mohaprabhu-nka-khata-prastut-heuchi

ଶେଷ ପର୍ଯ୍ୟାୟରେ ପହି ଓ ଅର ନିର୍ମାଣ

84

୪୭ଦିନ ପରେ ଘୋଷଯାତ୍ରା
ପୁରୀ(ବୁ୍ୟରୋ): ପବିତ୍ର ଅକ୍ଷୟ ତୃତୀୟାରେ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଜକୁ ୪୦ ଦିନ ପୁରିଛି । ଶ୍ରୀଜିଉଙ୍କ ତିନି ରଥର ଚକ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରବିବାର ରଥଖଳାରେ ବିଶ୍ୱକର୍ମା ମହାରଣା ସେବାୟତ କରୁଥିବା ତିନି ରଥର ଅର ଓ ଅଖ ଓ ପହି କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ତତ୍ ସହିତ ତିନି ରଥର ଗରଳ କାର୍ଯ୍ୟ ଓ ଗରାଗର, ଚଉତା, ମୁହାଟ ଓ ବିନ୍ଧ କାର୍ଯ୍ୟ ମଧ୍ୟ ଜୋରସୋରରେ ଚାଲିଛି । ମହାରଣା ସେବାୟତ ଅରରେ ସୁତା ମାପ କରିବା ସହିତ ପଇତା କାଟୁଛନ୍ତି । ଯେପରି ଧାର୍ଯ୍ୟ ତାରିଖ ପୂର୍ବରୁ ତିନି ରଥର ସମସ୍ତ ଆବଶ୍ୟକ କାର୍ଯ୍ୟ ନିର୍ମାଣ ଶେଷ ହେବ । ପରମ୍ପରା ଅନୁଯାୟୀ ଶୀଳତଷଷ୍ଠୀ ଦିନ ତିନି ରଥର ଚକ ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି ରଥଖଳାରେ ଜୋରସୋରରେ ରଥ ନିର୍ମାଣରେ ଆଗେଇ ନେଉଛନ୍ତି ମହାରଣା ସେବାୟତ । ଏଥିସହ ରଥର ଅନ୍ୟ କାମ ମଧ୍ୟ ନିର୍ମାଣ କରିବାରେ ଲାଗିପଡିଛନ୍ତି ସେବାୟତ । ରଥଖଳାରେ ମହାରଣା ସେବାୟତଙ୍କଠାରୁ ଆରମ୍ଭକରି ଭୋଇ ସେବାୟତ, ରୂପକାର ସେବାୟତ ଓ କମାର ସେବାୟତ ରଥର ବିଭିନ୍ନ କାର୍ଯ୍ୟରେ ଲାଗିଛନ୍ତି । ସେପଟେ ଦୋଳବେଦୀ କୋଣରେ ତିନି ରଥ ପାଇଁ ଗରଳ ଚୀରଟ କାର୍ଯ୍ୟ ଚାଲିବାସହ ରଥଖଳାରେ ଦଣ୍ଡାକଣ୍ଟା ନିର୍ମାଣ ଚାଲିଛି । ରୂପକାର ସେବାୟତ ଶେଷ ହୋଇଥିବା ଚକର ପହିରେ ମହାପ୍ରଭୁଙ୍କ ବିଭିନ୍ନ ଯୁଗର ଭିନ୍ନ ଭିନ୍ନ ଅବତାରର ରୂପକୁ ଅଙ୍କନ କରୁଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ତୂମ୍ବ ଓ ଅରରେ ସଂଯୋଗ କରିବା ପାଇଁ ଅରକଣ୍ଟା କାମ ଶେଷ କରି ଏବେ ତିନି ରଥ ପାଇଁ ବିଭିନ୍ନ ଧରଣର ଆବଶ୍ୟକ କଣ୍ଟାକୁ ନିର୍ମାଣ କରିବାରେ ଲାଗି ପଡିଛନ୍ତି କମାର ସେବାୟତ । ଅନ୍ୟପଟରେ ଭୋଇ ସେବାୟତ ମଧ୍ୟ ତିନି ରଥ ପାଇଁ ଆବଶ୍ୟକ ହେଉଥିବା କାଠଖଣ୍ଡକୁ ନେଇ ରଥଖଳାରେ ମହାରଣା ସେବାୟତଙ୍କ ନିକଟରେ ପହଞ୍ଚାଉଛନ୍ତି । ମହାପ୍ରଭୁଙ୍କ କାର୍ଯ୍ୟରେ ସମସ୍ତ ସେବାୟତ ଏକ ମନପ୍ରାଣରେ ଲାଗି ପଡ଼ିଛନ୍ତି । ରଥ ନିର୍ମାଣ କାର୍ଯ୍ୟ ଦେଖିବା ପାଇ ରଥଖଳାରେ ମଧ୍ୟ ଭକ୍ତଙ୍କ ପ୍ରବଳ ଗହଳିଚହଳି ଲାଗୁଛି । ଫଳରେ ଶ୍ରୀନଅର ସମ୍ମୁଖ ରଥଖଳା ପାଲଟିଯାଇଛି ଏକ ଭକ୍ତିମୟ ପରିବେଶ । ଆଉ ମାତ୍ର ଅଳ୍ପ ଦିନ ପରେ ମହାପ୍ରଭୁଙ୍କ ଶୀଳତଷଷ୍ଠୀ ପର୍ବର୍ ଅନୁଷ୍ଠିତ ହେବ ।

ସେଆର କରନ୍ତୁ:



Powered by odothemes.com