RATHJATRA-PRASTUTI-BAITHAKA,SRUNKHALITA-RE--PALANA-PAIN-NEBEDANA-KJR--(car-festival)

ଶୃଙ୍ଖଳାର ସହ ସମାପନ ପାଇଁ ଜିଲ୍ଲାପାଳଙ୍କ ନିବେଦନ

17

ବଳଦେବଜୀଉଙ୍କ ରଥଯାତ୍ରା ପ୍ରସ୍ତୁତି
କେନ୍ଦୁଝର,୧୨ା୬(ଆପ୍ର): କେନ୍ଦୁଝରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ପବିତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ମଙ୍ଗଳବାର ଦରବାର ହଲ୍ ଠାରେ ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଡଃ ଭକ୍ତଚରଣ ପ୍ରଧାନ, କେନ୍ଦୁଝର ଉପଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ ଦେବୋତର ସୋମନାଥ ପ୍ରଧାନ, ଡି.ଏସ୍.ପି. ଡିଆଇବି ହରେଶ ଚନ୍ଦ୍ର ପାଣ୍ଡେ, କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି କାନନ ବିହାରୀ ପହି, ରାଜପୁରୋହିତ ପ୍ରସନ୍ନ ନନ୍ଦ, ବ୍ରହ୍ମା ଗଙ୍ଗାଧର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ସେବାୟତ/ସେବକ/ପହଣ୍ଡିଆ, ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ କ୍ଲବ୍/ଅନୁଷ୍ଠାନର ପ୍ରତିନିଧି ପ୍ରମୁଖ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାପାଳ ଶ୍ରୀ ଠାକ୍ରେ ଉଦ୍ବୋଧନ ଦେଇ ସମସ୍ତେ ଆଗାମୀ ରଥଯାତ୍ରାକୁ ଆନନ୍ଦ ଉଲ୍ଲାସର ସହ ଶୃଙ୍ଖଳିତ ଭାବେ ପାଳନ କରିବାକୁ ନିବେଦନ କରିଥିଲେ । ରଥଯାତ୍ରା ସହିତ ସମସ୍ତ ଆନୁସଙ୍ଗିକ କାର୍ଯ୍ୟକ୍ରମ ଯେପରି ସଠିକ୍ ଭାବେ ପରିଚାଳିତ ହେବ ସେଥିପାଇଁ ସମସ୍ତଙ୍କ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ । ମହିଳା ଭକ୍ତଙ୍କର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପାତ୍ର ସମସ୍ତଙ୍କର ସକ୍ରିୟ ସହଯୋଗ କାମନା କରିଥିଲେ । ବୈଠକର ଆବାହକ କେନ୍ଦୁଝର ଉପଜିଲ୍ଲାପାଳ-ତଥା-ନିର୍ବାହୀ ଅଧିକାରୀ, ଦେବୋତ୍ତର ସୋମନାଥ ପ୍ରଧାନ କାର୍ଯ୍ୟସୂଚୀ ଆଲୋଚନା କରି ୨୦୧୭ ମସିହା ରଥଯାତ୍ରାର ଆୟ ଓ ବ୍ୟୟ ହିସାବ ଉପସ୍ଥାପନ ସହ ଚଳିତ ବର୍ଷ ରଥଯାତ୍ରା ପାଇଁ ବଜେଟ୍ ଉପସ୍ଥାପନ କରିଥିଲେ ।
ସୂଚନାଯୋଗ୍ୟ ଯେ, ରଥଯାତ୍ରା ଓ ଆନୁସଙ୍ଗିକ ପର୍ବପର୍ବାଣି, ବିଭିନ୍ନ କମିଟି ଗଠନ, ରଥ ନିର୍ମାଣ, ରଥ ଦଉଡି ଯୋଗାଣ, ପୂଜା ବ୍ୟବସ୍ଥା ଓ ପହଣ୍ଡି ସେବା, ଆଇନଶୃଙ୍ଖଳା, ସ୍ୱାସ୍ଥ୍ୟ ଓ ପରିମଳ, ପାନୀୟ ଜଳ ଯୋଗାଣ, ବିଦୁ୍ୟତ୍ ସରବରାହ, ଅବକାରୀ ପଦକ୍ଷେପ, ଅଗ୍ନିଶମ, ବଡଦାଣ୍ଡ ଓ ଡ୍ରେନ୍ ପରିଷ୍କାର ପରିଚ୍ଛନ୍ନତା, ଉଠାଦୋକାନ ଓ ସରକାରୀ ଷ୍ଟଲ୍ ନିମନ୍ତେ ଭୂମି ଚିହ୍ନଟ ଓ ଆବଣ୍ଟନ, କେବୁଲ୍ ଯୋଗେ ରଥଯାତ୍ରାର ସିଧା ପ୍ରସାରଣ, ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ପ୍ରଦାନ, ସାଜ୍ଜସଜ୍ଜା ଓ ଆଲୋକ ବ୍ୟବସ୍ଥା, ଶ୍ରୀଗୁଣ୍ଡିଚା ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ଯାତ୍ରୀମାନଙ୍କର ଗମନାଗମନ ବ୍ୟବସ୍ଥା, ପ୍ରସାଦ ବଂଟନ, ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତାର ମରାମତି/ନିର୍ମାଣ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହୋଇଥିଲା । ଶୃଙ୍ଖଳା ରକ୍ଷାପାଇଁ ଅର୍ଥ କମିଟି, ରଥନିର୍ମାଣ ଓ ରଥ ସରଞ୍ଜାମ ତଦାରଖ କମିଟି, ସ୍ୱାସ୍ଥ୍ୟ ଓ ପରିମଳ କମିଟି, ପାନୀୟ ଜଳ ଯୋଗାଣ କମିଟି, ଆଇନଶୃଙ୍ଖଳା/ପାସ୍ ପ୍ରଦାନ କମିଟି, ପୂଜା ନୀତି ତଥା ପହଣ୍ଡିସେବା କମିଟି, ଆଲୋକ ଓ ସାଜ୍ଜସଜ୍ଜା କମିଟି, ସାଂସ୍କୃତିକ କମିଟି, ସୁନାବେଶ କମିଟି ଏବଂ ଶାନ୍ତିଶୃଙ୍ଖଳା କମିଟି ଓ ସମସ୍ତ ବିଭାଗ ତଦାରଖ କରିବ । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଞ୍ଜୀବ ବାରିକ ସ୍ୱାଗତଭାଷଣ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ସହକାରୀ ଜିଲ୍ଲାପାଳ ସୁବୋଧ ଦାସ ଓ କିରନ୍ ନାୟକ, ଦେବୋତ୍ତର ହିସାବ ରକ୍ଷକ ରାଜକିଶୋର ପଣ୍ଡା, ନୀତି ତଦାରଖକାରୀ ଦ୍ୱାରିକା ପ୍ରସାଦ ରଥ ପ୍ରମୁଖ ପ୍ରସ୍ତୁତି ବୈଠକ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ ।




Powered by odothemes.com