News-8---NOU-second-campus

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ୍କୁ ଉପେକ୍ଷା

53

କେନ୍ଦୁଝର,୧୮ା୫(ଆପ୍ର): ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ କେନ୍ଦୁଝରରେ ଓଡିଆ, ସଂସ୍କୃତ ଓ ଇଂରାଜୀ ବିଭାଗର ଏମ୍ଏ ଓ ଏମ୍ଫିଲ ପାଠ୍ୟକ୍ରମ ଚାଲିଛି । ଦୀର୍ଘ ଦିନର ଦାବୀପରେ କେନ୍ଦୁଝରରେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ୨ୟ କ୍ୟାମ୍ପସ କେନ୍ଦୁଝରରେ ଅସ୍ଥାୟୀଭାବେ ୨୦୧୪ମସିହା ଡିସେମ୍ବର ୧୯ ତାରିଖରେ ଆରମ୍ଭ ହୋଇଥିଲା । ପରେ ପରେ ଏହାର ଭିତ୍ତିଭୂମି ଅଭାବରୁ ୨୦୧୭ ଅଗଷ୍ଟ ୧୭ ତାରିଖରୁ ଏହି ୨ୟ କ୍ୟାମ୍ପସ ଡିଏନ ହାଇସ୍କୁଲ ପରିସରରେ ଚାଲିଛି । ବର୍ତ୍ତମାନ କେନ୍ଦୁଝର ସହର ନିକଟବର୍ତ୍ତୀ ସୁଲେଇଖମାରଠାରେ ଏକାଡେମିକ ବ୍ଲକ, ପ୍ରଶାସନିକ ବିଭାଗ ଏବଂ ଶ୍ରେଣୀ ଗୃହକାମ ଚାଲୁରହିଛି । କେନ୍ଦୁଝର ଜିଲ୍ଲାବାସୀଙ୍କର ଦୀର୍ଘଦିନର ଦାବି ଓ ଆନେ୍ଦାଳନ ପରେ ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଆରମ୍ଭ ହୋଇଥିଲେ ମଧ୍ୟ ଏହା ଏବେ ଜିଲ୍ଲାବାସୀଙ୍କ ପାଇଁ ଆକାଶକଇଁଆ ଚିଲିକା ମାଛ ହୋଇଛି । କେନ୍ଦୁଝର ପୁରୁଣା ସହର ଅନ୍ତର୍ଗତ ସୁଲେଇଖମାରଠାରେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ ପାଇଁ ଜାଗା ନିଆଯାଇ ପାଚେରୀ କରାଯାଇଥିଲେ ମଧ୍ୟ ଏକ ସ୍ୱୟଂସଂପୂର୍ଣ୍ଣ ଏବଂ ପୂର୍ଣ୍ଣାଙ୍ଗ ବିଶ୍ୱବିଦ୍ୟାଳୟ ଭାବେ ଯେପରି ଭାବରେ କାମ ଚାଲିଛି ତାହା କେବେ ସରିବ ତାହା କହିବା ମୁସ୍କିଲ । ଫଳରେ ଏହି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ କେନ୍ଦୁଝର ଡିଏନ୍ ହାଇସ୍କୁଲ ପଛପଟେ ଏକ ଅସ୍ଥାୟୀ ଗୃହରେ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଓ ଶିକ୍ଷା ବିଭାଗର ପ୍ରକୋଷ୍ଠ କରାଯାଇଥିଲେ ମଧ୍ୟ ଏହା ବିଶେଷ କାମରେ ଆସୁନାହିଁ । ରାଜ୍ୟ ସରକାର ବଜେଟରେ ଏହି ବିଶ୍ୱବିଦ୍ୟାଳୟର ନୂତନ କୋଠାବାଡି ପାଇଁ ଅର୍ଥ ମଞ୍ଜୁର କରିବାକୁ ଟାଳଟୁଳ ନୀତି ଅବଲମ୍ବନ କରୁଥିବାବେଳେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ ଶହ ଶହ କୋଟି ଟଙ୍କା ଥିଲେ ମଧ୍ୟ କେନ୍ଦୁଝର ଜିଲ୍ଲାରେ ସ୍ଥାପିତ ହୋଇଥିବା ଏହି ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ପାଇଁ କୌଣସି ବ୍ୟୟବରାଦ କରାଯାଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଯେଉଁ କେତେଗୁଡିଏ ବିଭାଗ ଏଠାରେ ଖୋଲାଯାଇଛି ସେହି ବିଭାଗମାନଙ୍କରେ ଆବଶ୍ୟକୀୟ ପ୍ରଫେସର,ଆସୋସିଏଟ ପ୍ରଫେସର,ସହକାରୀ ପ୍ରଫେସର ପଦବୀ ଫାଙ୍କା ରହିଥିବାବେଳେ ଶିକ୍ଷାଦାନ ଚରମ ବାଧାପ୍ରାପ୍ତ ହୋଇଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ୨୦୧୪ ମସିହା ଡିସେମ୍ବର ୧୪ ତାରିଖରେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟମ୍ପସ କେନ୍ଦୁଝରରେ ଖୋଲିବା ନେଇ ଘୋଷଣା କରିବା ପରେ ସ୍ଥାୟୀ କ୍ୟାମ୍ପସ ନିର୍ମାଣ ହୋଇ ପାରିନଥିବାରୁ କିଛି ବର୍ଷ ଅସ୍ଥାୟୀ ଭାବରେ ସ୍ଥାନୀୟ ଆଇନ ମହାବିଦ୍ୟାଳୟ ପରିସରରେ ଗୋଟିଏ କୋଠରୀରେ ଅଫିସ ମଧ୍ୟରେ କାମ ଚାଲି ଆସୁଥିଲା । ଏହାର ୩ବର୍ଷ ପରେ ୨୦୧୭ ମସିହା ଜୁଲାଇ ମାସ ୧୭ତାରିଖରୁ ଡିଏନ ହାଇସ୍କୁଲ ପରିସରରେ ପୂର୍ବରୁ ସ୍ପୋଟସ ହଷ୍ଟେଲ ଚାଲିଥିବା ଏକ ବିଲ୍ଡିଂରେ ଶିକ୍ଷାଦାନ ଆରମ୍ଭ କରାଯାଇଛି । ମାତ୍ର ଦ୍ୱିତୀୟ କ୍ୟାମ୍ପସ ପାଇଁ ଆବଶ୍ୟକ ଭିତ୍ତିଭୂମି ଏବଂ ପ୍ରଫେସର ଅଭାବ ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହେବା ସଂଗେ ସଂଗେ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଗ୍ରହଣ କରିବା ଆଶା କ୍ଷୀଣ ହୋଇଯାଉଛି । ପ୍ରକାଶଯୋଗ୍ୟ ଯେ, ପାଖାପାଖି ୧୩ ଏକର ପରିମିତ ଜମିରେ ପୁରୁଣାସହରର ସୁଲେଇଖମାରଠାରେ ଏହାର ନିର୍ମାଣ କାମ ଚାଲିଥିଲେ ହେଁ କାମର ମନ୍ଥରତା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଉଛି । ଏହି ଜମି ପର୍ଯ୍ୟାପ୍ତ ନ ଥିବାରୁ ଆଉ ୧୫ ଏକର ଜମିର ଆବଶ୍ୟକତା ରହୁଥିବାରୁ ଏନେଇ ରାଜସ୍ୱ ବିଭାଗ ସହ ଯୋଗ କରିବା ଜରୁରୀ ବୋଲି ମତପ୍ରକାଶ ପାଉଛି । ଏଠାରେ ସଂସ୍କୃତ, ଇଂରାଜୀ ଓ ଓଡିଆ ବିଭାଗ ଖୋଲାଯାଇ ସମୁଦାୟ ୫୭ ଜଣ ପିଜି ଓ ୧୮ ଜଣ ଏମଫିଲ ଓ ପିଏଚ୍ଡି ଛାତ୍ରୀଛାତ୍ରଙ୍କ ନାମ ଲେଖାଇ ପାଠ ପଢାଚାଲିଛି । ମାତ୍ର ପିଏଚ୍ଡି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରିସବମିଶନ ଓ ମୌଖିକ ପରୀକ୍ଷା ଏଠାରେ କରାଯିବା ବଦଳରେ ମୁଖ୍ୟ କ୍ୟାମ୍ପସ ବାରିପଦାରେ କରାଯାଉଛି । ସେହିପରି ଜିଓଲୋଜି ଓ ମେଟେରିଆଲ ସାଇନ୍ସ ବିଭାଗର ନାମ ଲେଖାଇବା ପାଇଁ ଅଦ୍ୟାବଧି ବିଜ୍ଞାପନ ପ୍ରକାଶ କରାଯାଇନାହିଁ । କେବଳ ଅଧ୍ୟାପକ ସମସ୍ୟା ଯେ ଏଠାରେ ଲାଗି ରହିଛି ତା’ନୁହେଁ ଡାଟା ଏଣ୍ଟି୍ର ଅପରେଟରଠାରୁ ଆରମ୍ଭ କରି ଲାଇବ୍ରେରିଆନ୍,ଲାଇବ୍ରେରୀ ଆଟେଣ୍ଟାଣ୍ଟ,ଡେପୁଟୀ ରେଜିଷ୍ଟର ଡେପୁଟୀ କଣ୍ଟ୍ରୋଲର ଆଦି ପଦବୀ ଖାଲି ରହିଛି । ଆସନ୍ତା ଶିକ୍ଷାବର୍ଷଠାରୁ ଷଷ୍ଠବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ପ୍ରକୋଷ୍ଠର ଅଭାବ ପରିଲକ୍ଷିତ ହୋଇଛି । ଅସ୍ଥାୟୀ ପ୍ରଫେସରରେ ଓଡିଆ ବିଭାଗ ଚାଲିଥିବାବେଳେ ଅଧ୍ୟାପକ ନିଯୁକ୍ତି ନେଇ ବିଶ୍ୱ ବିଦ୍ୟାଳୟ କତ୍ତୃପକ୍ଷ ଆଦୋ÷÷ ଆନ୍ତରିକତା ପ୍ରଦର୍ଶନ କରୁନଥିବା ଅଭିଯୋଗ ହେଉଛି । ଅବହେଳା ଓ ଭିତ୍ତିଭୂମିର ଅଭାବ ଯୋଗୁଁ ଏଠାରେ ଖୋଲିବାକୁ ଥିବା ସ୍କୁଲ ଅଫ୍ ଲାଙ୍ଗୁଏଜ ଅଧିନରେ ଆଦିବାସୀ ଭାଷା ରେ ପାଠ୍ୟକ୍ରମ ଏହି କ୍ୟାମ୍ପସରେ ଖୋଲିବା ପୂର୍ବରୁ ଫେରିଯାଇଥିବା ଅଭିଯୋଗ ହେଉଛି । ପ୍ରତ୍ୟେକ ବିଭାଗରେ ଅନୁ୍ୟନ ୬ଜଣ ପ୍ରଫେସର ନିଯୁକ୍ତି କରିବାକୁ ଶିକ୍ଷାବିତ୍ ମହଲରେ ଦାବି ହୋଇ ଆସୁଛି । ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ୨ୟ କ୍ୟାମ୍ପସକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଗଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଭାବେ ପରିଚିତ କେନ୍ଦୁଝର ଜିଲ୍ଲା ଶିକ୍ଷାକ୍ଷେତ୍ରରେ ଉନ୍ନତି ଆସିପାରିବ ବୋଲି ମତପୋଷଣ ହୋଇଛି ।




Powered by odothemes.com