marsaghai-rastare-jamuchhi-barsa-jala

ଚିନ୍ତାରେ ଖାଲୁଆ ଅଞ୍ଚଳବାସୀ

69

ରାସ୍ତାରେ ଜମୁଛି ବର୍ଷାପାଣି
ମାର୍ଶାଘାଇ (ଆପ୍ର): ସ୍ଥାନୀୟ ବଜାର ରାସ୍ତା ସମେତ କୁମ୍ଭାର ସାହି, ବନ୍ଧ ସାହି, ମାର୍ଶାଘାଇ କଲେଜ, ଜଣଛକ ପ୍ରତିମୂର୍ତ୍ତି ନିକଟରେ ବର୍ଷାଜଳ ଜମିରହିଥିବା ଅଭିଯୋଗ ହେଉଛି । ନିଷ୍କାସନ ପାଇଁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଖାଲୁଆ ଅଞ୍ଚଳବାସୀ ଚିନ୍ତାରେ ରହିଛନ୍ତି । ସେହିପରି ମାର୍ଶାଘାଇ ବଜାର ମୁଖ୍ୟରାସ୍ତାର ଜୟଦୁର୍ଗା ଜୁଏଲାରୀ ସମ୍ମୁଖ ରାସ୍ତା ଉପରେ ବି ପାଣି ଜମୁଛି । ପ୍ରତିକାରସ୍ୱରୂପ ନିଷ୍କାସନ ପାଇଁ ରାସ୍ତାର ଗୋଟିଏ ପାଶ୍ୱର୍ରେ ବ୍ୟବସ୍ଥା କରି ନୂଆକରି ନିର୍ମାଣ ହୋଇଥିବା ଆର୍ଏମ୍ସି ଡ୍ରେନ୍ ସହ ସଂଯୋଗ କରାଗଲେ ସମସ୍ୟା ଦୂର ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ସେହିପରି ବନମାଳୀ ଛକର ପୋଲ ନିକଟରୁ ମାର୍ଶାଘାଇକୁ ସଂଯୋଗ କରୁଥିବା ରାସ୍ତା ଉପରେ ବି ପାଣି ଜମୁଛି । ରାସ୍ତା ପାଶ୍ୱର୍ ସ୍ଥାନ ଜବରଦଖଲ ହୋଇଥିବାରୁ ନିଷ୍କାସନରେ ସମସ୍ୟା ହେଉଛି । ଏହାଛଡା କୁମ୍ଭାର ସାହିର ଗ୍ରାମରାସ୍ତାରୁ ବର୍ଷାଜଳ ନିଷ୍କାସନ ପାଇଁ ଦୀର୍ଘ ସମୟ ଲାଗୁଛି । ଗ୍ରାମମଧ୍ୟସ୍ଥ ଠାକୁର ଘରଠୁ ବର୍ଷା ଜଳ କେନାଲ ଦେଇ ୧୮ନଂ ଶାଖା କେନାଲକୁ ଯାଇଥାଏ । ମାତ୍ର ସେହି ସ୍ଥାନଟି ପୋତିହୋଇ ସଂକୁଚିତ ହୋଇଥିବାରୁ ନିଷ୍କାସନ ନେଇ ବହୁ ସମୟ ଲାଗିଥାଏ । ଉକ୍ତ ସ୍ଥାନରେ ଚଉଡା କରି ଡ୍ରେନ୍ ନିର୍ମାଣ କରାଗଲେ ସମସ୍ୟା ଦୂର ହୋଇପାରନ୍ତା ବୋଲି ଜଣାପଡିଛି । ବଜାର ପଟେ ପୋଷ୍ଟ ଅଫିସ କଡ ଦେଇ ଯାଇଥିବା ଡ୍ରେନ୍ ପୋତି ହୋଇଥିବାରୁ ନିଷ୍କାସନ ସମସ୍ୟା ଉପୁଜିଛି । ସେହି ସ୍ଥାନକୁ ସଫା କରି କିମ୍ବା ନୂତନ ଭାବେ ଚଉଡା କରି ନିର୍ମାଣ କରାଯିବାକୁ ଦାବି ହୋଇଛି । ମେଡିକାଲର ପଶ୍ଚିମରେ ଜବରଦଖଲ ଥିବା ନିଷ୍କାସନ ପଥକୁ ମୁକ୍ତ କରିବା ସହିତ ବନ୍ଧସାହି ରାସ୍ତାରେ ନିଷ୍କାସନ କରିବାକୁ ଦାବି ହୋଇଛି । ସେପଟେ ମାର୍ଶାଘାଇ କଲେଜରେ ବି ବର୍ଷାଜଳ ଜମୁଛି । ଉକ୍ତ ସ୍ଥାନରେ ବିଭିନ୍ନ ଗୋଷ୍ଠୀ ଦ୍ୱାରା ମାଟି ପକା କାର୍ଯ୍ୟ ହେଉଥିବାରୁ ଏହା ଶେଷ ହେବାରେ ବିଳମ୍ବ ହେଉଥିବା ସାଧାରଣରେ ଆଲୋଚନା ହେଉଛି । ଜୁଣଛକ ଗଜଲକ୍ଷ୍ମୀ ମଣ୍ଡପ ନିକଟରେ ତରବରିଆ ଭାବେ ମୁଖ୍ୟ ରାସ୍ତାକୁ ଖୋଳି ପାଇପ୍ ବସାଯାଇଥିଲା । ମାତ୍ର ଅଳ୍ପ ଗଭୀରତାରେ ବସାଯାଇଥିବାରୁ ନିଷ୍କାସନରେ ସମସ୍ୟା ହେଉଛି । ପୂର୍ବ ପାଶ୍ୱର୍ରେ ଠାକୁରାଣୀ ମାର୍କେଟ କମ୍ପ୍ଲେକ୍ସ ଓ ଦୀନବନ୍ଧୁଙ୍କ ଘର କଡରେ ନିର୍ମିତ ଡ୍ରେନ୍ଟି ଅଷ୍ଟବାଙ୍କ ହୋଇ ତିଆରି ହୋଇଥିବାରୁ ନିଷ୍କାସନ ପାଇଁ ବହୁତ ସମୟ ଲାଗୁଛି । ସେହିପରି ଜୁଣ ଛକସ୍ଥିତ ମହାତ୍ମା ଗାନ୍ଧୀ ଓ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ନିକଟ ରାସ୍ତା ଉପରେ ବି ପାଣି ଜମୁଛି । ଏସମସ୍ତ ସ୍ଥାନରୁ ବର୍ଷାଜଳ ନିଷ୍କାସନ ନିମନ୍ତେ ଆଗୁଆ ପଦକ୍ଷେପ ନେବାକୁ ଦାବି ହେଉଛି ।




Powered by odothemes.com