Parameshwara

ଆଜି ଶପଥ ନେବେ କୁମାରସ୍ୱାମୀ

185

ଜି. ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ, ରମେଶ କୁମାର ବାଚସ୍ପତି
ବେଙ୍ଗାଲୁରୁ, ୨୨ା୫(ବୁ୍ୟରୋ): ଆସନ୍ତାକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଭାବେ ଶପଥ ନେବେ ଜେଡିଏସ୍ ନେତା ଏଚ୍ଡି କୁମାରସ୍ୱାମୀ । ଶପଥଗ୍ରହଣ ପୂର୍ବରୁ ଆଜି କଂଗ୍ରେସ ଓ ଜେଡିଏସ୍ ବିଧାୟକମାନଙ୍କ ବୈଠକ ଭାବି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇ ଆବଶ୍ୟକ ବ୍ୟବସ୍ଥା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡିଛି । ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ଉଭୟ ଦଳର ନେତୃବୃନ୍ଦ କହିଛନ୍ତି ଯେ କେତେ ଜଣ ମନ୍ତ୍ରୀ ହେବେ ସେ ବାବଦରେ ନିଷ୍ପତ୍ତି ନିଆଯିବା ସହିତ ଗୁରୁବାର ନୂଆ ମନ୍ତ୍ରୀମାନେ ଶପଥ ନେବେ । ଉପମୁଖ୍ୟମନ୍ତ୍ରୀଭାବେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଜି. ପରମେଶ୍ୱର ଆସନ୍ତାକାଲି ଶପଥ ନେବେ । ସେହିପରି କଂଗ୍ରେସ ବିଧାୟକ କେ.ଆର୍ ରମେଶ କୁମାରଙ୍କୁ ବାଚସ୍ପତି କରାଯିବ । କଂଗ୍ରେସ ନେତା କେ.ସି. ଭେନୁଗୋପାଲ କହିଛନ୍ତି ଯେ ଉଭୟ ଦଳର ସଂଖ୍ୟା ନେଇ ମନ୍ତ୍ରୀ ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି । କଂଗ୍ରେସର ୨୨ ଓ କୁମାରସ୍ୱାମୀଙ୍କ ସମେତ ୧୨ ଜେଡିଏସ୍ ବିଧାୟକ ମନ୍ତ୍ରିମଣ୍ଡଳରେ ସାମିଲ ହେବେ । ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ୨୪ରେ କୁମାରସ୍ୱାମୀ ଆସ୍ଥା ପ୍ରମାଣ ଦେବେ ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି । କୁମାରସ୍ୱାମୀ ଦେଇଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ତାଙ୍କ ସହିତ ପରମେଶ୍ୱର ଶପଥ ନେବେ । ଗୁରୁବାର ମନ୍ତ୍ରିମଣ୍ଡଳ ଶପଥ ନେବା ପରେ ବିଭାଗ ବଣ୍ଟନ ନେଇ ନିଷ୍ପତ୍ତି ନିଆଯିବ । ଆଜି କେବଳ କ୍ୟାବିନେଟ୍ ଗଠନ ନେଇ ଆଲୋଚନା ହୋଇଥିଲା । ୨୫ ତାରିଖରେ ବାଚସ୍ପତି ଓ ଉପବାଚସ୍ପତି ନିର୍ବାଚନ କରାଯିବ । ଏପର୍ଯ୍ୟନ୍ତ ସବୁ ଠିକ୍ଠାକ୍ ଚାଲିଛି । ଉଭୟ ଦଳ ସହମତିରେ ନିଷ୍ପତ୍ତି ନେଉଛନ୍ତି । ମେଣ୍ଟ ସରକାର ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିବ ବୋଲି କୁମାରସ୍ୱାମୀ ଆଶାବ୍ୟକ୍ତ କରିଥିଲେ । ଅନ୍ୟପକ୍ଷରେ ବିଧାୟକଭାବେ ନିର୍ବାଚିତ ହେବାପରେ ବିଏସ୍ ୟେଦୁ୍ୟରପ୍ପା ଓ ବି. ଶ୍ରୀରାମୁଲୁ ଲୋକସଭାରୁ ଇସ୍ତଫା ଦେଇଛନ୍ତି । ବାଚସ୍ପତି ସୁମୀତ୍ରା ମହାଜନ ଇସ୍ତଫା ଗ୍ରହଣ କରିଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ । ଜେଡିଏସ୍ ସୁପ୍ରିମୋ ଏଚ୍ଡି ଦେବଗୌଡା ମେଣ୍ଟ ସରକାର ସପକ୍ଷରେ ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଡିକେ ଶିବକୁମାରଙ୍କୁ ମନ୍ତ୍ରୀ ପରିଷଦରେ ସାମିଲ କରାଯିବା ନେଇ ତାଙ୍କର ଆପତ୍ତି ନାହିଁ । କର୍ଣ୍ଣାଟକ କଂଗ୍ରେସର କ୍ରାଇସିସ୍ ମ୍ୟାନେଜରଭାବେ ପରିଚିତ ଡିକେ ଶିବକୁମାରଙ୍କ ସହିତ ବିବାଦ ରହିଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଦେବଗୌଡା ଏହା କହିଛନ୍ତି ।
ଶପଥଗ୍ରହଣ ଉତ୍ସବରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଜେପି ବିରୋଧୀ ନେତାଙ୍କ ସମେତ ରାହୁଲ ଗାନ୍ଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ, କେରଳ ମୁଖ୍ୟମନ୍ତ୍ରୀ ପିନାରୀ ବିଜୟନ, ତାମିଲ ସୁପରଷ୍ଟାର ତଥା ‘ମକଲ ନିଧି ମାଏମ୍’ ପ୍ରତିଷ୍ଠାତା କମଲ ହାସନ, ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତୃବୃନ୍ଦ ଶପଥଗ୍ରହଣ ଉତ୍ସବରେ ସାମିଲ ହେବେ ବୋଲି ସୂଚନା ମିଳିଛି । ଶପଥଗ୍ରହଣ ପୂର୍ବରୁ ରାଜଭବନ, ବିଧାନସୌଧ ସମେତ କର୍ଣ୍ଣାଟକର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

ସେଆର କରନ୍ତୁ:



Powered by odothemes.com