bus-fares

ତୃତୀୟ ଥର ପାଇଁ ବସ ଭଡ଼ା ବୃଦ୍ଧି

26

ଭୁବନେଶ୍ୱର (ବୁ୍ୟରୋ): ସମଗ୍ର ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି ହେବା ଯୋଗୁଁ ଚଳିତ ବର୍ଷ ତୃତୀୟ ଥର ପାଇଁ ରାଜ୍ୟ ସରକାର ଯାତ୍ରୀବାହୀ ବସ୍ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଆଧାରରେ ସବୁବର୍ଗର ଯାତ୍ରୀଯାହୀ ବସ୍ର ଭଡ଼ା ବୃଦ୍ଧି ଘୋଷଣା କରାଯାଇଛି । ସାଧାରଣ ଓ ଏକ୍ସପ୍ରେସ୍ ବସ୍ କ୍ଷେତ୍ରରେ କିଲୋମିଟର ପିଛା ୨ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଲକ୍ସ ଓ ଏସି-ଡିଲକ୍ସ ବସ୍ କ୍ଷେତ୍ରରେ କିଲୋମିଟର ପିଛା ୪ପଇସାକୁ ବୃଦ୍ଧି କରାଯାଇଛି । ବର୍ଦ୍ଧିତ ଦର ସୋମବାର ମଧ୍ୟରାତ୍ରରୁ ଲାଗୁ ହେବ । ଏନେଇ ସୋମବାର ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟରେ ବାରମ୍ବାର ତୈଳ ଦର ବୃଦ୍ଧି ଯୋଗୁଁ ବସ୍ ମାଲିକମାନେ କ୍ଷତି ସହୁଥିଲେ । ପୂର୍ବ ନିର୍ଦ୍ଧାରିତ ଦର ଅନୁସାରେ ବସ୍ ଚଳାଚଳ ସମ୍ଭବ ପର ହୋଇପାରୁ ନଥିବା ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଯୁକ୍ତି ଉପସ୍ଥାପନ ହୋଇଥିଲା । ଏହାକୁ ବିଚାରକୁ ନେଇ ରାଜ୍ୟ ସରକାର ବସ୍ ଭଡ଼ା ବୃଦ୍ଧି କରିଛନ୍ତି । ବର୍ତ୍ତମାନ ଅଡିନାରୀ ବସ୍ ଭଡ଼ା କିଲୋମିଟର ପିଛା ୬୮ ପଇସା ଥିବା ବେଳେ ବର୍ଦ୍ଧିତ ଦର ଅନୁସାରେ ଏଣିକି ଏହି ବର୍ଗର ବସ୍ ଭଡ଼ା କିଲୋମିଟର ପିଛା ୭୦ ପଇସା ନିର୍ଦ୍ଧାରିତ ହୋଇଛି । ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ୭୧ ପଇସା ରହିଥିବା ବେଳେ ଏହାକୁ ୭୩ ପଇସାକୁ ବୃଦ୍ଧି କରାଯାଇଛି । ସେହିଭଳି ଡିଲକ୍ସ ବସ୍ କ୍ଷେତ୍ରରେ କିଲୋମିଟର ପିଛା ୯୭ ପଇସାରୁ ୧ ଟଙ୍କା ୧ ପଇସା ଏବଂ ଏସି-ଡିଲକ୍ସ କ୍ଷେତ୍ରରେ କିଲୋମିଟର ପିଛା ୧ ଟଙ୍କା ୧୯ ପଇସାରୁ ୧ ଟଙ୍କା ୨୩ ପଇସାକୁ ବୃଦ୍ଧି କରାଯାଇଛି । ସୂଚନାଯୋଗ୍ୟ ତୈଳ ଦର ବୃଦ୍ଧି ଯୋଗୁଁ ଚଳିତ ବର୍ଷ ଜାନୁଆରୀ ୩ରେ ବସ୍ ଭଡ଼ା ବୃଦ୍ଧି ହୋଇଥିବା ବେଳେ ପୁଣି ଜାନୁଆରୀ ୧୮ ତାରିଖରେ ବସ୍ ଭଡ଼ା ବୃଦ୍ଧି କରାଯାଇଥିଲା ।




Powered by odothemes.com