ବିଧାନ ପରିଷଦକୁ ସବୁଜ ସଂକେତ | ସର୍ବସାଧାରଣ ଖବରକାଗଜ

ବିଧାନ ପରିଷଦକୁ ସବୁଜ ସଂକେତ

114

ଭୁବନେଶ୍ୱର, ୫ା୬(ବୁ୍ୟରୋ): ରାଜ୍ୟରେ ବିଧାନ ପରିଷଦ ଗଠନ କରାଯିବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ତେବେ ବିଧାନ ପରିଷଦ ଗଠନ ସମ୍ପର୍କରେ ସବିଶେଷ ଅନୁଧ୍ୟାନ କରିବା ପାଇଁ କମିଟି ଆନ୍ଧ୍ର ଓ ବିହାର ଗସ୍ତ କରିବ । ଗସ୍ତ ସାରିବା ପରେ କମିଟି ତାଙ୍କ ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିବେ । ଏହାପରେ ବିଧାନ ପରିଷଦ ଗଠନ ପକ୍ରିୟା ଆରମ୍ଭ କରାଯିବ ।ସୂଚନାଯୋଗ୍ୟ, ୨୦୧୫ରେ ବିଧାନ ପରିଷଦ ଗଠନ ନେଇ ନିଷ୍ପତ୍ତି ହୋଇଥିଲା । ଏହି ମର୍ମରେ ଏକ ୫ ଜଣିଆ କମିଟି ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିଲା । କମିଟି ସେତେବେଳେ କର୍ଣ୍ଣାଟକ ଓ ମହାରାଷ୍ଟ୍ର ଗସ୍ତ କରି ବିଧାନ ପରିଷଦ ସମ୍ପର୍କୀୟ ତଥ୍ୟ ସଂଗ୍ରହ କରିଛନ୍ତି । ନିଷ୍ପତ୍ତି ଅନୁଯାୟୀ କମିଟି ଆନ୍ଧ୍ର ଓ ବିହାରକୁ ଯାଇ ଅନୁଧ୍ୟାନ କରିବା କଥା । ଆଜି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପରେ କମିଟି ଅଧ୍ୟକ୍ଷ ଶ୍ରୀ ସାହୁ କହିଛନ୍ତି ଯେ ଆନ୍ଧ୍ର ଓ ବିହାର ଗସ୍ତ କରିବା ଲାଗି ନିଦେ୍ର୍ଦଶ ଦିଆଯାଇଛି । ଖୁବ୍ଶୀଘ୍ର କମିଟି ଏହି ରାଜ୍ୟକୁ ଯାଇ ସେଠାକାର ବିଧାନ ପରିଷଦର କାର୍ଯ୍ୟଶୈଳୀ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ଅନୁଧ୍ୟାନ କରି ରିପୋର୍ଟ ଦେବ । ବିଧାନ ପରିଷଦରେ ୪୯ ଜଣ ସଭ୍ୟ ରହିବେ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।ଓଡ଼ିଶାରେ ଅନ୍ୟ ରାଜ୍ୟଗୁଡ଼ିକ ପରି ଏକ ବିଧାନ ପରିଷଦ ଗଠନ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଆସୁଛି । ବିହାର, ଜାମ୍ମୁ-କାଶ୍ମୀର, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶ ପରି ରାଜ୍ୟଗୁଡ଼ିକରେ ବିଧାନ ପରିଷଦ ଗଠନ କରାଯାଇ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତିମାନଙ୍କୁ ଆଇନ୍ ପ୍ରଣୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ସୁଯୋଗ ସୃଷ୍ଟି କରାଯାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ବିଧାନସଭାରେ ଏକ ସଙ୍କଳ୍ପ ମଧ୍ୟ ଉପସ୍ଥାପିତ ହୋଇଛି ।ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୫ ମସିହାରେ ଡ. ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । ଏହି କମିଟିରେ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଭୁଜବଳ ମାଝୀ, ମନୋହର ରନ୍ଧାରୀ ଓ ନୀତିଶ ଗଙ୍ଗଦେବ ପ୍ରମୁଖ ବିଧାୟକମାନ ସଦସ୍ୟ ରହିଛନ୍ତି । ପୂର୍ବରୁ ସେମାନେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଗସ୍ତରେ ଯାଇ ସେ ରାଜ୍ୟମାନଙ୍କରେ ବିଧାନ ପରିଷଦର କାର୍ଯ୍ୟଧାରା ସଂକ୍ରାନ୍ତରେ ଅନୁଧ୍ୟାନ କରିଛନ୍ତି ।
ଏ ବିଷୟରେ ଅଧିକ ଅନୁଧ୍ୟାନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆନ୍ଧ୍ର ଓ ବିହାର ଗସ୍ତରେ ଯାଇ ସେଠାରେ ବିଧାନ ପରିଷଦ ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରିବା ପାଇଁ କମିଟିର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ସମ୍ବିଧାନର ୧୬୯ ଧାରା ଅନୁଯାୟୀ ବିିଭିନ୍ନ ରାଜ୍ୟହେର ବିଧାନ ପରିଷଦ ଗଠନର ବ୍ୟବସ୍ଥା ରଖାଯାଇଛି । କିନ୍ତୁ ଓଡ଼ିଶା ପରି ଅଳ୍ପ କେତେକ ରାଜ୍ୟକୁ ବାଦ୍ଦେଲେ ଅଧିକାଂଶ ବଡ ରାଜ୍ୟରେ ବିଧାନ ପରିଷଦ କାର୍ଯ୍ୟ କରୁଛି । ବିଧାନ ପରିଷଦରେ ସଦସ୍ୟମାନେ ସାଧାରଣତଃ ପରୋକ୍ଷ ନିର୍ବାଚନରେ ନିର୍ବାଚିତ ହୋଇଥାନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ଆଇନ୍ ପ୍ରଣୟନ ପ୍ରକ୍ରିୟାରେ ସେମାନଙ୍କ ମହତ୍ୱପୂର୍ଣ୍ଣ ଯୋଗଦାନ ରଖିବାର ସୁଯୋଗ ପାଇଥାନ୍ତି ।




Powered by odothemes.com