News-6

ହେଲ୍ମେଟ ନାହିଁତ ଗାଡ଼ିପୂଜା ନାହିଁ

92

ସଡ଼କ ସୁରକ୍ଷା ପାଇଁ ତାରିଣୀ ମନ୍ଦିର ପକ୍ଷରୁ ଅଭିନବ ପ୍ରୟାସ
ଘଟଗାଁ,୧୯ା୫(ଆପ୍ର): ଜିଲ୍ଲା ପୋଲିସ୍ ପ୍ରଶାସନ ଓ ତାରିଣୀ ମନ୍ଦିର ପ୍ରଶାସନର ମିଳିତ ସହଯୋଗରେ ଆରମ୍ଭ ହୋଇଛି ଏକ ଅଭିନବ ପ୍ରୟାସ । ଆଜି ମା ତାରିଣୀ ମନ୍ଦିର ସନ୍ନିକଟ ଶାଳବଣ ପାର୍କିଂରେ ଥିବା ନୂତନ ଗାଡିପୂଜା ମଣ୍ଡପଠାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟନାରାୟଣ ପଙ୍କଜ୍ ଯୋଗ ଦେଇ ତାରିଣୀ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସକାଶେ ନୂଆ ଦୁଇଚକିଆ ଯାନ ପୂଜା ବେଳେ ହେଲ୍ମେଟ ନାହିଁତ ଗାଡିପୂଜା ନାହିଁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସେ ନିଜ ବକ୍ତବ୍ୟ ମାଧ୍ୟମରେ ସଡକ ସୁରକ୍ଷା ସମ୍ବନ୍ଧୀୟ ବାର୍ତ୍ତାରେ ବାଇକ୍ ଚାଳକମାନଙ୍କୁ ସର୍ବଦା ହେଲ୍ମେଟ ବ୍ୟବହାର ପାଇଁ ସଚେତନତା କରାଇଥିଲେ । ଆଜି ଏହି କାର୍ଯ୍ୟକ୍ରମରେ ପାଖାପାଖି ୨୫ଟି ନୂତନ ବାଇକ୍ ଚାଳକଙ୍କ ହେଲ୍ମେଟ ଯାଞ୍ଚ କରି ପୂଜା ପାଇଁ ଅନୁମୋଦନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଘଟଗାଁ ଏସ୍ଡିପିଓ ସିଲ୍ଭେରିୟସ୍ ଟପୋ ତଦାରଖ୍ କରିଥିବା ବେଳେ ତାରିଣୀ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ ସକ୍ରିୟ ପରିଚାଳନା କରିଥିଲେ । ଏହି ଅବସରରେ ଘଟଗାଁ ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାୟକ, ହରିଚନ୍ଦନପୁର ଥାନାଧିକାରିଣୀ ବନିତା ମାଝୀ, ପାଟଣାଥାନା ଅଧିକାରିଣୀ ପ୍ରମୋଦିନୀ ସାହୁ ଉପସ୍ଥିତ ଥିବା ବେଳେ ଘଟଗାଁ ଥାନା ଏସ୍ଆଇ ମନୋରମା ସ୍ୱାଇଁ, ଚିତ୍ତରଞ୍ଜନ ମହାନ୍ତି, ଏସ୍ଆଇ ବଳରାମ ସେଠୀ ଓ ଏଏସ୍ଆଇ ସହଦେବ ସାହୁଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହେଯାଗ କରିଥିଲେ ।




Powered by odothemes.com