naveen

୮୩% ଲୋକଙ୍କୁ ମାଗଣା ଚିକିତ୍ସା

17

ଅଗଷ୍ଟ ୧୫ରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା
ନବୀନଙ୍କ ଯୁଗାନ୍ତକାରୀ ନିଷ୍ପତ୍ତି
ଭୁବନେଶ୍ୱର, ୧୨ା୬(ବୁ୍ୟରୋ): ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟ ସରକାର ଆଜି ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଅଗଷ୍ଟ ୧୫ ତଥା ସ୍ୱାଧୀନତା ଦିବସରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାମରେ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏହି ଯୋଜନା ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ କାର୍ଯ୍ୟକାରୀ ହେବ । ୭୦ ଲକ୍ଷରୁ ଊଦ୍ଧ୍ୱର୍ ପରିବାରକୁ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସୁଦୂରପ୍ରସାରୀ ହେବ । ଏଥିରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡିକରେ ମାଗଣା ଚିକିତ୍ସା ସେବା ଉପଲବ୍ଧ ହେବ । ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡିକରେ ବାର୍ଷିକ ପ୍ରାୟ ୪.୮୪ କୋଟି ରୋଗୀ ଉପସ୍ଥାପନକୁ ଦୃଷ୍ଟିରେ ରଖି ସମସ୍ତ ରୋଗ ଲାଗି ବିନା ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ଓ ଔଷଧ ଉପଲବ୍ଧ କରାଯିବ । ଡାକ୍ତରଖାନାରେ ଆଦାୟ ହେଉଥିବା ସମସ୍ତ ପ୍ରକାର ୟୁଜର୍ସ ଫି’ ବନ୍ଦ କରାଯିବ । ରାଜ୍ୟ ସରକାର ଆରମ୍ଭ କରୁଥିବା ଏହି ଯୋଜନାରେ ପ୍ରାଥମିକଠାରୁ ଆରମ୍ଭ କରି ଶୀର୍ଷସ୍ତରୀୟ ଚିକିତ୍ସା ସେବା ନିମନ୍ତେ ବର୍ଷକୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳିପାରିବ । ପ୍ରାୟ ୭୦ ଲକ୍ଷ ପରିବାରର ୩ କୋଟି ୫୦ ଲକ୍ଷ ଲୋକ ଏହି ସୁବିଧା ପାଇବେ । ଏହାଛଡା ପ୍ରସୂତି ଓ ଅସୁସ୍ଥ ଶିଶୁମାନଙ୍କୁ ସ୍ୱାସ୍ଥ୍ୟାନୁଷ୍ଠାନରୁ ନିଜ ଗୃହକୁ ଫେରିବା ପର୍ଯ୍ୟନ୍ତ ୫୦୦ ଟଙ୍କା ଲେଖାଏଁ ଯାତାୟତ ଖର୍ଚ୍ଚ ପ୍ରଦାନ କରାଯିବ । ଏଥିରେ ବର୍ଷକୁ ସାଢେ ୬ ଲକ୍ଷରୁ ଊଦ୍ଧ୍ୱର୍ ପ୍ରସୂତି ଓ ଅସୁସ୍ଥ ଶିଶୁ ଉପକୃତ ହେବେ । ସୂଚନାଯୋଗ୍ୟ, ସରକାରୀ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିରାମୟ, ନିଦାନ, ସହାୟ, ସୁନେତ୍ର ଆଦି କାର୍ଯ୍ୟକ୍ରମ ଆରମ୍ଭ କରାଯିବା ସହ ମାଗଣା ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦିଆଯାଉଛି । ରାଜ୍ୟବାସୀଙ୍କୁ ଗୁଣାତ୍ମକ ଓ ସୁଲଭ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।




Powered by odothemes.com