pani-payip-bhitare-8-ghanta-(50)

୭ ଘଣ୍ଟାର ଅପରେସନ୍: ପ୍ରାଣ ପାଇଲେ ପ୍ରାଣକୃଷ୍ଣ

50

କଟକ, ୧୭ା୫(ବୁ୍ୟରୋ): କଥାରେ ଅଛି ରଖେ ହରି ତ ମାରେ କିଏ । ଯାହାର ଜ୍ୱଳନ୍ତ ଉଦାହରଣ ଆଜି କଟକରେ ଦେଖିବାକୁ ମିଳିଥିଲା । ପାଣି ପାଇପ୍ରେ ୭ ଘଣ୍ଟା ଫସିଲା ପରେ ପ୍ରାଣକୃଷ୍ଣ ମୁଦୁଲିଙ୍କ ପ୍ରାଣ ଯେ’ ଆଉ ଥିବ ବୋଲି କେହି କଳ୍ପନା କରୁନଥିଲେ । ମୃତୁ୍ୟକୁ ଅତି ନିକଟରୁ ଦେଖିବା ପରେ ସତେ ଯେମିତି ସେଠାରେ ପ୍ରାଣକୃଷ୍ଣଙ୍କ ଜୀବନ ଅଟକି ଗଲା ପରି ମନେ ହେଉଥିଲା । ହେଲେ ଏଭଳି ଆଶଙ୍କା ଶେଷରେ ମିଛ ବୋଲି ପ୍ରମାଣିତ ହେଲା । ଦୀର୍ଘ ୭ ଘଣ୍ଟାର ପ୍ରାଣମୂର୍ଚ୍ଛା ଅପରେସନ୍ ୭ଠ ବର୍ଷର ବୃଦ୍ଧ ପ୍ରାଣକୃଷ୍ଣଙ୍କୁୂ ଦେଲା ନୂଆ ପ୍ରାଣ । ପ୍ରାଣକୃଷ୍ଣଙ୍କ ଉଦ୍ଧାର ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶ୍ୱସ୍ତ ହେବା ସହ ଆନନ୍ଦବ୍ୟକ୍ତ କରିଛନ୍ତି । ଏହାସହ ଓଡ୍ରାଫ୍ ଟିମ୍ ଏବଂ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ସାହସ ଓ ଧୈର୍ଯ୍ୟର ସହ ଦୀର୍ଘସମୟ ପ୍ରଚେଷ୍ଠା କରି ପ୍ରାଣକୃଷ୍ଣଙ୍କୁ ଉଦ୍ଧାର କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଭଳି ଲୋମଟାଙ୍କୁରା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବିଭାଗର ଏହି ସତର୍କତାପୂର୍ଣ୍ଣ ଅପରେସନ୍କୁ ମଧ୍ୟ ପ୍ରଶଂସା କରାଯାଇଛି । ପାଣି ପାଇପ୍ରୁ ପ୍ରାଣକୃଷ୍ଣଙ୍କୁ ଉଦ୍ଧାର କରାଯିବା ପରେ ପୂର୍ବରୁ ପ୍ରସ୍ତୁତ ଥିବା ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚିକିତ୍ସା ପାଇଁ ଏସ୍ସିବି ମେଡିକାଲ୍୍ରେ ଭର୍ତ୍ତି କରାଯାଇଥିଲା । ତେବେ ପ୍ରାଣକୃଷ୍ଣଙ୍କ ଅବସ୍ଥା ବର୍ତ୍ତମାନ ଭଲ ଥିବା ଜଣାପଡ଼ିଛି । ପ୍ରାଣକୃଷ୍ଣ ମୃତୁ୍ୟମୁଖରୁ ଫେରିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଳହରୀ ଖେଳିଯାଇଥିବା ବେଳେ ଦୁର୍ଘଟଣା କିପରି ଘଟିଲା ସେନେଇ ତଦନ୍ତ କରିବା ଲାଗି ଜିଲ୍ଲାପାଳ ସୁଶାନ୍ତ କୁମାର ମହାପାତ୍ର ନିଦେ୍ର୍ଦଶ ଦେଇଛନ୍ତି । ଘଟଣାରୁ ପ୍ରକାଶ, ଓଡ଼ିଶା ପୁଲିସ୍ ସିଗ୍ନାଲ୍ ମୁଖ୍ୟ କାର୍ଯ୍ୟାଳୟରେ ଥିବା ପମ୍ପିଂ ଷ୍ଟେସନ୍ ନିକଟ ପାଣି ପାଇପ୍ ଜାମ୍ ହୋଇଥିବାରୁ ସଫା କରିବା ପାଇଁ ପୂର୍ବାହ୍ଣ ପ୍ରାୟ ସାଢେ ଆଠଟାବେଳେ ପ୍ରାଣକୃଷ୍ଣ ଟାଙ୍କି ଭିତରକୁ ପଶିଥିଲେ । କିଛି ସମୟ ସେ ଅଳିଆ ଆବର୍ଜନା କାଢିବା ପରେ ଅସାବଧାନତା ବସତଃ ପମ୍ପିଂ ଷ୍ଟେସନ୍ର କର୍ମଚାରୀ ପମ୍ପ୍ ଚାଲୁ କରିଦେଇଥିଲେ । ଫଳରେ ପାଣିର ପ୍ରେସର୍ ଯୋଗୁ ପ୍ରାଣକୃଷ୍ଣ ପାଇପ୍ର ୨୫ ଫୁଟ୍ ଭିତରକୁ ପଶିଯାଥିଲେ । ପାଇପ୍ ଅଣଓସାରିଆ ହୋଇଥିବାରୁ ପ୍ରାଣକୃଷ୍ଣ ସେଥିରୁ ମୁକୁଳି ପାରିନଥିଲେ । ଅପରପକ୍ଷେ ପମ୍ପିଂ ହାଉସ୍ର କର୍ମଚାରୀଙ୍କ ସନେ୍ଦହ ହେବାରୁ ସେ ପମ୍ପ୍ ବନ୍ଦ କରି ସେଠାକୁ ଯାଇଥିଲେ । ମାତ୍ର ସେ ପ୍ରାଣକୃଷ୍ଣଙ୍କ ଦେଖି ପାରିନଥିଲେ । ପରେ ସେ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଡାକିବା ସହିତ ପ୍ରଥମେ ଅଗ୍ନିଶମ ବାହିନୀ ଏବଂ ଥାନାକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚô ପ୍ରାଣକୃଷ୍ଣଙ୍କୁ ଉଦ୍ଧାର କରିବାଲାଗି ଅପରେସନ୍ ଆରମ୍ଭ କରିଥିଲେ । ସିମେଣ୍ଟ୍ ପାଇପ୍କୁ କଟର୍ ସାହାଯ୍ୟରେ କାଟିବା କ୍ଷଣି ସେଥିରୁ ସିମେଣ୍ଟ୍ ଗୁଣ୍ଡ ଓ ଧୂଳି ନିର୍ଗତ ହୋଇଥିଲା । ପ୍ରାଣକୃଷ୍ଣଙ୍କୁ ପାଇପ୍ ଭିତରେ ଅସୁବିଧା ହେବାର ଆଶଙ୍କା ଥିବାରୁ ତାଙ୍କୁ ମାସ୍କ୍ ଓ ଗାମୁଛା ଦିଆଯାଇଥିଲା । ପ୍ରଥମରୁ ପ୍ରାଣକୃଷ୍ଣ କଥାବାର୍ତ୍ତା ହେଉଥିଲେ । ସୁବିଧା ଅସୁବିଧା କଥା ସେ ଉଦ୍ଧାରକାରୀଙ୍କୁ ଜଣାାଉଥିଲେ । ପ୍ରଥମେ ଉଦ୍ଧାରକାରୀ ଟିମ୍ ତାଙ୍କ ଗୋଡ଼ରେ ଦଉଡି ବାନ୍ଧି ଉପରକୁ ଉଠାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏହି ଅପରେସନ୍ ଫେଲ୍ ମାରିଥିଲା । ଏଣୁ ଉଦ୍ଧାରକାରୀ ଟିମ୍ କଂକ୍ରିଟ୍ ପାଇପ୍କୁ କାଟି ପ୍ରାଣକୃଷ୍ଣଙ୍କୁ ବାହାରକୁ କାଢିବା ପାଇଁ ଉଦ୍ୟମ କରି ସେଥିରେ ସଫଳ ହୋଇଥିଲେ । ପ୍ରାଣକୃଷ୍ଣଙ୍କ ଜୀବନ ରକ୍ଷା କରିବା ପାଇଁ ଦମକଳବାହିନୀ ଓ ଜିଲ୍ଲା ପ୍ରଶାସନ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିଲେ । ସେ ଫସିଥିବା ପାଇପ୍ର ଗୋଲେଇ ଅଢେଇ ମିଟର ହୋଇଥିଲାବେଳେ ତା’ ଭିତରେ ବସିଲା ଭଳି ଅବସ୍ଥାରେ ରହିଥିଲେ ପ୍ରାଣକୃଷ୍ଣ । ପାଇପ୍ ଭିତରକୁ ଅକ୍ସିଜେନ୍ ଛଡାଯାଉଥିଲାବେଳେ ତାଙ୍କୁ ଗ୍ଲୁକୋଜ୍ ପାଣି ମଧ୍ୟ ଦିଆଯାଉଥିଲା । ଫଳରେ ଉଦ୍ଧାର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସେ ସୁରକ୍ଷିତ ରହିପାରିଥିଲେ । ଏହି ଉଦ୍ଧାର କାର୍ଯ୍ୟକୁ ଜିଲ୍ଲାପାଳ ଶ୍ରୀ ମହପାତ୍ରଙ୍କ ସମେତ ସିଏମ୍ସି ମେୟର୍ ମିନାକ୍ଷୀ ବେହେରା, କମିଶନର ଓ ସ୍ଥାନୀୟ କର୍ପୋରେଟର ତଦାରଖ କରିଥିଲେ । ତେବେ ଡାକ୍ତରଖାନା ଯିବା ବାଟରେ ପ୍ରାଣକୃଷ୍ଣ ସେଇ ଭୟଙ୍କର କାହାଣୀକୁ ବର୍ଣ୍ଣନା କରି କହିଥିଲେ, ସକାଳ ୭ଟାରେ ମୁଁ ଘରୁ ବାହାରିଥିଲି । ସବୁଦିନ ନହେଲ ବି ମଝିରେ ମଝିରେ ଏଠାକୁ ଆସି ମୁଁ କାମ କରେ । ଆଜି ମଧ୍ୟ ସେମିତି ଆସିଥିଲି । ହେଲେ ପାଇପ୍ ଭିତରେ ଶିଉଳି ଥିବାରୁ ହାତ ଖସିଗଲା ଓ ମୁଁ ପାଣି ମାଡ଼ରେ ଠେଲି ହୋଇଗଲି ।

ସେଆର କରନ୍ତୁ:



Powered by odothemes.com