mayusumi-barsha-re

ଅର୍ଦ୍ଧାଧିକ ଜିଲ୍ଲାରେ ମୌସୁମୀ ବର୍ଷା

28

ଭୁବନେଶ୍ୱର, ୧୨ା୬(ବୁ୍ୟରୋ): ରାଜ୍ୟରେ ଅଧାରୁ ଅଧିକ ସ୍ଥାନ ଅର୍ଥାତ ୨୨ଟି ଜିଲ୍ଲାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁଛି । ଏହାର ପ୍ରଭାବରେ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି । ଆଜି ଭୁବନେଶ୍ୱରରେ ସକାଳ ସାଢ଼େ ୮ଟାରୁ ଝିପିଝିପି ବର୍ଷା ହୋଇଥିବା ଜଣାପଡ଼ିଛି । ଆସନ୍ତାକାଲି ଆଉ କିଛି ଜିଲ୍ଲାରେ ଏହା ଛୁଇଁବାର ସମ୍ଭାବନା ରହିଛି । ବୁଧବାର ସାରା ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ । ତେବେ ଚଳିତ ମୌସୁମୀ ସପ୍ତାହେ ଦୁର୍ବଳ ହେବା ହେତୁ ଗୁରୁବାରରୁ ବର୍ଷାର ପରିମାଣ ହ୍ରାସ ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିଦେ୍ର୍ଦଶକ ଏଚ୍ଆର ବିଶ୍ୱାସ କହିଛନ୍ତି ।
ମୌସୁମୀ ମାଲକାନଗିରି, ନବରଙ୍ଗପୁର, ଗଜପତି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ଗଞ୍ଜାମ, କନ୍ଧମାଳ, ଖୋର୍ଦ୍ଧା, ପୁରୀ, ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାର ସମ୍ପୂର୍ଣ୍ଣ ଅଂଶକୁ ଛୁଇଁଛି । ସେହିଭଳି ମଙ୍ଗଳବାର ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, କେନ୍ଦୁଝର, ନୟାଗଡ଼, କଟକ, ଯାଜପୁର, ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ଏହା ପହଞ୍ଚିଛି । ବୁଧବାର ଝାରସୁଗୁଡ଼ା, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାର ସ୍ଥାନେ ଦୁଇସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହେବ । ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜଲ୍ଲାର କେତେକ ସ୍ଥାନରେ ବର୍ଷା ହେବା ସହିତ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତା ୭ଦିନ ପର୍ଯ୍ୟନ୍ତ ମୌସୁମୀ ଦୁର୍ବଳ ହେବା ସହିତ ବର୍ଷା କମିବ ବୋଲି ଶ୍ରୀ ବିଶ୍ୱାସ କହିଛନ୍ତି ।
ଭାରତୀୟ ପାଣିପାଗ ବିଭାଗର କହିବା ଅନୁଯାୟୀ, ଓଡ଼ିଶାର ଅଧିକାଂଶ ସ୍ଥାନ, ଏବଂ ଗାଙ୍ଗେୟ ଉପତ୍ୟକାର ପଶ୍ଚିମବଙ୍ଗ, ବାକିଥିବା ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଅରୁଣାଞ୍ଚଳ ପ୍ରଦେଶର ସମ୍ପୂର୍ଣ୍ଣ ଅଂଶ ଏବଂ ଆସାମ, ମେଘାଳୟ ଓ ସିକିମର ଅଧିକାଂଶ ସ୍ଥାନରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଛୁଇଁଛି । ଏହା ୨୪ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇଯିବ । ମୌସୁମୀ ପ୍ରଭାବରେ ଆଜି ଓଡ଼ିଶାର ବହୁ ସ୍ଥାନରେ ବର୍ଷା ହୋଇଛି । ମଙ୍ଗଳବାର ସକାଳ ୮.୩୦ରୁ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ବାରିପଦାରେ ସର୍ବାଧିକ ୨୯ମିମି ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ୨୪ମିମି, କୋରାପୁଟରେ ୨୨ମିମି, ପାରାଦୀପରେ ୧୩ମିମି, କଟକରେ ୯ମିମି, ଭୁବନେଶ୍ୱରରେ ୬.୪ମିମି, ସୁନ୍ଦରଗଡ଼ରେ ୬ମିମି, ପୁରୀରେ ୪ମିମି, ଚାନ୍ଦବାଲି ଓ ଅନୁଗୁଳରେ ୨ମିମି ବର୍ଷା ହୋଇଛି ।




Powered by odothemes.com