ଟିକେଟ୍ ଚାହଁ ତ ଗାଁରେ ରୁହ | ସର୍ବସାଧାରଣ ଖବରକାଗଜ
CONGRESS-BHAWAN--SOUTH-DISTRICT-PRESIDENT-MEETING--(3)

ଟିକେଟ୍ ଚାହଁ ତ ଗାଁରେ ରୁହ

32

ନିରଞ୍ଜନଙ୍କ ନୂଆ ଫଣ୍ଡା
ଭୁବନେଶ୍ୱର, ୧୩ା୬(ବୁ୍ୟରୋ): ରାଜ୍ୟ କଂଗ୍ରେସର ନୂଆ ଟିମ୍ ନିଯୁକ୍ତି ପରେ ଏବେ ସଂଗଠନକୁ ସୁଦୃଢ କରିବା ଲାଗି ଯୋଜନା ଆରମ୍ଭ ହୋଇଛି । ଜିଲ୍ଲାସ୍ତରରେ ବୈଠକ ପରେ ଆଜି ରାଜ୍ୟସ୍ତରୀୟ ବୈଠକ କରାଯାଇ ବିଭିନ୍ନ ଜିଲ୍ଲାର ସଂଗଠନ ସମ୍ପର୍କରେ ସମୀକ୍ଷା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାର ସଭାପତିଙ୍କୁ ଡକାଯାଇ ଆଲୋଚନା ହୋଇଛି । ସଂଗଠନକୁ ସୁଦୃଢ କରିବା ଲାଗି ପ୍ରତି ଜିଲ୍ଲାପରିଷଦ ଜୋନ୍ରେ ସଭାପତି ନିଯୁକ୍ତ ହେବେ ବୋଲି ନିଷ୍ପତ୍ତି ନିଆଯାଇଛି । ଏହାଛଡା ଲୋକମାନଙ୍କ ସହ ରହୁଥିବା ନେତାଙ୍କୁ ଦଳୀୟ ଟିକଟ ଦିଆଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । ସେପଟେ ଭୁବନେଶ୍ୱରରେ ନୁହେଁ, ଯିଏ ଗାଁରେ ଲୋକଙ୍କ ସହ ରହି କାମ କରିବ ତାଙ୍କୁ ଦଳ ଟିକେଟ୍ ଦେବ, ରାଜଧାନୀରେ ବସିଥିବା ନେତାଙ୍କୁ ଟିକେଟ୍ ମିଳିବନି ବୋଲି ରୋକ୍ଠୋକ୍ ଶୁଣାଇ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କିଏ ଲୋକଙ୍କ ସହ ଅଛି, ସେହି ତଥ୍ୟରୁ ଆସନ୍ତା ୩/୪ମାସ ମଧ୍ୟରେ ପ୍ରାର୍ଥୀ ବଛାଯିବ ବୋଲି ନବନିଯୁକ୍ତ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କୁ ସେ ସିଧାସିଧା କହିଛନ୍ତି । ସେହିପରି ସମସ୍ତ ଜିଲ୍ଲା ପରିଷଦ ଜୋନ୍କୁ ବ୍ଲକ୍ ମାନ୍ୟତା ଦେଇ କଂଗ୍ରେସ ପକ୍ଷରୁ ସଭାପତି ନିଯୁକ୍ତ କରାଯିବ ବୋଲି ଜଣାପଡ଼ିଛି । ବୁଧବାର କଂଗ୍ରେସ ଭବନରେ ବସିଥିବା ଦକ୍ଷିଣାଞ୍ଚଳର ୧ଠ ସାଂଗଠନିକ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରୁ ଏଭଳି କିଛି ନିଷ୍କର୍ସ ବାହାରିଛି । ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଅଧିନରେ ଥିବା ଦକ୍ଷିଣ ଓଡ଼ିଶାର ୧ଠ ଜିଲ୍ଲାର ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ସହ ଆଜି କଂଗ୍ରେସ ମୁଖିଆ ପ୍ରାୟ ୪ଘଣ୍ଟା ଧରି ଆଲୋଚନା କରିଥିଲେ । ହେଲେ କୋରାପୁଟ୍ ଏଥିରେ ଭାଗ ନେଇନଥିଲା ।
ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ପାଇଁ ଦଳୀୟ କର୍ମୀ କିପରି କାର୍ଯ୍ୟ କରିବେ, ସେନେଇ ଜିଲ୍ଲା ସଭାପତିମାନଙ୍କୁ ପ୍ରସ୍ତୁତ କରାଯାଉଛି । ବୁଥ୍ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ସଂଗଠନ ସୁଦୃଢ଼ କରାଯିବ । ଆସନ୍ତା ୧୫ ଦିନ ମଧ୍ୟରେ ଏ ସମସ୍ତ ପ୍ରକ୍ରିୟାର ସେମାନେ ରିପୋର୍ଟ ଦେବେ ବୋଲି ସେ କହିଛନ୍ତି । ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ଦୁଇଦିନ ଧରି ହେବାକୁ ଥିବା ଏହି ବୈଠକର ପ୍ରଥମ ଦିନରେ ୧ଠ ସାଂଗଠନିକ ଜିଲ୍ଲା ସାମିଲ୍ ହୋଇଥିବା ବେଳେ ଆସନ୍ତାକାଲି ବାକିଥିବା ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ସହ ଆଲୋଚନା ହେବ ବୋଲି ସୂଚନା ଦିଆଯାଇଛି । ତେବେ ଆଜିର ବୈଠକରୁ ମିଳିଥିବା ସୂଚନା ଅନୁସାରେ, ପ୍ରତ୍ୟେକ କାର୍ଯ୍ୟକାରୀ ସଭାପତିଙ୍କୁ ଜିଲ୍ଲାର ବିଭିନ୍ନ ବିଧାନସଭା କ୍ଷେତ୍ରର ଦାୟିତ୍ୱ ବଣ୍ଟନ କରାଯିବା ସହିତ ଜିଲ୍ଲା ସଭାପତିମାନେ ନିର୍ଦ୍ଦିଷ୍ଟ ସମୟ ଭିତରେ ଜିଲ୍ଲା କମିଟି ଗଠନ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଜିଲ୍ଲା ପରିଷଦ ଜୋନ୍କୁ ବ୍ଲକ୍ ଭାବେ ବିବେଚନା କରି ସଭାପତି ନିଯୁକ୍ତି କରାଯିବ । ଏହି ପ୍ରକ୍ରିୟା ଜୁନ୍ ଶେଷ ସୁଦ୍ଧା ସାରିବାକୁ କୁହାଯାଇଥିବା ବେଳେ ଜୁଲାଇ ୧ଠ ତାରିଖ ମଧ୍ୟରେ ବୁଥ୍ କମିଟି ଗଠନ ପ୍ରକ୍ରିୟା ଶେଷ ହେବ ବୋଲି ସୂଚନା ମିଳିଛି । ସେହିପରି ପ୍ରତି ୧୫ ଦିନରେ ଥରେ ଜିଲ୍ଲା ପରିଷଦ ଜୋନ୍ରେ ବୈଠକ ବସିବ ଓ ଦଳ ମୁଖିଆଙ୍କୁ ରିପୋର୍ଟ ଦିଆଯିବ ବୋଲି କାର୍ଯ୍ୟକାରୀ ସଭାପତି ଶ୍ରୀ ମାଝୀ କହିଛନ୍ତି । ଅନ୍ୟପକ୍ଷରେ ଦଳରେ କିଛି ନେତା ଅସନ୍ତୋଷ ରହିଥିବା କଥା ସେ ସ୍ୱୀକାର କରିଛନ୍ତି । କୋରାପୁଟ୍ ସମେତ ୩/୪ଟି ଜିଳ୍ଲାରେ ଆଭ୍ୟନ୍ତରୀଣ କନ୍ଦଳ ରହିଛି, ଯାହା ଖୁବ୍ଶୀଘ୍ର ଦୂର ହେବ ବୋଲି ଶ୍ରୀ ମାଝୀ କହିଛନ୍ତି ।
ସେହିପରି ଜିଲ୍ଲା କାର୍ଯ୍ୟାଳୟଗୁଡ଼ିକ ପ୍ରତ୍ୟହ ୬ ରୁ ୮ ଘଣ୍ଟା ଖୋଲା ରଖିବା ଓ ଜିଲ୍ଲା କାର୍ଯ୍ୟାଳୟରେ ଜଣେ କାର୍ଯ୍ୟ ନିର୍ବାହୀ ନିଯୁକ୍ତି ସାଙ୍ଗକୁ ରାଜ୍ୟ ଓ ଜାତୀୟ ଘଟଣା ବଦଳରେ ଆଞ୍ଚଳିକ ସମସ୍ୟା ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଇବା, ବ୍ଲକ୍ କଂଗ୍ରେସ ସଭାପତିଙ୍କୁ ପ୍ରତି ଜିଲ୍ଲା ପରିଷଦ ଜୋନ୍ର ଦାୟିତ୍ୱ ବଣ୍ଟନ କରିବା ଓ ପ୍ରତି ଜିଲ୍ଲା ଏବଂ ପିସିସିର ସାଂଗଠନିକ ଜିଲ୍ଲାରେ ହ୍ୱାଟ୍ସଆପ୍ ଗ୍ରୁପ୍ ଗଠନ କରିବାକୁ ନିଦେ୍ର୍ଦଶନାମା ଜାରି କରାଯାଇଥିବା କୁହାଯାଇଛି । ଏହି ବୈଠକରେ ଏଆଇସିସି ସମ୍ପାଦକ ଅନିଲ୍ ଚୌଧୁରୀ, ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମା ଉପସ୍ଥିତ ଥିବା ବେଳେ ଦକ୍ଷିଣାଞ୍ଚଳ ଜୋନ୍ର ୧୦ଗୋଟି ଜିଲ୍ଲାର ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ କାର୍ଯ୍ୟକାରୀ ସଭାପତି ଉପସ୍ଥିତ ଥିଲେ । ଶେଷରେ ପଦ୍ମାକର ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ ।




Powered by odothemes.com