Nirmana-Dhina-Pola

କେନାଲ ପୋଲ ନିର୍ମାଣରେ ଦୁର୍ନୀତି: ଭୁଶୁଡିବା ଆଶଙ୍କା

44

ମାହାଙ୍ଗା (ଆପ୍ର): ରାଜଧାନୀ ଭୁବନେଶ୍ୱରରେ ନିର୍ମାଣାଧୀନ ଅବସ୍ଥାରେ ବମିଖାଲ ଓଭରବ୍ରିଜ୍ ଭୁଷୁଡିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଏବେ ଅନ୍ୟ ଏକ ପୋଲ ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ଅଧିକାରୀଙ୍କ ଅଧୀନ ମାହାଙ୍ଗା ବ୍ଲକ୍ ଆପିଲ ଜହ୍ନିଆରେ ୮ନଂ କେନାଲ ଉପରେ ଏକ ପୋଲ ନିର୍ମାଣାଧୀନ ରହିଛି । ମାତ୍ର ପୋଲ ତିଆରି ତ୍ରୁଟିପୂର୍ଣ୍ଣ ହୋଇଥିବାରୁ ଭୁଷୁଡିବାର ଆଶଙ୍କା ଜନ୍ମିଥିବା କୁହାଯାଉଛି । ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତ୍ୟକ୍ଷ ପ୍ରଚେଷ୍ଟାରେ ଆପିଲୋ-ସାହାନାଆଜପୁର କେନାଲ ବନ୍ଧ ସ୍ଥାୟୀ ରାସ୍ତା ନିର୍ମାଣ ନେଇ ଦୀର୍ଘ ଦିନରୁ ଦାବି ହେଉଥିଲା । ଏନେଇ ୨,୬୦,୭୫ହଜାର ଟଙ୍କା ମଞ୍ଜୁର କରାଯାଇଥିଲା । ହେଲେ ରାସ୍ତା ନିର୍ମାଣରେ ଅନିୟମିତତା ହୋଇଥିବାବେଳେ ରାସ୍ତାକୁ ସଂଯୋଗ କରୁଥିବା ୮ନଂ କେନାଲ ଉପରେ ଏକ ପୋଲ ନିର୍ମାଣାଧୀନ ଅବସ୍ଥାରେ ରହିଛି । ପିଲାରଗୁଡିକର ନିର୍ମାଣ ତ୍ରୁଟିଯୁକ୍ତ ଥିବାବେଳେ ପୋଲ ଛାତରେ ବ୍ୟବହୃତ ରଡ୍ ନିମ୍ନମାନର ଥିବା ଅଭିଯୋଗ ହେଉଛି । ଆଶ୍ଚର୍ଯ୍ୟର କଥା ହେଉଛି ପୋଲ ନିର୍ମାଣ ଦାୟିତ୍ୱରେ ଥିବା ଯନ୍ତ୍ରୀ କ୍ଷିତିଶ ପ୍ରଧାନ ନିର୍ମାଣ କାର୍ଯ୍ୟରେ ରଡ୍ ବାଇଡିଂ ଓ ସେଟ୍ରିଂରେ ତ୍ରୁଟି ଥିବା ସ୍ୱୀକାର କରିଛନ୍ତି । ତେବେ ନିର୍ମାଣ କାର୍ଯ୍ୟର ତଦାରଖ ବେଳେ ସମ୍ପୃକ୍ତ ଅଧିକାରୀ ତ୍ରୁଟିକୁ କାହିଁକି ଏଡାଇ ଦେଲେ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି । ଉକ୍ତ ତ୍ରୁଟିପୂର୍ଣ୍ଣ ରଡ୍ ବାଇଡିଂ ଉପରେ ଛାତ ପକାଯାଇଥିଲେ ତାହା ନିଶ୍ଚିନ୍ତ ଭୁଷିଡିଥା’ନ୍ତା ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ସୂଚନା ଫଳକରେ ରାସ୍ତାର ସମସ୍ତ କାର୍ଯ୍ୟ ୨୦୧୬ ସୁଦ୍ଧା ଶେଷ ହେବ ବୋଲି ଉଲ୍ଲେଖ ଥିଲେ ମଧ୍ୟ ଅବଧି ଶେଷର ଦୁଇବର୍ଷ ପରେ ବି କାର୍ଯ୍ୟ ସରିନଥିବା ଠିକାଦାର ଓ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଅନୁରୂପ ଅଭିଯୋଗ ହୋଇଛି । ତୁରନ୍ତ ଏହାର ଭିଜିଲାନ୍ସ ତଦନ୍ତ କରାଯାଇ ଠିକାଦାର ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ହେଉଛି ।




Powered by odothemes.com