୨୫ ଯାଏ କାଳବୈଶାଖୀ

35

ଭୁବନେଶ୍ୱର, ୨୨ା୫(ବୁ୍ୟରୋ): ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । କାଳବୈଶାଖୀ ପ୍ରଭାବରେ ବର୍ଷା ସହ ଜୋର୍ରେ ପବନ ପ୍ରବାହିତ ହେବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦-୬୦ କିମି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବୁଧବାର ରାଜ୍ୟର ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଓ ନୟାଗଡ଼ ଜିଲ୍ଲାର ସ୍ଥାନେ ସ୍ଥାନେ କାଳବୈଶାଖୀ ବର୍ଷା ହୋଇପାରେ । କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହିଭଳି ପାଗ ଆସନ୍ତା ୨୫ ତାରିଖ ଯାଏ ଲାଗି ରହିବ । ଦିନ ବେଳା ଆଭ୍ୟନ୍ତରୀଣରେ ତାତି ରହିବା ସହ ରାତିରେ ବର୍ଷା ହୋଇପାରେ । ସମୁଦ୍ର ଆଡ଼ୁ ବୋହୁଥିବା ପବନରେ ଆଦ୍ରତା ଥିବାରୁ କାଳବୈଶାଖୀ ବର୍ଷା ହେଉଛି ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି । ମଙ୍ଗଳବାର ସକାଳ ୮.୩୦ରୁ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ ଝାରସୁଗୁଡ଼ାରେ ୮ମିମି ବର୍ଷା ହୋଇଥିବା ବେଳେ ସମ୍ବଲପୁରରେ ୬ମିମି, ଦାରିଙ୍ଗବାଡ଼ିରେ ୫ମିମି, ହୀରାକୁଦରେ ୪ମିମି, ସୁନ୍ଦରଗଡ଼ରେ ୨ମିମି ବର୍ଷା ରେକର୍ଡ କରାଯାଇଛି । ସେହିଭଳି ଆଜି ବଳାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ୪୨ଡିଗ୍ରୀ, ମାଲକାନଗିରିରେ ୪୧.୬ଡିଗ୍ରୀ, ସୋନପୁରରେ ୪୧ ଡିଗ୍ରୀ, ଝାରସୁଗୁଡ଼ାରେ ୪୦.୮ ଡିଗ୍ରୀ, ଭବାନୀପାଟଣାରେ ୪୦.୫ ଡିଗ୍ରୀ, ସମ୍ବଲପୁରରେ ୩୯.୨ ଡିଗ୍ରୀ, କଟକରେ ୩୫ ଡିଗ୍ରୀ ଓ ଭୁବନେଶ୍ୱରରେ ୩୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।




Powered by odothemes.com