1000-tanka-pain-maa-tharu-chua-alaga,-kjr

୧୦୦୦ ଟଙ୍କା ପାଇଁ ମା’ ଠାରୁ ଛୁଆ ଅଲଗା

29

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଞ୍ଚ ଅଭିଯୋଗ
କେନ୍ଦୁଝରଗଡ,୧୩ା୬(ଆପ୍ର): କେତେବେଳେ ରକ୍ତ ଅଦଳବଦଳ ତ କେତେବେଳେ ଚିକିତ୍ସାଳରେ ଅବହେଳା ଆଉ ପୁଣି କେତେକବେଳେ ରୋଗୀ ଶୋଷଣ ଭଳି ବିବାଦ ଘଟଣା କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପିଛା ଛାଡୁନଥିବା ବେଳେ ଗତକିଛି ଦିନ ହେଲା ରୋଗୀଙ୍କ ଠାରୁ ଲାଞ୍ଚନେବା ଘଟଣା ଏବେ ସୀମା ଟପିବାକୁ ବସିଛି । ୱାର୍ଡରେ ରୋଗୀଙ୍କ ଠାରୁ ଖୁଲମ୍ଖୁଲା ଲାଞ୍ଚ ନେବାର ଏକ ଭିଡିଓ ଭାଇରାଲ ହେବା ଘଟଣା ଗତ କିଛି ଦିନ ତଳେ ଚର୍ଚ୍ଚାର ବିଷୟ ହୋଇଥିଲା । ତେବେ ମଙ୍ଗଳବାର ରାତିରେ ଜଣେ ପ୍ରସୂତି ମହିଳାଙ୍କୁ ସୁଇପର ମାନେ ଜୁଲୁମ୍ କରିବା ଘଟଣା ସାମ୍ନାକୁ ଆସିଛି । ମାତ୍ର ୧୦୦୦ଟଙ୍କା ପାଇଁ ପ୍ରାୟ ଦେଢ ଘଣ୍ଟା କାଳ ମା’ ଠାରୁ ନିଜର ନବଜାତ ଶିଶୁକନ୍ୟାକୁ ଅଲଗା କରି ରଖିବା ଭଳି ଏକ ଅମାନବୀୟ ଘଟଣା ନଜରକୁ ଆସିଛି । ଘଟଣାରୁ ପ୍ରକାଶ ଯେ, ବାଂଶପାଳ ବ୍ଲକ ନର୍ସିଂପୁର ଗ୍ରାମର ନମିତା ଘଣ (୨୨) ଗର୍ଭବତୀ ଥିଲେ, ହଠାତ୍ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ମା’ ତାଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ନେଇ ଆସିଥିଲେ ଏବଂ ରାତି ୮ଟାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ନମିତାଙ୍କ ଅବସ୍ଥା ଖରାପ ଆଡକୁ ଗତିକରିବାରୁ ଡାକ୍ତର ପରାମର୍ଶ କ୍ରମେ ତାଙ୍କୁ ପ୍ରସୂତୀ ଗୃହକୁ ନିଆଯାଇଥିଲା ଓ ରାତି ୯ଟା ୮ମିନିଟ୍ ସମୟରେ ତାଙ୍କର ଗୋଟିଏ ଝିଅ ଜନ୍ମ ହୋଇଥିଲା । କିନ୍ତୁ ନମିତାଙ୍କ କହିବା ଅନୁସାରେ ଝିଅକୁ ଜନ୍ମଦେବା ପରେ ପ୍ରସୂତୀ ଗୃହରେ କାର୍ଯ୍ୟରତ ସେବିକା ଝିଅକୁ ତାଙ୍କ ପାଖକୁ ଛାଡି ନଥିଲେ ଓ ୧୦୦୦ ଟଙ୍କା ଦେଲେଯାଇ ଆମେ ତୁମ ଝିଅକୁ ଦେବୁ ବୋଲି ଦାବି କରିଥିଲେ । ନମିତାଙ୍କ ମା ତାଙ୍କୁ ବଝାଇବାକୁ ଯାଇ କହିଥିଲେ ନମିତାର ସ୍ୱାମୀ ଓ ବାପା ଆସିଲେ ସେମାନଙ୍କୁ ୧୦୦୦ ଟଙ୍କା ଦେଇ ଦେବେ । ବର୍ତ୍ତମାନ ତାଙ୍କ ପାଖରେ ପାଇସା ନାହିଁ କହି ୨୦୦ ଟଙ୍କା ଦେଉଥିଲେ । ତେବେ ସେମାନେ ପଇସା ନଦେଲେ ଛୁଆକୁ ଛାଡିବେ ନାହିଁ ବୋଲି ଜିଦ୍ ଧରିଥିଲେ । ଅନେକ କାକୁତି ମିନତି ହେବା ପରେ ବି ସେମାନେ ନବଜାତ ଶିଶୁକନ୍ୟାକୁ ମା କୋଳକୁ ଛାଡିନଥିଲେ । ଏଣେ ନବଜାତ ଶିଶୁକନ୍ୟା ମା’ କ୍ଷୀର ନପାଇ କଇଁ କଇଁ ହୋଇ ରାହା ଫେରୁନଥିବା ବେଳେ ବାଧ୍ୟ ହୋଇ ନମିତାଙ୍କ ମା ରାତି ୧୦.୩୦ ସମୟରେ ସେମାନଙ୍କ ଅଗୋଚରରେ ଛୁଆକୁ ନମିତା କୋଳକୁ ନେଇ ଆସିଥିଲେ । ତେବେ ଡାକ୍ତରଖାନାର ମହିଳା ଓ ପ୍ରସୂତୀ ବିଭାଗରେ ଲାଞ୍ଚ ନଦେଲେ କାମ ନହେବା ଘଟଣା ଏକ ନୀତିଦିନିଆ ଅଭ୍ୟାସରେ ପଡିଥିବା ବେଳେ ଆଦିବସୀ ଅଧୁଷିତ ବାଂଶପାଳ, ତେଲକୋଇ, ହରିଚନ୍ଦନପୁର ଆଦି ଅଞ୍ଚଳରୁ ଆସୁଥିବା ଲୋକେ ଲାଞ୍ଚପାଇଁ କର୍ମଚାରୀଙ୍କ ଜୁଲମ୍ ଶିକାର ହେଉଥିବା ଅଭିଯୋଗ ହେଉଛି । ଏନେଇ ରୋଗୀ ଓ ସମ୍ପର୍କୀୟ ନାଚାର ହୋଇ ପଡିଥିବା ବେଳେ ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଧିକାରୀଙ୍କ ନଜରକୁ ଅଣାଯାଉଥିଲେ ସୁଦ୍ଧା ପରୋକ୍ଷରେ ସେ ଦୁର୍ନୀତିଖୋର କର୍ମଚାରୀଙ୍କ ସୁରକ୍ଷା ସାଜୁଥିବା ଦେଖିବାକୁ ମିଳିଛି । ଜିଲ୍ଲାପ୍ରଶାସନ ଏଥିପ୍ରତି ଧ୍ୟାନ ଦେଲେ ବହୁ ସରଳ, ନୀରିହ ଲୋକ ଡାକ୍ତରଖାନାରେ ଚାଲିଥିବା ଶୋଷଣ ଓ ଜୁଲୁମ୍ରୁ ବର୍ତ୍ତିପାରନ୍ତେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

ସେଆର କରନ୍ତୁ:



Powered by odothemes.com