ANTIMA-SAJYA-RE-ODISHARA-BISISTHA-SILPAPATI-LATE--BANSIDHAR-PANDA-(15)

ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ପରଲୋକ

193

ଭୁବନେଶ୍ୱର, ୨୨ା୫(ବୁ୍ୟରୋ): ଓଡ଼ିଶା ଶିଳ୍ପ ଜଗତର ଭୀଷ୍ମ ପିତାମହ ତଥା ‘ଇମ୍ଫା’ ଶିଳ୍ପାନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ବଂଶୀଧର ପଣ୍ଡାଙ୍କ ୮୭ବର୍ଷ ବୟସରେ ଆଜି ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ହୋଇଛି । ତାଙ୍କ ବିୟୋଗରେ ଶିଳ୍ପ ଜଗତରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ପଣ୍ଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ଶ୍ରୀ ପଟ୍ଟନାୟକ । ସେହିଭଳି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେପି ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ, କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଶେଷ ଦର୍ଶନ କରିବାକୁ ତାଙ୍କର ପାର୍ଥିବ ଶରୀରକୁ ଭୁବନେଶ୍ୱରସ୍ଥିତ ବାସଭବନରେ ରଖାଯାଇଛି । ଶ୍ରୀ ପଣ୍ଡା ଜଣେ ଶିଳ୍ପପତି ନଥିଲେ ବରଂ ଥିଲେ ଜଣେ ବୈଜ୍ଞାନିକ । ଶିଳ୍ପଜଗତର ମାର୍ଗଦର୍ଶକ କହିଲେ ଅତୁ୍ୟକ୍ତି ହେବ ନାହିଁ । ୧୯୩୨ ନଭେମ୍ବର ୨୬ତାରିଖରେ ଜନ୍ମଗ୍ରହଣ କରିଥିବା ଶ୍ରୀ ପଣ୍ଡା ଥିଲେ ଉକ୍ରଳ ଚାମ୍ବର ଅଫ୍ କମର୍ସର ପୂର୍ବତନ ଅଧ୍ୟକ୍ଷ । ସେ ବିଏଚ୍ୟୁ, ମିଚିଗାନ ୟୁନିଭର୍ସିଟି ଓ ହାଭାର୍ଡରୁ ଶିକ୍ଷାପ୍ରାପ୍ତ କରିଥିଲେ । ଏଥିସହ ରାଉରକେଲା ଏନ୍ଆଇଟି(ନିଟ୍) ବୋର୍ଡ ଅଫ୍ ଗଭର୍ଣ୍ଣସ୍ର ପୂର୍ବତନ ଅଧ୍ୟକ୍ଷ ରହିଥିଲେ । ଏହାଛଡା ଆଇଆଇଟି ଖଡଗପୁରର ପୂର୍ବତନ ପରିଚାଳନା କମିଟି ସଦସ୍ୟ ରହିବା ସହ ଆଇଆଇଏମ୍ କୋଲକାତାର ମଧ୍ୟ ପରିଚାଳନା କମିଟି ସଦସ୍ୟ ଥିଲେ । କଳିଙ୍ଗ ଚାମ୍ବର୍ସର ସଭାପତି ବିଶ୍ୱପ୍ରତାପ ଦାସ କହିଛନ୍ତି ଯେ ବଂଶୀଧର ପଣ୍ଡାଙ୍କ ବିକଳ୍ପ କେହି ନାହାଁନ୍ତି । ଓଡ଼ିଶାର ଶିଳ୍ପ ବିକାଶ କ୍ଷେତ୍ରରେ ତାଙ୍କର ଭୂମିକା ଅତୁଳନୀୟ । ଓଡ଼ିଶାରେ ବିଜୁ ବାବୁ ୧୯୬୧ମସିହାରେ ମୁଖ୍ୟମନ୍ତ୍ରୀ ହେବାପରେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଶ୍ରୀ ପଣ୍ଡାଙ୍କୁ ଆମନ୍ତ୍ରଣ କରିଥିଲେ । ସେହି ସମୟରେ ଶ୍ରୀ ପଣ୍ଡା ଆମେରିକାର ନାସାରେ ଜଣେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ ଥିଲେ । ଓଡ଼ିଶା ଶିଳ୍ପ କ୍ଷେତ୍ରରେ ପଛୁଆ ଥିବାବେଳେ ଶିଳ୍ପ ସମୃଦ୍ଧ ଓଡ଼ିଶା ଗଠନ କରିବାର ସ୍ୱପ୍ନ ଦେଖିଥିଲେ ସେ । ସେଥିପାଇଁ ୧୯୬୧ ମସିହାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଥେରୁବାଲିଠାରେ ଓଡ଼ିଶାର ସର୍ବବୃହତ ଶିଳ୍ପାନୁଷ୍ଠାନ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ‘ଇମ୍ଫା’ ପ୍ରତିଷ୍ଠା କରିଥିଲେ । କଳିଙ୍ଗ ଟୁ୍ୟବ୍ସ ପରେ ଇମ୍ଫା ଓଡ଼ିଶାର ନିଜସ୍ୱ ପ୍ରଯୁକ୍ତିରେ ନିର୍ମିତ ଦ୍ୱିତୀୟ ବୃହତ ଶିଳ୍ପର ମାନ୍ୟତା ପାଇଛି । ତେବେ ଶ୍ରୀ ପଣ୍ଡା ସମାଜର ଅନଗ୍ରସର ବର୍ଗର ଲୋକଙ୍କ କଲ୍ୟାଣ ନିମନ୍ତେ ସର୍ବଦା କାର୍ଯ୍ୟ କରିଛନ୍ତି । ୨୦୧୧ରେ ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ୍ ପ୍ରତିଷ୍ଠା କରିବା ସହ ଏ ଦିଗରେ କାର୍ଯ୍ୟ କରିଆସୁଥିଲେ । ତାଙ୍କ ପୃଷ୍ଠପୋଷକତାରେ ପ୍ରତିବର୍ଷ ଶାରଳା ପୁରସ୍କାର ତଥା ଏକଲବ୍ୟ ପୁରସ୍କାର ଆଦି ପ୍ରଦାନ କରାଯାଏ ।




Powered by odothemes.com