ଶୈଶବ ଯନ୍ତ୍ରଣାରେ ଅନାଥ ଭଉଣୀ: ସରକାରୀ ଯୋଜନା ଅପହଞ୍ଚ | ସର୍ବସାଧାରଣ ଖବରକାଗଜ
News-10

ଶୈଶବ ଯନ୍ତ୍ରଣାରେ ଅନାଥ ଭଉଣୀ: ସରକାରୀ ଯୋଜନା ଅପହଞ୍ଚ

42

ଝୁମ୍ପୁରା,୧୭ ।୫ (ଆପ୍ର): ‘ଫମ୍ପା ମାଠିଆର ଶବଦ ବେଶୀ’ । ଠିକ୍ ସେମିତି କେନ୍ଦୁଝର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଅଧିକାରୀମାନେ ଡିଣ୍ଡିମ ପିଟୁଥିବା ବେଳେ ଅନାଥ ଶିଶୁଙ୍କ ପାଖରେ ସରକାରୀ ଯୋଜନା ଆଜି ଅଲୋଡ଼ା ହୋଇପଡିଛି । ବାପ ଓ ମା ଛେଉଣ୍ଡ ଅନାଥ ଦୁଇ ଭଉଣୀ ଗୁରୁବାରୀ ମୁଣ୍ଡା (୧୨) ଓ ଖୁଜୁରୀ ମୁଣ୍ଡା (୭) ବଞ୍ଚିବା ପାଇଁ ସଂର୍ଘଷ କରୁଥିବା ବେଳେ ଅନ୍ୟପକ୍ଷରେ ସେମାନଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରେ ଗତି କରୁଛି । ସତରେ ସେମାନଙ୍କ ଭାଗ୍ୟ ହୋଇଛି ଭଗାରୀ ତାଙ୍କ ଭାଗ୍ୟରେ ପେଟକୁ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଜୁଟୁ ନଥିବା ବେଳେ ଲାଜଢାଙ୍କି ବାକୁ ଖଣ୍ଡିଏ ବସ୍ତ୍ର ଓ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଛାତ ମଧ୍ୟ ନାହିଁ । ମନରେଗା, ବିଜୁପକ୍କା ଘର ତଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାମକଲେ ଯାଇ ଗୁରୁବାରୀ ଓ ଖୁଜୁରୀକୁ ତେଲ, ଲୁଣ ମିଳେ । କାମ ନମିଳିଳେ ଜଙ୍ଗଲଜାତ ଦ୍ରବ୍ୟ ସେମାନଙ୍କର ସବୁ କିଛି । ଏଠି ଗରିବ ଅନାଥମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସରକାରୀ ଓ ବେସରକାରୀ ଯୋଜନା ଯଥା- ଜିଲ୍ଲା ଶିଶୁ ସୁରକ୍ଷା ମଙ୍ଗଳ ସମିତି, ଚାଇଲ୍ଡ ଲାଇନର ଡିଣ୍ଡିମ ପିଟୁଥିବା ଅଧିକାରୀ ସବୁ ବାଟବଣା ନିବଦ୍ରଷ୍ଟା ସାଜିଛନ୍ତି । ୬ବର୍ଷ ରୁ ୧୪ବର୍ଷର ଗରିବ ଅନାଥ ଶିଶୁ ମାନଙ୍କ ନିମନ୍ତେ ସରକାରୀ ଓ ବେସରକାରୀସ୍ତରରେ ଶିକ୍ଷା ସାଙ୍ଗକୁ ରହିବା ଖାଇବା ମାଗଣା କେତେ କଣ ଯୋଜନା ଅଛି । କିନ୍ତୁ ତୃଣମୂଳ ସ୍ତରରେ ତାର ବାସ୍ତବତା ଓ କାର୍ଯ୍ୟକାରୀତାକୁ ନେଇ ଉପରୋକ୍ତ ଘଟଣା ବଳିକୁ ଦେଖିଲେ ଅଧିକାରୀମାନଙ୍କ କାର୍ଯ୍ୟଶୈଳୀ ଉପରକୁ ସିଧା ସିଧା ଅଙ୍ଗୁଳି ନିଦେ୍ର୍ଦଶ କରୁଛି ।
ଏଭଳି ଏକ ଦୟନୀୟ ଘଟଣା ଦେଖିବାକୁ ମିଳିଛି, ଝୁମ୍ପୁରା ବ୍ଲକ ଅର୍ନ୍ତଗତ ମଲଦା ଗ୍ରାମପଞ୍ଚାୟତ ଜାମିରିଡିହ ଗ୍ରାମ ମୁଣ୍ଡାସାହିରେ । ବଣ ଜଙ୍ଗଲ ଘେରା ଜାମିରିଡିହ ଗ୍ରାମ ମୁଣ୍ଡା ସାହିର ଚନ୍ଦ୍ର ମୁଣ୍ଡା ତାର ପରିବାକୁ ନେଇ ମୁଲ ମଜୁରି କରି ଜୀବନ ଯାପନ କରୁଥିଲା । କିନ୍ତୁ ବିଧିର ବିଧାନ ଅଲଗା ଥିଲା । ଆଜକୁ ୫ବର୍ଷ ତଳେ ତାର ସ୍ତ୍ରୀ ସମାରୀ ମୁଣ୍ଡା ଅଦିନରେ ଚନ୍ଦ୍ର ମୁଣ୍ଡାର ହାତ ଛାଡି ସବୁ ଦିନ ପାଇଁ ଆରପାରିକୁ ଚାଲିଗଲା । ଫଳରେ ୩ଝିଅକୁ ଧରି ଚନ୍ଦ୍ର ମୁଣ୍ଡା ଦୁନିଆରେ ବଞ୍ଚିବା ପାଇଁ ଅଣ୍ଟା ଭିଡିଲା । ଏହାରି ଭିତରେ ବଡ଼ ଝିଅ ସୁମିତ୍ରା ମୁଣ୍ଡାର ବାହାଘର କରିଥିଲା । ହେଲେ ସ୍ତ୍ରୀ ଦେହାନ୍ତର ୫ଟା ବର୍ଷ ବିତିବା ପରେ ଚନ୍ଦ୍ର ମୁଣ୍ଡା ମଧ୍ୟ ଆଖିବୁଜିଲେ । ବାପା ଚନ୍ଦ୍ର ମୁଣ୍ଡା ମୃତୁ୍ୟର ୧ବର୍ଷ ହେବ ଗୁରୁବାରୀ ଓ ଖୁଜୁରୀ ସବୁଦିନ ପାଇଁ ବେସାହାରା ହୋଇଗଲେ । ଦୁନିଆକୁ ଭଲ ଭାବେ ଜାଣିବା ଆଗରୁ ଭଗବାନ ତାଙ୍କ ହସଖୁସି ଛଡାଇନେଲେ । ଶୈଶବ ଯନ୍ତ୍ରଣାରେ ଆଜି ସେମାନେ ଦୁନିଆ ଦାଣ୍ଡରେ ଛଟପଟ । ଗୁରୁବାରୀ ଓ ଖୁଜୁରୀ ପାଇଁ ଏଠି ସମସ୍ତ ସରକାରୀ ଓ ବେସରକାରୀ ଯୋଜନା ଅଲୋଡା ହୋଇପଡିଛି ।




Powered by odothemes.com