ଟ୍ୱିନ୍ସିଟିରେ ଆଜି ୬ ଘଣ୍ଟିଆ ଚକାଜାମ୍

60

ତୈଳ ଓ ଗ୍ୟାସ୍ ଦର ବୃଦ୍ଧିକୁ କଂଗ୍ରେସର ବିରୋଧ
ଭୁବନେଶ୍ୱର, ୩ ।୬ (ବୁ୍ୟରୋ): ତୈଳ ଓ ଗ୍ୟାସ୍ ଦର ବୃଦ୍ଧିକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । କ୍ରମାଗତ ଭାବେ ନିୟନ୍ତ୍ରଣ ବାହାରକୁ ତୈଳଦର ଚାଲିଯାଇଥିଲେ ହେଁ ଏହାର ସମାଧାନ କରିବାରେ ଫେଲ୍ ମାରିଛନ୍ତି କେନ୍ଦ୍ର ସରକାର । ଏହାକୁ ବିରୋଧ କରି ଆଜି କଂଗ୍ରେସ ପକ୍ଷରୁ କଟକ-ଭୁବନେଶ୍ୱର (ଟ୍ୱିନ୍ସିଟି)ରେ ୬ ଘଣ୍ଟିଆ ଚକାଜାମ୍ର ଡାକରା ଦିଆଯାଇଛି । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଟ୍ୱିନ୍ସିଟିରେ ଏହି ଆନେ୍ଦାଳନ କରାଯିବ । ଦଳୀୟ ନେତା ଓ କର୍ମୀ ବିଭିନ୍ନ ସ୍ଥାନରେ ଏକତ୍ରିତ ହୋଇ ପେଟ୍ରୋଲ୍ ଓ ଡିଜେଲ୍ ଗାଡ଼ି ଚାଳକଙ୍କୁ ଗାଡ଼ି ନଚଳାଇବା ଲାଗି ନିବେଦନ କରିବେ ବୋଲି ସୂଚନା ରହିଛି । ଏହି ଆନେ୍ଦାଳନର ସଫଳତା ଲାଗି ରବିବାର କଟକ ଓ ଭୁବନେଶ୍ୱରରେ ଅପରାହ୍ଣରେ ବାଇକ୍ ଶୋଭାଯାତ୍ରା ଓ ସନ୍ଧ୍ୟାରେ ମଶାଲ୍ ଶୋଭାଯାତ୍ରା କରାଯାଇଥିଲା । ସୋମବାର ୬ ଘଣ୍ଟା ପର୍ଯ୍ୟନ୍ତ ଟ୍ୱିନ୍ସିଟିର ଚାଳକଙ୍କୁ ଗାଡ଼ି ଛାଡ଼ିବାକୁ ଶୋଭାଯାତ୍ରା ମାଧ୍ୟମରେ ଅନୁରୋଧ କରାଯାଇଛି । ତେବେ ୬ ଘଣ୍ଟିଆ ଆନେ୍ଦାଳନକୁ ଦୃଷ୍ଟିରେ ରଖି ଟ୍ୱିନ୍ସିଟିରେ କମିଶନରେଟ୍ ପୁଲିସ୍ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ଆନେ୍ଦାଳନ ହେବାକୁ ଥିବା ବିଭିନ୍ନ ସ୍ଥାନରେ ପୁଲିସ୍ ମୁତୟନ କରାଯିବ ବୋଲି ଜଣାପଡ଼ିଛି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ତୈଳଦର ବୃଦ୍ଧି ବିରୋଧରେ କଟକ ଓ ଭୁବନେଶ୍ୱରବାସୀଙ୍କୁ ପ୍ରତିବାଦ କରିବାକୁ ଦଳ ପକ୍ଷରୁ ଅନୁରୋଧ କରାଯିବ । ଏଥିସହ ପେଟ୍ରୋଲ୍ ଓ ଡିଜେଲ୍ ଚାଳିତ ଯାନକୁ ସେମାନେ ବ୍ୟବହାର ନକରିବା ଲାଗି ମଧ୍ୟ ନିବେଦନ କରାଯିବ । ଅନ୍ୟପକ୍ଷରେ କଂଗ୍ରେସର ଏହି ଚକାଜାମ୍ ଆନେ୍ଦାଳନକୁ ବିଜେଡି ସ୍ୱାଗତ କରିଛି । ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବ କହିଛନ୍ତି, ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡି ଆନେ୍ଦାଳନ ଆରମ୍ଭ କରିସାରିଛି । କଂଗ୍ରେସ ସେଥିରେ ସାମିଲ୍ ହେବା ସ୍ୱାଗତଯୋଗ୍ୟ । ବାରମ୍ବାର ତୈଳଦର ବୃଦ୍ଧି ରୋକିବାରେ କେନ୍ଦ୍ର ସରକାର ଫେଲ୍ ମାରିବାରୁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ଏ ସଂକ୍ରାନ୍ତରେ ଆମେ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇବା ସହ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ବିଜେଡି ପକ୍ଷରୁ ଆନେ୍ଦାଳନ କରାଯାଇଥିଲା ବୋଲି ଶ୍ରୀ ଦେବ କହିଥିଲେ । ତେବେ କଂଗ୍ରେସ ଆନେ୍ଦାଳନ କରିବା ବଦଳରେ ରାଜ୍ୟ ସରକାରଙ୍କୁ ତୈଳଦର ଉପରେ ଟିକସ କମାଇବା ଲାଗି ଦାବି କଲେ ଖାଉଟି ଲାଭାନ୍ୱିତ ହେବେ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ।




Powered by odothemes.com