18-5-2018=2

ବଲାଙ୍ଗିର, କନ୍ଧମାଳ ପୁଲିସ୍କୁ ପୁରସ୍କାର

51

ମାଓ ମୁକାବିଲା ସଫଳତା
ଭୁବନେଶ୍ୱର,୧୮ ।୫ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ମାଓ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ରାଜ୍ୟରେ ମାଓ ସମସ୍ୟା ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ମାଓବାଦୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବଲାଙ୍ଗିର ଓ କନ୍ଧମାଳରେ ମାଓ ଦମନ କ୍ଷେତ୍ରରେ ବଳିଷ୍ଠ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ପୁଲିସକୁ ବିଶେଷକରି କନ୍ଧମାଳ ଓ ବଲାଙ୍ଗିର ଜିଲ୍ଲା ପୁଲିସ୍ ଓ ଏସ୍ଓଜି ବାହିନୀକୁ ଅଭିନନ୍ଦନ ଜଣାଇଥିଲେ । ମାଓ ଦମନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ଉଭୟ ବଲାଙ୍ଗିର ଓ କନ୍ଧମାଳ ଜିଲ୍ଲା ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ । ବର୍ତ୍ତମାନ ଦିଆଯାଉଥିବା ପୁରସ୍କାର ରାଶି ସହିତ ଅତିରିକ୍ତ ରାଶି ହିସାବରେ ଏହି ପୁରସ୍କାର ଦିଆଯିବ । ଏହା ସହିତ ଏହି ଅପରେସନ୍ରେ ଅଂଶ ଗ୍ରହଣ କରିଥିବା ପୁଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହାଦ୍ୱାରା ପୁଲିସ ବାହିନୀର ମନୋବଳ ବୃଦ୍ଧି ପାଇବା ସହ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ ବୋଲି କର୍ମଚାରୀ ମହଲରେ ସନ୍ତୋଷ ପ୍ରକାଶ ପାଇଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିିସ ମହାନିଦେ୍ର୍ଦଶକ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ଗୁଇନ୍ଦା ମହାନିଦେ୍ର୍ଦଶକ, ଗୁଇନ୍ଦା ଆଇଜି ଏବଂ ବଲାଙ୍ଗିର ଓ କନ୍ଧମାଳ ଜିଲ୍ଲାର ଏସ୍.ପି. ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com