baijayant

ବିଜେଡି ଛାଡ଼ିଲେ ବୈଜୟନ୍ତ

38

ଭୁବନେଶ୍ୱର, ୨୮ା୫(ବୁ୍ୟରୋ): କିଛିଦିନର ଛକାପଞ୍ଝା, ଆକ୍ଷେପ ଓ ପ୍ରତିଆକ୍ଷେପ ପରେ ଶେଷରେ ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଏହାଛଡ଼ା ସେ ଇସ୍ତଫା ଦେଇଥିବା ସଂପର୍କରେ ଲୋକସଭା ବାଚସ୍ପତିଙ୍କୁ ଜଣାଇ ଦେଇଛନ୍ତି ଓ ତାକୁ ଗ୍ରହଣ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଦଳର ରାଜ୍ୟ ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ୩ ପୃଷ୍ଠାର ଲେଖିଥିବା ଏକ ଚିଠିରେ ବୈଜୟନ୍ତ ଉଲ୍ଲେଖ କରିଛନ୍ତି ଯେ ବିଜେଡିରେ ଯେଉଁଭଳି ରାଜନୀତି ଚାଲିଛି, ତାହା ତାଙ୍କୁ ଆଘାତ ଦେବା ସହ ଦୁଃଖିତ କରିଛି । ତାଙ୍କ ବାପା ବଂଶୀଧର ପଣ୍ଡା ବିଜୁବାବୁଙ୍କର ଘନିଷ୍ଠ ସହଯୋଗୀ ଥିଲେ । ବହୁବର୍ଷ ଧରି ସେ ତାଙ୍କ ସହ କାର୍ଯ୍ୟ କରିଛନ୍ତି । ମାତ୍ର ତାଙ୍କ ମୃତୁ୍ୟ ପରେ ତାଙ୍କ ଶେଷ ଦର୍ଶନ ପାଇଁ ଆପଣ ଆସିଲେ ନାହିଁ କିମ୍ବା ବିଜେଡିର କେଉଁ ନେତା ଆସିଲେ ନାହିଁ । ବରଂ ଅନ୍ୟ ଦଳର ବହୁ ବରିଷ୍ଠ ନେତା ଏବଂ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଆସିଥିଲେ । ବିଜେଡି ନେତାମାନଙ୍କୁ ଆସିବାକୁ ମନା କରାଯାଇଥିଲା ବୋଲି ସେମାନେ ତାଙ୍କୁ କହିଛନ୍ତି । ବିଜେଡି ଏବେ ତାଙ୍କୁ ଆଉ ଚାହୁଁନଥିବା ସେ ଅନୁଭବ କରୁଛନ୍ତି । ଉଭୟ ଓଡ଼ିଶା ଓ ଦିଲ୍ଲୀରେ ବହୁବର୍ଷ ଧରି ବିଜେଡି ଓ ଆପଣଙ୍କୁ ମୁଁ ସୁରକ୍ଷା ଦେଇଛି । ନୀତିନିୟମକୁ ନେଇ ମଧ୍ୟ କାର୍ଯ୍ୟ କରିଛି । ଆପଣଙ୍କ ପ୍ରତି ଥିବା ସ୍ନେହ ଓ ଶ୍ରଦ୍ଧା କୌଣସି ସର୍ତ୍ତମୂଳକ ନଥିଲା । ଓଡ଼ିଶାକୁ ଭଲ ଭାବେ ଗଢ଼ିବା ପାଇଁ ଆମେ ପଦକ୍ଷେପ ନେଉଥିଲୁ । ବହୁବର୍ଷ ଧରି ଯେଉଁମାନେ ଆପଣଙ୍କୁ ସମାଲୋଚନା କରୁଥିଲେ, ସେମାନେ ଏବେ ଦଳର ପ୍ରମୁଖ ଭାଗରେ ଅଛନ୍ତି । କେନ୍ଦ୍ରାପଡ଼ାର ବିକାଶ ପାଇଁ ମୁଁ ହୃଦୟ ଓ ଆତ୍ମାକୁ ସମର୍ପଣ କରିଛି । ପ୍ରାୟ ଶତାଧିକ ପଞ୍ଚାୟତ ଗସ୍ତ କରିଛି । ପ୍ରଥମ ଥର ଲାଗି ଏହି ଅଞ୍ଚଳକୁ ରେଳଧାରଣା ନିର୍ମାଣ ହେଉଛି । ବହୁ ପରିମାଣର ପାଣି ଟାଙ୍କି ମଧ୍ୟ ସାଂସଦ ପାଣ୍ଠିରୁ ଗଠନ କରାଯାଇଛି । ୨୦୧୪ ପରଠାରୁ ବ୍ୟକ୍ତିଗତ ଭାବେ ଦଳ ମୂଳ ଆଦର୍ଶରୁ ଦୂରେଇ ଯାଉଥିବା ସଂପର୍କରେ ଅବଗତ କରାଇଛି । ଯେପର୍ଯ୍ୟନ୍ତ ପଞ୍ଚାୟତ ନିର୍ବାଚନ ଫଳ ନେଇ ଆପଣ ଲୋକଙ୍କ ମତ ଆହ୍ୱାନ କରିନଥିଲେ, ସେ ପର୍ଯ୍ୟନ୍ତ ମୁଁ ନୀରବ ଥିଲି । ମୁଁ କେବଳ ସମାଜ ଖବରକାଗଜରେ ଏକ ନିବନ୍ଧ ଲେଖିଥିଲି । ମାତ୍ର ମୋତେ ଟାର୍ଗେଟ୍ କରାଯାଇଥିଲା । ଟେକାପଥର ଓ ଅଣ୍ଡା ଫୋପଡ଼ା ଯାଇଥିଲା । ମାତ୍ର ଏ ଘଟଣା ଆପଣଙ୍କୁ ବିବ୍ରତ କରିନଥିଲା । ମୋର ସ୍ୱାସ୍ଥ୍ୟ ଓ ସୁରକ୍ଷା ସଂପର୍କରେ ଆପଣ କେବେ ମଧ୍ୟ ଅନୁସନ୍ଧାନ କରିନଥିଲେ । ବିଜୁବାବୁଙ୍କର ଅନ୍ତ୍ୟେଷ୍ଟିକ୍ରିୟା ବେଳେ ମୁଁ ସେଠି ଉପସ୍ଥିତ ଥିଲି । ଅନ୍ୟମାନଙ୍କଠାରୁ ମୁଁ ବହୁ ପରିମାଣରେ ସାହସୀ । ଦଳ ମଧ୍ୟରେ ଥିବା ନିର୍ଦ୍ଦିଷ୍ଟ ନୀତିନିୟମକୁ ପୁଣି ଥରେ ଆପଣ ଉପସ୍ଥାପନ କରିବେ ବୋଲି ମୋର ଆଶା ଓ ବିଶ୍ୱାସ ବୋଲି ସେ ଉଲ୍ଲେଖ କରିଛନ୍ତି ।
ସୂଚନାଯୋଗ୍ୟ, ସାଂସଦ ଶ୍ରୀ ପଣ୍ଡାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା । ଆଜି ସେ ଦଳରୁ ଇସ୍ତଫା ଦେଇଛନ୍ତି । ବୈଜୟନ୍ତ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିବାରୁ ଦଳରୁ ଇସ୍ତଫା ଦେଲାପରେ ସାଂସଦ ପଦ ମଧ୍ୟ ହରାଇବେ । ତେବେ ବୈଜୟନ୍ତଙ୍କ ଇସ୍ତଫାକୁ ନେଇ ରାଜ୍ୟ ରାଜନୀତି ଏବେ ବେଶ୍ ସରଗରମ ହେବ ବୋଲି ଆଶା ପ୍ରକାଶ ପାଇଛି ।

ସେଆର କରନ୍ତୁ:



Powered by odothemes.com