News1---Postal-Gramin-Dak-Sevak-strike

ଡାକ ଧର୍ମଘଟ ତୃତୀୟ ଦିନରେ: ଯୋଗାଯୋଗ ବ୍ୟାହତ

104

କେନ୍ଦୁଝର, ୨୪ା୫ (ଆପ୍ର): କେନ୍ଦ୍ରୀୟ ସଂଘର ଆହ୍ୱାନକ୍ରମେ କେନ୍ଦୁଝର ଜିଲ୍ଲାରେ ଗ୍ରାମୀଣ ଡାକସେବକଙ୍କ ଆନେ୍ଦାଳନ ତୃତୀୟ ଦିନରେ ପହଞ୍ଚିଛି । ୧୦ଦଫା ଦାବି ନେଇ ଗ୍ରାମୀଣ ଡାକସେବକମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟକୁ ଯାଇଥିବାବେଳେ ଜିଲ୍ଲାର ଡାକମଣ୍ଡଳ ଅଧିନରେ ଥିବା ସମସ୍ତ ପୋଷ୍ଟ ଅଫିସରେ ଡାକସେବା ଠପ୍ ହୋଇଯାଇଛି । କେନ୍ଦୁଝର ଡିଭିଜନର ୨୦୦୦ରୁ ଊଦ୍ଧ୍ୱର୍ ଗ୍ରାମୀଣ ଡାକସେବକ ଆନେ୍ଦାଳନରେ ସାମିଲ ହୋଇଥିବାରୁ ଗ୍ରାମାଞ୍ଚଳରେ ସମସ୍ତ ପୋଷ୍ଟ ଅଫିସ ବନ୍ଦ ରହିଛି । ଗ୍ରାମାଞ୍ଚଳ ଲୋକମାନଙ୍କର ଯୋଗାଯୋଗ ଓ ଦେଣନେଣ କାର୍ଯ୍ୟର ମୁଖ୍ୟ ଅନୁଷ୍ଠାନ ହୋଇଥିବାବେଳେ ଡାକସେବକମାନଙ୍କ ଧର୍ମଘଟ କାରଣରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି । ଜିଲ୍ଲାରେ କାର୍ଯ୍ୟରତ ଗ୍ରାମୀଣ ଡାକସେବକମାନେ ତାଙ୍କର ବିଭିନ୍ନ ଦାବି ପୂରଣ ନେଇ ୨୨ ତାରିଖ ମଙ୍ଗଳବାର ଦିନଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟକୁ ଓହ୍ଲାଇଛନ୍ତି । ଗୁରୁବାର ଦିନ କେନ୍ଦୁଝର ସହର ନିକଟ ଘୁଟୁର ଗାଁର ମନୀଷା ସେଠୀ ବିଭିନ୍ନ ଜିଲ୍ଲାରେ ବାହାରିଥିବା ଫାର୍ମାସିଷ୍ଟ ପଦବୀ ପାଇଁ ଆବେଦନ କରିବା ପାଇଁ କେନ୍ଦୁଝର ପ୍ରଧାନ ଡାକଘରକୁ ଆସିଥିଲେ । ମାତ୍ର ପ୍ରଧାନ ଡାକଘର ସମ୍ମୁଖରେ ଧର୍ମଘଟ ଯୋଗୁଁ ଅଫିସ ବନ୍ଦ ରହିଥିବାରୁ ସ୍ପିଡ ପୋଷ୍ଟ କରି ନପାରି ନିରାଶ ହୋଇ ଫେରିଯାଇଛନ୍ତି । ଆସନ୍ତା ୩୦ ତାରିଖ ଦରଖାସ୍ତର ଶେଷ ତାରିଖ ହୋଇଥିବାରୁ କେନ୍ଦ୍ର ସରକାର ତୁରନ୍ତ ଗ୍ରାମୀଣ ଡାକସେବକଙ୍କ ଦାବି ପୂରଣ ନକଲେ ଅନେକ ଛାତ୍ରଛାତ୍ରୀ ଅସୁବିଧାରେ ପଡିବେ ବୋଲି ସେ କହିଛନ୍ତି । ସେହିପରି କାମିନୀ ସେଠୀ ନାମକ ଜଣେ ମହିଳା ନିଜ ଝିଅ ସମୃଦ୍ଧି ବେହେରାଙ୍କ ନାମରେ ସଂଚୟ ଜମା ପାସ ବହିରେ ଅର୍ଥ ଜମା କରିବାକୁ ଆସି ନକରି ପାରି ନିରାଶ ହୋଇଛନ୍ତି । ହାଟଡିହି ବ୍ଲକ ଆମ୍ବଗଡିଆ ଗ୍ରାମର ପ୍ରଫୁଲ୍ଲ କୁମାର ସେଠୀ ଏକ ଜରୁରୀ କାମ ପାଇଁ ସ୍ପିଡ ପୋଷ୍ଟ କରିବାକୁ ଆସିଥିଲେ ହେଁ ବନ୍ଦ ଯୋଗୁଁ କରିନପାରି ଫେରି ଯାଇଛନ୍ତି । ସାହାରପଡା ବ୍ଲକ ଉଦୟପୁର ଗାଁର ବିଶ୍ୱରଂଜନ ପହି ନିଜ ଝିଅ ଭୂମିକାରାଣୀ ପହି ନାମରେ ଏକ ନୂତନ ଆକାଉଣ୍ଟ ଖୋଲିବାକୁ ଆସି ବନ୍ଦ ଯୋଗୁଁ ଫେରି ଯାଇଛନ୍ତି । ଏହି ପରି ଦୈନିକ ହଜାର ହାଜର ଲୋକ ବିଭିନ୍ନ କାମରେ ପ୍ରଧାନ ଡାକଘରକୁ ବନ୍ଦ ଯୋଗୁଁ ଫେରିଯାଉଛନ୍ତି । ଆନେ୍ଦାଳନ ଯୋଗୁଁ କେନ୍ଦୁଝର ପ୍ରଧାନ ଡାକଘର,ବଡବିଲ ଏବଂ ଆନନ୍ଦପୁରଠାରେ ଥିବା ମୁଖ୍ୟ ଡାକଘର, ଜିଲ୍ଲାର ୪୮ଟି ଉପଡାକଘର, ୪୮୯ଟି ଗ୍ରାମୀଣ ଶାଖା ଡାକଘରେ ଡାକ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଡାକ ସେବକମାନଙ୍କର ଆନେ୍ଦାଳନ ଯୋଗୁଁ ସଞ୍ଚୟ ଜମା, ଚିଠି ବଣ୍ଟନ, ମନି ଅର୍ଡର, ଆଧାର କାର୍ଯ୍ୟକ୍ରମ,ଡାକ ଜୀବନବୀମା, ଟେଲିଫୋନ ବିଲ ଜମା, ବିଦୁ୍ୟତବିଲ ଜମା, ନୂତନ ପାସବୁକ ଖୋଳିବା କାର୍ଯ୍ୟ ସଂପୂର୍ଣ୍ଣ ବ୍ୟାହାତ ହୋଇଛି । ତୃତୀୟ ଦିନରେ ମଧ୍ୟ ପ୍ରଧାନ ଡାକଘର ସମ୍ମୁଖରେ ଥିବା ମୁଖ୍ୟ ଗେଟ ବନ୍ଦ କରି ଶହ ଶହ ଗ୍ରାମୀଣ ଡାକସେବକ ଧାରଣାରେ ବସିଛନ୍ତି ।




Powered by odothemes.com