marsaghai--mada

ମଦ ଦୋକାନ ଭାଙ୍ଗିଲେ ମହିଳା

40

ମାର୍ଶାଘାଇ (ଆପ୍ର): ଏହି ବ୍ଲକ ଅଙ୍ଗୁଳାଇ ବଜାରରେ ଥିବା ବିଦେଶୀ ମଦ ଦୋକାନକୁ ବିରୋଧ କରି ବୁଧବାର ମହିଳାମାନେ ଆମରଣ ଅନଶନ କରିବା ସହିତ ଭଙ୍ଗାରୁଜା କରିଛନ୍ତି । ସକାଳୁ ସ୍ଥାନୀୟ ସରପଞ୍ଚ ଦୂର୍ଗାବତୀ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ମହିଳା ଏକତ୍ରିତ ହୋଇ ବଜାର ମଧ୍ୟରେ ଥିବା ମଦ ଦୋକାନ ସମ୍ମୁଖରେ ପହଞ୍ଚି ମହାତ୍ମା ଗାନ୍ଧିଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ଅନଶନରେ ବସିଥିଲେ । ସମିତି ସଭ୍ୟ ଅଜୟ ରାଉତ ମଧ୍ୟ ଅନଶନରେ ସାମିଲ ହୋଇଥିଲେ । ଶାନ୍ତିପୂର୍ଣ୍ଣ ଆନେ୍ଦାଳନ ଚାଲିଥିବା ବେଳେ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳକୁ ଆସିବାରେ ବିଳମ୍ବ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ମହିଳାମାନେ ଦୋକାନର ସାଇନ୍ବୋର୍ଡ, ଲାଇଟ୍ ଭାଙ୍ଗିବା ସହିତ ଫ୍ଲେକ୍ସ ବ୍ୟାନର୍କୁ ଚିରିଦେଇଥିଲେ । ଦୋକାନ ଭଙ୍ଗାରୂଜା କରିବାକୁ ଉଦ୍ୟମ କରିବା ବେଳେ ପୁଲିସ ସହିତ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଦୋକାନ ମାଲିକ ମନ୍ମଥ ସାହୁ ପହଞ୍ଚିବାରୁ ଉତ୍ତେଜନା ଉଗ୍ରରୂପ ନେଇଥିଲା । ଆନେ୍ଦାଳନକାରୀ ଦୋକାନ ମାଲିକଙ୍କୁ ମାଡମାରି ମୁଣ୍ଡ ଫଟାଇ ଦେଇଥିବା ଅଭିଯୋଗ ହୋଇଛି । ପୁଲିସ ତାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲା । କେନ୍ଦ୍ରାପଡ଼ା ଡିଏସ୍ପି କାର୍ତ୍ତିକ ଚନ୍ଦ୍ର ମଲ୍ଲିକ, ମାର୍ଶାଘାଇ ତହସିଲଦାର ଚନ୍ଦ୍ରକାନ୍ତ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଅନଶନରତ ମହିଳାମାନଙ୍କୁ ବୁଝାଶୁଝା କରିବା ସହିତ ଦାବିପତ୍ର ଗ୍ରହଣ କରିବା ସହିତ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି କହିଥିଲେ । ସେହି ସମୟ ପର୍ଯ୍ୟନ୍ତ ଦୋକାନ ବନ୍ଦ ରହିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।
ସୂଚନା ଥାଉକି ଏହି ମଦ ଦୋକାନ ବନ୍ଦ କରିବା ପାଇଁ ସରପଞ୍ଚଙ୍କ ନେତୃତ୍ୱରେ ଅଙ୍ଗୁଳାଇ, ବରେଇ, କୁରୁତୁଙ୍ଗା, ଜଗଦିଶପୁର, କୂଳାପଡ଼ା, ବାଳିଆପଡ଼ା, ଚକରପୁର, ନାରଣପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏପ୍ରିଲ ୨୮ରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ଚଳିତ ମାସ ୬ ତାରିଖରେ ପୁଣି ଏକ ପତ୍ର ଦିଆଯାଇ ଆନେ୍ଦାଳନ ସଂପର୍କରେ ଅବଗତ କରାଯାଇଥିଲା । ଅନ୍ୟପକ୍ଷରେ ଦୋକାନ ମାଲିକ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି ଯେ ଅଧିକ ପରିମାଣର ଚାନ୍ଦା ନଦେବାରୁ ଦୋକାନ ବନ୍ଦ ପାଇଁ ଧମକ ଦିଆଯାଇଥିଲା । ଘଟଣାସ୍ଥଳରେ ସଦର ଥାନାଅଧିକାରୀ କାବୁଲି ବାରିକଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ଫୋର୍ସ ମୁୂତୟନ କରାଯାଇଥିଲା ।




Powered by odothemes.com