photo--4

ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପ୍ରସ୍ତୁତି

34

ଯାଜପୁର(ଆପ୍ର): ଯେ କୌଣସି ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି ବେଶ ସହାୟକ ହୋଇଥାଏ ବୋଲି ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ମତ ବ୍ୟକ୍ତ କରିଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ମିଳିତ ଆନୁକୂଲ୍ୟରେ ମକ୍ ଡ୍ରିଲ୍ ଓ ଟେବୁଲ ଟପ୍ ଅଭ୍ୟାସ ନିମିତ୍ତ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦେଇ ସଭାପତି ଶ୍ରୀ ମହାନ୍ତି ବିପର୍ଯ୍ୟୟ ସମୟରେ ସାମୁହିକ ସହଯୋଗ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେଉଥିବାରୁ ଏହି ଅଭ୍ୟାସରେ ସମସ୍ତଙ୍କୁ ସାମିଲ କରିବାକୁ ପରାମର୍ଶ ଦେଇଥିଲେ ।
ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏଥିରେ ଅଧ୍ୟକ୍ଷତା କରି ପ୍ରାକୃତିକ ବିପର୍ଯ୍ୟୟ ଜିଲ୍ଲା ପାଇଁ ନୂଆ ନୁହେଁ । ତେବେ ଏହାର ମୁକାବିଲା ପାଇଁ ଆମକୁ ସର୍ବଦା ପ୍ରସ୍ତୁତ ରହିବାକୁ ପଡ଼ିବ । ବର୍ତ୍ତମାନ ଲୋକ ପ୍ରତିନିଧି, ସ୍ୱେଚ୍ଛାସେବୀ, ସରକାରୀ ଅଧିକାରୀ, କର୍ମଚାରୀ ଏବଂ ସାଧାରଣଲୋକଙ୍କ ମଧ୍ୟରେ ସମନ୍ୱୟକୁ ଗୁରୁତ୍ୱ ଦିଆଯାଇ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ । ପ୍ରତିବର୍ଷ ଜୁନ ୧୯କୁ ସରକାର ମକ୍ ଡ୍ରିଲ୍ ମାଧ୍ୟମରେ ପ୍ରସ୍ତୁତିକୁ ତଦାରଖ କରିଥାନ୍ତି । ଜିଲ୍ଲାର ୧୦ଟି ବ୍ଲକ ଓ ୨୨ଟି ଆଶ୍ରୟସ୍ଥଳରେ ଏକ ଅଭ୍ୟାସ ଅନୁଷ୍ଠିତ ହେବ । ସେହିପରି ଜିଲ୍ଲାସ୍ତରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ ଗୃହରେ ମଧ୍ୟ ଏହି ମକ୍ ଡ୍ରିଲ୍ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ପ୍ରକଳ୍ପ ଅଧିକାରୀ ଦେବାଶିଷ ପ୍ରଧାନ ଅଭ୍ୟାସ ପ୍ୟାରେଡ୍ର ବିଭିନ୍ନ ନିୟମାବଳୀ ସଂପର୍କରେ ତଥ୍ୟ ରଖିଥିଲେ । ବୈଠକରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଯାଜପୁର ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ବ୍ଲକ୍ର ସମସ୍ତ ତହସିଲଦାର, ବିଡିଓ, ବିଭାଗୀୟ ଅଧିକାରୀ, ଲୋକ ପ୍ରତିନିଧି ଓ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com