ଶ୍ରଦ୍ଧାଳୁ ଅସୁରକ୍ଷିତ | ସର୍ବସାଧାରଣ ଖବରକାଗଜ
Untitled-1

ଶ୍ରଦ୍ଧାଳୁ ଅସୁରକ୍ଷିତ

28

ତାରାତାରିଣୀ ପାହାଡ଼ରୁ ଖସୁଛି ପଥର
ପୁରୁଷୋତ୍ତମପୁର(ଆପ୍ର): ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠକୁ ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁଙ୍କ ଯାତାୟତ ଲାଗି ରହିଥିବା ବେଳେ ଗତ ୨ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଏହି ପାହାଡ଼ରୁ ପଥର ଖଣ୍ଡ ଖସି ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳୁଛି । ଫଳରେ ଶ୍ରଦ୍ଧାଳୁ ଅସୁରକ୍ଷିତ ମନେ କରୁଛନ୍ତି । ପାହାଡ଼ରେ ଥିବା ଗଛଗୁଡ଼ିକର ମୂଳରୁ ମାଟି ଓ ପଥର ଖସୁଥିବାରୁ ଗଛଗୁଡ଼ିକ ମଧ୍ୟ ପଡ଼ିଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଦୁର୍ଭାଗ୍ୟଜନକ ହେଉଛି ରାସ୍ତାରେ ପଥରଖଣ୍ଡଗୁଡ଼ିକ ପଡ଼ିରହିଥିଲେ ମଧ୍ୟ ସେଗୁଡ଼ିକୁ ବାହାର କରିବା ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ଗତବର୍ଷ ମଧ୍ୟ ବର୍ଷାଦିନେ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା । ତେବେ ଚଳିତବର୍ଷ ମଧ୍ୟ ବର୍ଷା ଆରମ୍ଭରୁ ଏଭଳି ବିପଜ୍ଜନକ ସ୍ଥିତି ଉପୁଜିଥିବାରୁ ଶ୍ରଦ୍ଧାଳୁ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲାର ଏହି ପ୍ରସିଦ୍ଧ ଶକ୍ତିପୀଠର ଉନ୍ନତିକରଣ ପାଇଁ ବହୁ ଟଙ୍କା ଆସୁଥିବା ବେଳେ ଉନ୍ନୟନ କାର୍ଯ୍ୟ ସେଭଳି ଆଖିଦୃଶିଆ ହେଉନଥିବା ଅଭିଯୋଗ ହେଉଛି । ମନ୍ଦିର ପରିଚାଳନା ଦାୟିତ୍ୱରେ ଆର୍ଡିସି ଏବଂ ଜିଲ୍ଲାପାଳ ରହିଥିବା ବେଳେ ସ୍ଥାନୀୟ ତହସିଲଦାର ଏହାର ତଦାରଖ ଦାୟିତ୍ୱରେ ରହିଛନ୍ତି ।
କିନ୍ତୁ ପୀଠର କୌଣସି ଉନ୍ନତି ହେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କିଛି ବର୍ଷ ପୂର୍ବେ ଉପର ରାସ୍ତାର ସୁରକ୍ଷା ପାଇଁ ଦୁଇ ପାଶ୍ୱର୍ରେ ଗାର୍ଡୱାଲ ନିର୍ମାଣ କରାଯାଇଥିଲା । ତେବେ ମଧ୍ୟ ଏହା ଭୁଷୁଡ଼ିପଡ଼ିଥିଲା । ମା’ଙ୍କ ସମ୍ମୁଖ ଦିଗରେ ଆର୍ଡି ବିଭାଗର ତତ୍ତ୍ୱାବଧାନରେ ନିର୍ମାଣ ହୋଇଥିବା ଏକ ଗାର୍ଡୱାଲ ମଧ୍ୟ ଭୁଷୁଡି ପଡ଼ିଥିଲା । ଫଳରେ ଜିଲ୍ଲାପାଳ ଉକ୍ତ ଘଟଣା ସମ୍ପର୍କରେ ଆର୍ଡି ବିଭାଗର ଅଧିକାରୀଙ୍କୁ ରିପୋର୍ଟ ତଲବ କରିଥିଲେ । ତେବେ ଗାର୍ଡୱାଲ ନିର୍ମାଣ ସତ୍ତ୍ୱେ ବାରମ୍ବାର ପଥର ଖଣ୍ଡ ଖସିବା ଘଟଣାକୁ ନେଇ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହେଉଛି । ତେଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେଇ ମଜବୁତ୍ ଗାର୍ଡୱାଲ ନିର୍ମାଣ ପାଇଁ ଦାବି ହୋଇଛି ।




Powered by odothemes.com