6

ଧାମରା ହେବ ସ୍ୱତନ୍ତ୍ର ନିବେଶ ଜୋନ୍

33

୨୫ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ
ଭଦ୍ରକ, ୧୩ା୬(ସ୍ୱପ୍ର): ଧାମରା ଉପରେ ଏବେ ସମସ୍ତଙ୍କ ଆଖି । ରାଜ୍ୟ ସରକାରଙ୍କର ଏହି ଗ୍ରୀନ୍ ପ୍ରକଳ୍ପକୁ ପୁଞ୍ଜିପତିମାନେ ଆଖି ପକାଇଛନ୍ତି । ୧୧ଟି ଶିଳ୍ପ ସଂସ୍ଥା ଧାମରାରେ ପୁଞ୍ଜିନିବେଶ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଗୋଟିଏ ପଟେ ଧାମରା ବନ୍ଦର ୨ରୁ ୪ଟି ବର୍ଥ କରି ବନ୍ଦର ବ୍ୟବସାୟକୁ ଆଗେଇ ନେଇଥିଲା ବେଳେ ଧାମରା ଅଞ୍ଚଳରେ ନିଜ ପୁଞ୍ଜି ଖଟାଇ ବ୍ୟବସାୟ କରିବାକୁ ରାଜ୍ୟ, ଦେଶ ଓ ଅର୍ନ୍ତଜାତୀୟ ସଂସ୍ଥାମାନେ ହାତ ବଢ଼ାଇଛନ୍ତି । ଏହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଧାମରାକୁ ଏକ ସ୍ୱତନ୍ତ୍ର ନିବେଶ ଜୋନ୍ ଭାବରେ ଛିଡ଼ା କରାଇବାକୁ ଇଡ୍କୋକୁ ଦାୟୀତ୍ୱ ଦେଇଛନ୍ତି । ଭଦ୍ରକ ଚରମ୍ପା ଠାରେ ୬୧ ଏକର ଜମିରେ ଏକ କଣ୍ଟେନର୍ ଡିପୋ ପ୍ରତିଷ୍ଠା କରିବାକୁ ପ୍ରାଥମିକ ପର୍ଯ୍ୟାୟରେ କାମ ଆରମ୍ଭ ହୋଇଛି । ଖାଲି ସେତିକି ନୁହେଁ, ଚରଦିଆ ଠାରେ ଜାହାଜ ତିଆରି କାରଖାନା କରିବାକୁ ୮ବର୍ଷ ତଳେ ମନୋବଳାଇ ପୁଞ୍ଜି ଖଟାଉଥିବା ଓସେନିକ୍ ସିପ୍ୟାର୍ଡ କମ୍ପାନୀ ପଛେଇ ଯାଇଥିଲା । ୨୦୦ରୁ ଅଧିକ ଏକର ଜମି ଏହି କମ୍ପାନୀ ଚରଦିଆ ଅଞ୍ଚଳରେ କିଣିଥିଲେ ମଧ୍ୟ ପ୍ରତିରକ୍ଷା ବିଭାଗର କଟକଣା ପାଇଁ ହଟିଯିବାକୁ ମନ ବଳାଇଥିଲା । ଏବେ ରାଜ୍ୟ ସରକାରଙ୍କ ଉଦ୍ୟମରେ ପୁଣି ଏହି ସିପ୍ୟାର୍ଡ କମ୍ପାନୀ ନିଜର ବଜେଟ ୨୨୦୦ କୋଟିରୁ ୨୭୦୦ କୋଟିକୁ ବୃଦ୍ଧି କରି ଜାହାଜ ତିଆରି ଓ ମରାମତି କାରାଖାନା କରିବାକୁ ଅଣ୍ଟା ଭିଡ଼ିଥିବା ଜଣାପଡ଼ିଛି । ସେହିପରି ଧାମରାରେ ମେଗା ବିଦୁ୍ୟତ ପ୍ରକଳ୍ପ ପ୍ରତିଷ୍ଠା ଯୋଗୁ ଏବେ ପୁଣି ନୂଆ ସମ୍ଭାବନା ଦେଖା ଦେଇଛି । ୧୦.୨୧୦ କୋଟି ଟଙ୍କା ବିନିମୟରେ ଏଲ୍ଏଣ୍ଡଟି କମ୍ପାନୀ ତରଫରୁ ନୂଆ ମେଗା ବିଦୁ୍ୟତ ପ୍ରକଳ୍ପ ଧାମରାରେ ପ୍ରତିଷ୍ଠା କରିବାକୁ ପୁଣି ମନ ବଳାଇଛନ୍ତି ।
ସେହିପରି ଧାମରାରେ ଆଇରନ୍ କମ୍ପାନୀ ନିଜର ୬୩୦ କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ଆଗଭର ହୋଇଥିବା ଜଣାପଡ଼ିଛି । ଆଇରନ ଏଣ୍ଡ ପାୱାର ଲିମିଟେଡ୍ କମ୍ପାନୀ ଧାମରାରେ ୩୦୦ ଏକର ଜାଗା ଖୋଜୁଛି । ସେହିପରି ଏନର୍ଜି ଉତ୍ପାଦନ କରିବାକୁ ୧୨୫ କୋଟି ଟଙ୍କା ବିନିମୟରେ କୋଣାର୍କ କ୍ରାନ୍ତି କମ୍ପାନୀ ନିଜ ଶିଳ୍ପ ପ୍ରତିଷ୍ଠା କରିବାକୁ ପାଦ ଥାପିଛି । ଏହି କମ୍ପାନୀ ଧାମରାରେ ପେଟ୍ରୋଲିୟମ ଷ୍ଟୋର ପ୍ରତିଷ୍ଠା କରିବ । କାରଣ ପାରାଦୀପରୁ ହଳଦିଆ ଯାଏଁ ପେଟ୍ରୋଲିୟମ ଗ୍ୟାସ ଓ ତୈଳ ପରିବହନ ପାଇଁ ଆଦାନୀ କମ୍ପାନୀ କାମ ଆରମ୍ଭ କରିଥିବାରୁ, ଏବେ ପେଟ୍ରୋକେମିକାଲ୍ର ବିଭିନ୍ନ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଛୋଟଛୋଟ କମ୍ପାନୀ ଆଗେଇ ଆସିଲେଣି । ଧାମରାରେ ଏଲ୍ଏନ୍ଜି ଟର୍ମିନାଲ୍ ପ୍ରତିଷ୍ଠା ହେବା ପରେ କାତାରରୁ ଗ୍ୟାସ ଆସିବାକୁ ସବୁ ବ୍ୟବସ୍ଥା ହୋଇଛି । ଓସେନିକ୍ ସିପ୍ୟାର୍ଡ କମ୍ପାନୀକୁ ଟକ୍କର ଦେଇ ଗାଲୱାନି ମେରାଇନ ପ୍ରାଇଭେଟ ଲିମିଟେଡ୍ ନାମକ ଆଉ ଏକ କମ୍ପାନୀ ଜାହାଜ ତିଆରି ଓ ମରାମତି କାରାଖାନା ପ୍ରତିଷ୍ଠା ପାଇଁ ମନ୍ତେଇ ନଦୀ କୂଳକୁ ବାଛିଚି । ୩୧୫୦ କୋଟି ଟଙ୍କା ବିନିମୟରେ ଏହି କମ୍ପାନୀ ଜାହାଜ ମରାମତି କାରାଖାନା କରିବାକୁ ପୁଞ୍ଜିନିବେଶ କରିବ ବୋଲି ଜଣାପଡ଼ିଛି । ସେହିପରି ୱେଲସନ ଓଡ଼ିଶା ଷ୍ଟିଲ ପ୍ରାଇଭେଟ ଲିମିଟେଡ୍ କମ୍ପାନୀ ୧୯୭୯.୫ କୋଟି ଟଙ୍କାରେ ଏକ ପ୍ଲାଣ୍ଟ ଧାମରାରେ ପ୍ରତିଷ୍ଠା କରିବାକୁ ମଧ୍ୟ ପୁଞ୍ଜିନିବେଶ କରିବା ପାଇଁ ରାଜ୍ୟ ସରକାରଙ୍କୁ ଜମି ମାଗୁଛି । ସେହିପରି ଏକ ଇସ୍ପାତ ପ୍ରକଳ୍ପ କରିବା ପାଇଁ ରଶ୍ମି ମେଟାଲିକ୍ କମ୍ପାନୀ ୩୬୪୫ କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ସରକାରଙ୍କୁ ନିବେଦନ କରିଛି । ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏବେ ପର୍ଯ୍ୟାୟ କ୍ରମେ ଏହି ୧୧ଟି ଶିଳ୍ପ ସଂସ୍ଥା ମଧ୍ୟରୁ ପ୍ରାଥମିକ ପର୍ଯ୍ୟାୟରେ ୬ଟି ଶିଳ୍ପସଂସ୍ଥାକୁ ଧାମରା ଯିବାକୁ ଡାକିଛନ୍ତି । ଏହା ଆଗରୁ ୭୫୦ ଏକର ସରକାରୀ ଜମିକୁ ଭଦ୍ରକ ଜିଲ୍ଲା ପ୍ରଶାସନ ମାଧ୍ୟମରେ ସରକାର ଇଡକୋକୁ ହସ୍ତାନ୍ତର କରିଥିଲେ ଶିଳ୍ପସଂସ୍ଥା ମାନଙ୍କ ପାଇଁ । ଏହି ଜମି ମଧ୍ୟରୁ କେଉଁ କମ୍ପାନୀକୁ କେତେ ଏକର ଜମି ଦିଆଯିବ, ତାହା ପାଇଁ ଏବେ ବିଚାର ବିମର୍ଶ ଚାଲିଛି । ତେବେ ସେ ଯାହା ହେଉନା କାହିଁକି ଧାମରା ବନ୍ଦର ମୁଖ୍ୟମନ୍ତ୍ରୀଙ୍କର ଏକ ଗ୍ରୀନ ପ୍ରକଳ୍ପ ହୋଇଥିବାରୁ ଓ ଏହି ବନ୍ଦର ଏବେ ଲାଭଦାୟକ ଭାବେ କାର୍ଯ୍ୟ କରୁଥିବାରୁ ପୁଞ୍ଜିନିବେଶ କରୁଥିବା ଶିଳ୍ପପତି ମାନଙ୍କୁ ସରକାର ସବୁଜ ସଙ୍କେତ ଦେଇଥିବା ଜଣାପଡ଼ିଛି ।




Powered by odothemes.com