ସହ ଏସ୍ଏମ୍ଏସ୍ ଜରିଆରେ ଏହି ସୂଚନା ପ୍ରଦାନ କରିବା ଲାଗି ସରକାର ଆଲୋଚନା ଜାରି ରଖିଛନ୍ତି ବୋଲି ଏସ୍ଆର୍ସି କହିଛନ୍ତି । ସୂଚନାଯୋଗ୍ୟ, ରାଜ୍ୟରେ ବଜ୍ରପାତଜନିତ ମୃତୁ୍ୟ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହା ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଏମ୍ଓୟୁ ସ୍ୱାକ୍ଷର ହୋଇଛି ।




Powered by odothemes.com