rath-chaka-2

ଆରମ୍ଭ ହେଲା ଗୟଳ ଚିରଟ: ନିର୍ମାଣ ହେବ ନନ୍ଦିଘୋଷର ନୂତନ ଚକ

13

ଘୋଷଯାତ୍ରା ଆଉ ୫୭ ଦିନ
ପୁରୀ (ବୁ୍ୟରୋ): ଘୋଷଯାତ୍ରାକୁ ଆଉ ମାତ୍ର ୫୭ଦିନ ରହିଲା । ରଥଖଳା ଚଳଚଞ୍ଚଳ ଥିବା ବେଳେ ଶ୍ରୀଜିଉଙ୍କ ରଥକାମ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ରଥ ଚକକାମ ଜୋର୍ସୋର୍ ଚାଲିଥିବା ବେଳେ ଗୁରୁବାର ଠାରୁ ଗୟଳ ଚିରଟ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଦୋଳବେଦୀ କୋଣ ପରିସରରେ କରତି ସେବକ ଗୟଳ ଚିରଟ କାମ ଆରମ୍ଭ କରିଛନ୍ତି । ୩ରଥ ପାଇଁ ୪୦ଫୁଟିଆ ଧଉରା କାଠ ପ୍ରଥମେ ଚିହ୍ନଟ ହେଲା ପରେ ସେବାୟତମାନେ ଚିରଟ କାମ ଆରମ୍ଭ କରିଛନ୍ତି । ଏହି କାଠ ରଥ ନିର୍ମାଣରେ ଗୁରୁତ୍ୱପୁର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଥାଏ । ପ୍ରଥମେ ଧଉରା କାଠକୁ ଭୋଇ ସେବାୟତମାନେ ବୋହି ଦୋଳବେଦୀ କୋଣରେ ରଖିଲା ପରେ କରତି ସେବାୟତମାନେ ଚିରଟ କରିଥିଲେ । ଅନ୍ୟପଟରେ ରଥଖଳାରେ ୩ରଥର ମୁଖ୍ୟ ବିଶ୍ୱକର୍ମା ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଗେଇ ଚାଲିଛି ୩ ରଥର ଚକ, ଅର, ପହି ଓ ତୁମ୍ବ ନିର୍ମାଣ କାର୍ଯ୍ୟ । ତତ୍ସହିତ ଗୁରୁବାର ସୁଦ୍ଧା ୩ ରଥର ମୋଟ ୩୩ ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ହେଲେ ବୁଧବାର ନିର୍ମାଣ ହୋଇଥିବା ଚକ ମଧ୍ୟରୁ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଗୋଟିଏ ଚକରେ ଫାଟ ସୃଷ୍ଟି ହୋଇଥିଲା । ସେହି ଫାଟକୁ ବନ୍ଦ କରିବା ପାଇଁ ମହାରଣା ସେବାୟତମାନେ ଉଦ୍ୟମ କରିଥିଲେ । ହେଲେ ଚକର ତୁମ୍ବ ସ୍ଥାନଟି ଫାଟି ଯାଇଥିଲା । ଏନେଇ ମହାରଣା ସେବାୟତ ଶ୍ରୀମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ରଥର ତଦାରଖ କମିଟିକୁ ଅବଗତ କରାଇଥିଲେ । ପରେ ସମସ୍ତଙ୍କ ନିଷ୍ପତ୍ତିକ୍ରମେ ଉକ୍ତ ଚକକୁ ବଦଳାଇ ଏକ ନୂତନ ଚକ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଛି । ବରିଷ୍ଠ ସେବାୟତଙ୍କ କହିବାନୁଯାୟୀ, ଗତ ବର୍ଷାରେ ୩୦ଟି ପହି ନଷ୍ଟ ହୋଇଯାଇଛି । ତେଣୁ ସେଗୁଡ଼ିକୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ରଥ ନିର୍ମାଣରେ କମାର ସେବକଙ୍କ ଗୁରୁ ଭୂମିକା ରହିଛି । ୩ ରଥ ପାଇଁ ୮୪ଟି ଲେଖାଏଁ ବଳା ଓ ପନ୍ଦରୀ ଆବଶ୍ୟକ ରହିଛି । ବର୍ତ୍ତମାନ ସୁଦ୍ଧା ୬୪ଟି ସରିଥିବା ଜଣାପଡ଼ିଛି ।




Powered by odothemes.com