plessis

ଚେନ୍ନାଇକୁ ଫାଇନାଲ୍କୁ ନେଲେ ଡୁ’ପ୍ଲେସିସ୍

86

ମୁମ୍ବାଇ, ୨୨ା୫ (ଏଜେନ୍ସି): ସନ୍ରାଇଜର୍ସ ହାଇଦ୍ରାବାଦ ଦେଇଥିଲା ୧୪୦ ରନ୍ର ବିଜୟଲକ୍ଷ୍ୟ । କିନ୍ତୁ ୬୨ ରନ୍ରେ ୬ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ଚେନ୍ନାଇ ସୁପର୍ କିଙ୍ଗ୍ସ, ହେଲେ ଫାଫ୍ ଡୁ’ ପ୍ଲେସିସ୍ ସାହସିକ ଇନିଂସ୍ ଖେଳି ଶେଷ ଓଭର୍ରେ ଚେନ୍ନାଇକୁ ଫାଇନାଲ୍ରେ ପହଞ୍ଚାଇଥିଲେ । ଡୁ’ ପ୍ଲେସିସ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ବୁଧବାର କୋଲକାତା ଠାରେ କୋଲକାତା ନାଇଟ୍ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏଲିମିନେଟର୍ ମ୍ୟାଚ୍ ଖେଳାଯିବ । ୨୫ ତାରିଖରେ ଦ୍ୱିତୀୟ କ୍ୱାଲିଫାୟର୍ରେ ସନ୍ରାଇଜର୍ସ ଏଲିମିନେଟର୍ ବିଜେତାକୁ ଭେଟିବ ।
ଫେରିଲେ ୱାଟ୍ସନ୍
ୱାଙ୍ଖେଡେ ଗ୍ରାଉଣ୍ଡରେ ସୁପର୍ କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ଧୋନିଙ୍କ ଦଳରେ ସାମ୍ ବିଲିଙ୍ଗ୍ସଙ୍କ ସ୍ଥାନରେ ସେନ୍ ୱାଟ୍ସନ୍ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ରାତି ୮ଟା ପରିବର୍ତ୍ତେ ୭ଟାରେ ଆରମ୍ଭ ହୋଇଥିଲା ପ୍ଲେଅଫ୍ ମୁକାବିଲା ।
ସନ୍ରାଇଜର୍ସର ବଡ଼ବଡ଼ିଆ ବିଫଳ
ମ୍ୟାଚ୍ର ପ୍ରଥମ ବଲ୍ରେ ଶିଖର ଧାବନ୍ଙ୍କୁ ବିନା ସ୍କୋର୍ରେ ପ୍ୟାଭିଲିଅନ୍ ପଠାଇଥିଲେ ଦୀପକ ଚହର । ଏହାପରେ ଅନ୍ୟତମ ଓପ୍ନର୍ ଶ୍ରୀବତ୍ସ ଗୋସ୍ୱାମୀ ଓ ଅଧିନାୟକ କେନ୍ ୱିଲିଅମ୍ସନ୍ ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେହେଁ ସଫଳତା ପାଇ ନ ଥିଲେ । ଲୁଙ୍ଗି ଗିଡ଼ିଙ୍କ ବଲ୍ରେ ୧୨ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ ଗୋସ୍ୱାମୀ । ଦଳୀୟ ସ୍କୋର୍ ୩୬ ହୋଇଥିବା ବେଳେ ୱିଲିଅମ୍ସନ୍ ବ୍ୟକ୍ତିଗତ ୨୪ ରନ୍ରେ ଶାର୍ଦ୍ଦୂଳ ଠାକୁରଙ୍କ ଶିକାର ହୋଇଥିଲେ ।
ମନୀଷ ପାଣ୍ଡେ ଓ ସାକିବ୍ ଅଲ୍ ହାସନ୍ଙ୍କ ଯୋଡ଼ି ମଧ୍ୟ ବେଶୀ ବାଟ ଯାଇପାରି ନ ଥିଲା । ସାକିବ୍ ୧୨ ରନ୍ କରି ଡ୍ୱେନ୍ ବ୍ରାଭୋଙ୍କ ବଲ୍ରେ ଚତୁର୍ଥ ବ୍ୟାଟ୍ସମ୍ୟାନ୍ ଭାବେ ପ୍ୟାଭିଲିଅନ୍ ଫେରିଥିଲେ । ୱିକେଟ୍ ପତନ ସାଙ୍ଗକୁ ଧୀମା ରନ୍ରେଟ୍ ଦଳ ପାଇଁ ଅନ୍ୟତମ ସମସ୍ୟା ଥିଲା । ୧୦ ଓଭର୍ରେ ସ୍କୋର୍ ହୋଇଥିଲା ୬୪/୪ । ନିୟମିତ ବ୍ୟବଧାନରେ ୱିକେଟ୍ ପତନ ଅବ୍ୟାହତ ରହିଥିଲା । ପାଣ୍ଡେ ଓ ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍ ୟୁସୁଫ୍ ପଠାନ୍ ମଧ୍ୟ ବିଫଳ ହୋଇଥିଲେ । ପାଣ୍ଡେ ୮ ରନ୍ କରି ରବୀନ୍ଦ୍ର ଜାଡ଼େଜାଙ୍କ ବଲ୍ରେ ଆଉଟ୍ ହୋଇଥିବା ବେଳେ ୟୁସୁଫ୍ ପଠାନ୍ ୨୪ ରନ୍ କରି ବ୍ରାଭୋଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ।
ସମ୍ମାନ ବଞ୍ଚାଇଲେ ବ୍ରାଥ୍ୱେଟ୍
୮୮ ରନ୍ରେ ଷଷ୍ଠ ୱିକେଟ୍ ପଡ଼ିବାପରେ ଇନିଂସ୍ ଆଉ ବେଶୀ ବାଟ ଯିବାଭଳି ଲାଗୁ ନ ଥିଲା । ତେବେ କ୍ରେଗ୍ ବ୍ରାଥ୍ୱେଟ୍ଙ୍କ ଦମ୍ଦାର ପ୍ରଦର୍ଶନ ବଳରେ ଇନିଂସ୍ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚି ପାରିଥିଲା । ସପ୍ତମ ୱିକେଟ୍ରେ ବ୍ରାଥ୍ୱେଟ୍ ଓ ଭୁବନେଶ୍ୱର କୁମାରଙ୍କ ମଧ୍ୟରେ ୫୧ ରନ୍ର ଭାଗୀଦାରୀ ହୋଇଥିଲା । ଭୁବନେଶ୍ୱର ୭ ରନ୍ କରି ଶେଷ ବଲ୍ରେ ରନ୍ଆଉଟ୍ ହୋଇଯାଇଥିଲେ । ହାଇଦ୍ରାବାଦ ଦଳ ନିର୍ଦ୍ଧାରିତ ୨୦ ଓଭର୍ରେ ୭ ୱିକେଟ୍ ହରାଇ ୧୩୯ ରନ୍ ସଂଗ୍ରହ କରିଥିଲା । ବ୍ରାଥ୍ୱେଟ୍ ୨୯ ବଲ୍ରୁ ଗୋଟିଏ ଛକା ଓ ୪ଟି ଚୌକା ସହାୟତାରେ ୪୩ ରନ୍ କରି ଅପରାଜିତ ଥିଲେ । ବିପକ୍ଷ ବୋଲର୍ ବ୍ରାଭୋ ୨ଟି ଏବଂ ଚହର, ଗିଡ଼ି, ଠାକୁର ଓ ଜାଡ଼େଜା ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ ।
ଚେନ୍ନାଇର ବ୍ୟାଟିଂ ବିପର୍ଯ୍ୟୟ
ଚେନ୍ନାଇ ଦଳ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପ୍ନର୍ ସେନ୍ ୱାଟ୍ସନ୍ ଖାତା ଖୋଲି ନ ପାରି ଭୁବନେଶ୍ୱର କୁମାରଙ୍କ ବଲ୍ରେ ପ୍ୟାଭିଲିଅନ୍ ଫେରିଥିଲେ । ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଦ୍ରୁତ ୨୨ ରନ୍ କରି ସିଦ୍ଧାର୍ଥ କାଉଲ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ପରବର୍ତ୍ତୀ ବଲ୍ରେ ଅମ୍ବାତି ରାୟୁଡ଼ୁ ବିନା ସ୍କୋର୍ରେ ବୋଲ୍ଡ ହୋଇଥିଲେ ।
ଡୁ’ ପ୍ଲେସିସ୍ଙ୍କ ଲଢ଼େଇ ଓ ବିଜୟ
ଗୋଟିଏପଟେ ଫାଫ୍ ଡୁ’ ପ୍ଲେସିସ୍ ଲଢ଼େଇ ଜାରି ରଖିଥିବା ବେଳେ ଅନ୍ୟପଟେ ୱିକେଟ୍ ପତନ ଜାରି ରହିଥିଲା । ୬୨ ରନ୍ରେ ଦଳ ୬ ୱିକେଟ୍ ହରାଇଥିଲା । ଅଧିନାୟକ ମହେନ୍ଦ୍ର ସିଂ ଧୋନି ୯ ଓ ଡ୍ୱେନ୍ ବ୍ରାଭୋ ୭ ରନ୍ କରି ରଶିଦ୍ ଖାନ୍ଙ୍କ ଶିକାର ହୋଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା(୩)ଙ୍କୁ ଆଉଟ୍ କରିଥିଲେ ସନ୍ଦୀପ ଶର୍ମା । ବିଜୟ ଆଶା ମଉଳି ଯାଉଥିବା ବେଳେ ଡୁ’ ପ୍ଲେସିସ୍ ନୂଆ ବ୍ୟାଟ୍ସମ୍ୟାନ୍ ଚହରଙ୍କ ସହ ୩୦ ରନ୍ ଯୋଗକରି ଆଶା ଉଜ୍ଜୀବିତ କରିଥିଲେ । ଚହର ୧୦ ରନ୍ କରି ସନ୍ଦୀପଙ୍କ ବଲ୍ରେ ପ୍ୟାଭିଲିଅନ୍ ଫେରିଥିଲେ । ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍ ହରଭଜନ ସିଂହ ୨ ରନ୍ କରି ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଯାଇଥିଲେ । ୧୧୩ ରନ୍ରେ ଅଷ୍ଟମ ୱିକେଟ୍ ପଡ଼ିଥିଲା । ଏହାପରେ କ୍ରିଜ୍ରେ ଯୋଗ ଦେଇଥିଲେ ଶାର୍ଦ୍ଦୂଳ । ଡୁ’ ପ୍ଲେସିସ୍ ଓ ଶାର୍ଦ୍ଦୂଳ ମିଶି ଦଳକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ । ଚେନ୍ନାଇ ୧୯.୧ ଓଭର୍ରେ ୮ ୱିକେଟ୍ ହରାଇ ଆବଶ୍ୟକ ୧୪୦ ରନ୍ ସଂଗ୍ରହ କରିଥିଲା । ଡୁ’ ପ୍ଲେସିସ୍ ଏକ ଛକାମାରି ମ୍ୟାଚ୍ ଫିନିଶ୍ କରିଥିଲେ । ସେ ୪୨ ବଲ୍ରୁ ୫ ଚୌକା ଓ ୪ ଛକା ସହାୟତାରେ ୬୭ ଏବଂ ଠାକୁର ୫ ବଲ୍ରୁ ୧୫ ରନ୍ କରି ଅପରାଜିତ ଥିଲେ । ବିପକ୍ଷ ବୋଲର୍ ସନ୍ଦୀପ, କାଉଲ୍ ଓ ରଶିଦ୍ ୨ଟି ଲେଖାଏଁ ଓ ଭୁବନେଶ୍ୱର ଗୋଟିଏ ୱିକେଟ୍ ନେଇଥିଲେ ।

ସେଆର କରନ୍ତୁ:



Powered by odothemes.com